ପୁନଶ୍ଚ ପୃଥିବୀ

The weight of plastic: ଜୀବଜନ୍ତୁଙ୍କ ଓଜନକୁ ଟପିଗଲାଣି ପ୍ଲା‌ଷ୍ଟିକ୍‌ ଓଜନ

ମନୁଷ୍ୟ ଦ୍ବାରା ଉତ୍ପାଦିତ ପ୍ଲାଷ୍ଟିକ୍‌ର ପରିମାଣ ଏତେ ବଢ଼ିଗଲାଣି ଯେ ଦୁନିଆରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ମିଶାଇ ଓଜନ କଲେ ଯେତିକି ହେବ ପ୍ଲାଷ୍ଟିକ୍‌ର ଓଜନ ତା’ ଠାରୁ ଅଧିକ।

ମନୁଷ୍ୟ ଦ୍ବାରା ଉତ୍ପାଦିତ ପ୍ଲାଷ୍ଟିକ୍‌ର ପରିମାଣ ଏତେ ବଢ଼ିଗଲାଣି ଯେ ଦୁନିଆରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ମିଶାଇ ଓଜନ କଲେ ଯେତିକି ହେବ ପ୍ଲାଷ୍ଟିକ୍‌ର ଓଜନ ତା’ ଠାରୁ ଅଧିକ। ବିଶ୍ବ ସରକାର ଶିଖର ସମ୍ମିଳନୀରେ ଭାଷଣ ଦେବା ଅବସରରେ ଏକଥା କହିଛନ୍ତି ନର୍ଥଇଷ୍ଟର୍ଣ୍ଣ ୟୁନିଭର୍ସିଟିର ବରିଷ୍ଠ ଗବେଷକ-ବୈଜ୍ଞାନିକ ଡକ୍ଟର ଅବିନାଶ ମଞ୍ଜୁଳା-ବସବନ୍ନା।

ସେ କହିଛନ୍ତି ଯେ ଏଯାବତ୍‌ ମନୁଷ୍ୟ ପ୍ରାୟ ୧୦୦୦ କୋଟି ଟନ୍‌ ପ୍ଲା‌ଷ୍ଟିକ୍‌ ଉତ୍ପାଦନ କରିଛି। ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ମିଶାଇଲେ ସେମାନଙ୍କ ଓଜନ ୪୦୦ରୁ ୫୦୦ କୋଟି ଟନ୍‌ ହେବ। ଏଥିରୁ ଜଣାପଡୁଛି ଯେ ପ୍ରାୟ ୧୦୦ ବର୍ଷ ହେବ ଉତ୍ପତ୍ତି ହୋଇଥିବା ପ୍ଲାଷ୍ଟିକ୍‌ ଏବେ ସମଗ୍ର ବିଶ୍ବରେ ଥିବା ପ୍ରାଣୀସମଷ୍ଟିକୁ ଅତିକ୍ରମ କରିଗଲାଣି। ଆଧୁନିକ କଳକାରଖାନା କାର୍ଯ୍ୟକଳାପ ଯୋଗୁଁ ସମ୍ପ୍ରତି ଏଭଳି ଅସ୍ବାଭାବିକ ପରିବେଶଗତ କୁପ୍ରଭାବ ଉପସ୍ଥିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମନୁଷ୍ୟକୃତ ପଦାର୍ଥ ସବୁ ସକଳ ପ୍ରାକୃତିକ ଜୀବସତ୍ତା ଓଜନ ସହିତ ଦ୍ରୁତ ବେଗରେ ସମକକ୍ଷ ହେଉଛି ଅଥବା ତାହାକୁ ଅତିକ୍ରମ କରିଯାଉଛି। ସମଗ୍ର ବିଶ୍ବରେ ଥିବା ବୃକ୍ଷ, ଗୁଳ୍ମ ଓ ବନଷ୍ପତିର ହାରାହାରି ଓଜନ ୯୦୦ ଗିଗାଟନ୍‌। କିନ୍ତୁ, ମନୁଷ୍ୟ ନିର୍ମାଣ କରିଥିବା କୋଠାବାଡ଼ି, ବାଟଘାଟ ଓ କଳକାରଖାନଗୁଡ଼ିକର ଓଜନ ଏକ ଟେଟ୍ରାଟନ୍‌ ହୋଇଗଲାଣି। ଏକ ଟେଟ୍ରାଟନ୍‌ ଗୋଟିଏ ଟ୍ରିଲିୟନ୍‌ ଟନ୍‌ ସହିତ ସମାନ। କୃତ୍ରିମ ପଦାର୍ଥ ଓ ମାନବୀୟ ନିର୍ମାଣ କିଭଳି ପୃଥିବୀ ଗଠନର ଆଙ୍ଗିକ ଉପାଦନ ସବୁର ପୁନର୍ବିନ୍ୟାସ କରୁଛି ଏଗୁଡ଼ିକର ସମ‌ଷ୍ଟି ତାହା ଦର୍ଶାଇଦେଉଛି। ଚିନ୍ତା ଉଦ୍ରେକକାରୀ କଥାଟି ହେଉଛି ଏସବୁ ପ୍ଲା‌ଷ୍ଟିକ୍‌ ଓ କୃତ୍ରିମ ସାମଗ୍ରୀଗୁଡ଼ିକରୁ ଅଧିକାଂଶ ପୁନଃପ୍ରକ୍ରିୟାଶୀଳ ନୁହେଁ ଅଥବା ସେଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରାଯାଇ ପାରିବନାହିଁ। ତେଣୁ, ସେଗୁଡ଼ିକୁ ମାଟିରେ ପୋତାଯାଉଛି ଅଥବା ସମୁଦ୍ରରେ ଫିଙ୍ଗାଯାଉଛି। ଫଳତଃ ପରିବେଶ ପ୍ରଦୂଷଣ, ଜୈବବିବିଧତା ନଷ୍ଟ ଓ ଜଳବାୟୁ ସମ୍ବନ୍ଧୀୟ ବିପଦ ବୃଦ୍ଧି ପାଉଛି।

ମନୁଷ୍ୟ ଦ୍ବାରା ସୃଷ୍ଟି ଏ ସବୁ କୃତ୍ରିମ ସମାଗ୍ରୀର ପୂର୍ଣ୍ଣ ଉପଯୋଗ ବି ହେଉ ନାହିଁ। ଅର୍ଥାତ୍‌ ଲୋକେ ଏ ସବୁ କ୍ଷଣିକ ବ୍ୟବହାର ନିମନ୍ତେ କ୍ରୟକରି ଆବର୍ଜନା ଆକାରରେ ଫିଙ୍ଗି ଦେଉଛନ୍ତି। ତେଣୁ, ପରିବେଶ ଅଧିକ ଭାରାକ୍ରାନ୍ତ ହେଉଛି। ବୈଜ୍ଞାନିକମାନେ ସାବଧାନ କରାଇ ଦେଇଛନ୍ତି ଯେ ଏତାଦୃଶ ବ୍ୟବହାର ଧାରା ବର୍ଜ୍ୟ ପରିଚାଳନାକୁ ମଧ୍ୟ ବଳିଯିବ। ତା’ଛଡ଼ା କୃତ୍ରିମ ସାମଗ୍ରୀ ଉତ୍ପାଦନ ଜୀବାଶ୍ମ ଇନ୍ଧନ ଉପରେ ବିଶେଷ ନିର୍ଭରଶୀଳ। ସେଥିଯୋଗୁଁ ସବୁଜଗୃହ ବାଷ୍ପ ନିର୍ଗତ ହୋଇ ବିଶ୍ବ ତାପନ କ୍ରିୟାକୁ ଦ୍ରୁତତର କରୁଛି।

ପୁନଶ୍ଚ, ପ୍ଲାଷ୍ଟିକ୍‌ ପ୍ରଦୂଷଣ ସାମୁଦ୍ରିକ ପରିସଂସ୍ଥାନ, ମୃତ୍ତିକା ଓ ମାଇକ୍ରୋପ୍ଲାଷ୍ଟିକ୍‌ ରୂପେ ମନୁଷ୍ୟ ଖାଦ୍ୟଶୃଙ୍ଖଳରେ ବି ଅନୁପ୍ରବେଶ କରିସାରିଛି। ଡକ୍ଟର ମଞ୍ଜୁଳା-ବସବନ୍ନା ପୁଣି କହିଛନ୍ତି ଯେ ଜଳବାୟୁ ସଙ୍କଟ ସମାଧାନ ନିମିତ୍ତ ବୈଷୟିକ ଉଦ୍ଭାବନ ଓ ପାରିବେଶିକ କୁପ୍ରଭାବରହିତ ସାମଗ୍ରୀ ଗବେଷଣା ପ୍ରୟୋଜନ ସତ୍ୟ, କିନ୍ତୁ ମନୁଷ୍ୟ ପ୍ରତିବଦ୍ଧତା ଉପରେ ବି ଏ ସଙ୍କଟ ସମାଧାନ ବହୁ ମାତ୍ରାରେ ନିହିତ ରହିଛି। ଅର୍ଥାତ୍‌ ମନୁଷ୍ୟ ଦାୟିତ୍ବଶୀଳ ହୋଇ କୃତ୍ରିମ ପଦାର୍ଥଗୁଡ଼ିକର ଉପଯୁକ୍ତ ଉତ୍ପାଦନ ଓ ବ୍ୟବହାର କରିବା ଉଚିତ। ବିଶେଷଜ୍ଞମାନେ ବି ଚେତାଇ ଦେଉଛନ୍ତି ଯେ କୃତ୍ରିମ ପଦାର୍ଥ ବ୍ୟବହାରରେ ଆଖିଦୃଶିଆ ପରିବର୍ତ୍ତନ, ବର୍ଜ୍ୟ ସାମଗ୍ରୀ ପୁନଃବ୍ୟବହାରକ୍ଷମ ଭିତ୍ତିଭୂମି ଓ ସରକାରୀ ନିୟମ ପ୍ରବର୍ତ୍ତନ ବିନା ଏ ଜନିତ ପାରିବେଶିକ ସମସ୍ୟା ସେମିତି ବୃଦ୍ଧି ପାଉଥିବ। ଏଥିଯୋଗୁଁ ପରିସଂସ୍ଥାନ ଓ ଜଳବାୟୁ ଧାରା ବି ଅତିରିକ୍ତ ଭାରାକ୍ରାନ୍ତ ହେଉଥିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button