Third degree: ରାଜଧାନୀରେ ଥଣ୍ଡାର ଥାର୍ଡ ଡିଗ୍ରି
‘ଶୀତରେ ପୌଷ, ମାଘ ମାସ, ଦେହରେ ରଖ ଶୀତବାସ।’ ଏଥର ଶୀତଋତୁ ଭୁବନେଶ୍ବରିଆଙ୍କ ପାଇଁ ଏହି ଉକ୍ତିକୁ ସତ କରି ଦେଇଛି। ସେତେଟା ଶୀତର ଅନୁଭବ ରଖୁନଥିବା ରାଜଧାନୀବାସୀ ଏଥର....

ଭୁବନେଶ୍ବର: ‘ଶୀତରେ ପୌଷ, ମାଘ ମାସ, ଦେହରେ ରଖ ଶୀତବାସ।’ ଏଥର ଶୀତଋତୁ ଭୁବନେଶ୍ବରିଆଙ୍କ ପାଇଁ ଏହି ଉକ୍ତିକୁ ସତ କରି ଦେଇଛି। ସେତେଟା ଶୀତର ଅନୁଭବ ରଖୁନଥିବା ରାଜଧାନୀବାସୀ ଏଥର କିନ୍ତୁ ଥଣ୍ଡାର ଥାର୍ଡ ଡିଗ୍ରିରେ ଥରହର ହେଉଛନ୍ତି। ତିନିଦିନ ପୂର୍ବରୁ ୧୬ ଡିଗ୍ରି ପାଖାପାଖି ରହୁଥିବା ରାଜଧାନୀର ତାପମାତ୍ରା ସୋମବାର ରାତିରେ ୧୨.୯ ଡିଗ୍ରିକୁ ଖସିଥିବା ବେଳେ ଗତକାଲି ରାତିରେ ୧୦.୨ ଡିଗ୍ରି ଓ ଆଜି ସକାଳୁସକାଳୁ ୯.୪ ଡିଗ୍ରିକୁ ଖସିଛି। ସାଧାରଣ ଭାବେ ଏହି ସମୟରେ ରାଜଧାନୀର ସର୍ବନିମ୍ନ ରାତି ତାପମାତ୍ରା ୧୫ ଡିଗ୍ରି ରହିଥାଏ। କିନ୍ତୁ ଏଠାରେ ପାରଦ ସ୍ବାଭାବିକଠାରୁ ୫.୬ ଡିଗ୍ରି ସେଲ୍ସିୟସ୍ ଖସିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏତେ ଶୀତ ପାଇଁ ପ୍ରସ୍ତୁତ ନଥିବା ରାଜଧାନୀବାସୀଙ୍କ ପ୍ରାତଃଭ୍ରମଣ ଓ ରାତ୍ରି ଜୀବନ ଏକପ୍ରକାର ଠପ୍ ହୋଇଯାଇଛି। ଶୀତବସ୍ତ୍ର ବେପାର ଆକାଶ ଛୁଇଁଁଥିବା ବେଳେ ସଂଧ୍ୟା ହେଲେ ଚା, କଫି ଓ ସୁପ୍ ଦୋକାନ ସମ୍ମୁଖରେ ଭିଡ଼ ଜମୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜଧାନୀରେ ଚଳିତବର୍ଷ ରେକର୍ଡ ଶୀତ ଅନୁଭୂତ ହୋଇଛି। ୧୯୫୨ ଜାନୁଆରୀର ପୁନରାବୃତ୍ତି ୨୦୨୬ ଜାନୁଆରିରେ ହୋଇଛି। ଗତ ୧୪ ବର୍ଷରେ ସର୍ବନିମ୍ନ ରାତି ତାପମାତ୍ରାର ସାକ୍ଷୀ ହୋଇଛି ଭୁବନେଶ୍ୱର। ଖାଲି ଥଣ୍ଡା ନୁହେଁ କାଲୁଆ ପବନ ଭୁବନେଶ୍ୱରର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରାତି ୯ଟା ପରେ ରାସ୍ତାଘାଟ ଶୂନ୍ଶାନ୍ ହୋଇପଡୁଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀ ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।
କେବଳ ଭୁବନେଶ୍ବର ନୁହେଁ, କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ମଧ୍ୟ ଗତକାଲି ରାତିରେ ରେକର୍ଡ ହୋଇଛି। ଗତକାଲି ଭଳି ଆଜି ବି କଟକର ରାତିର ପାରଦ ସ୍ତର ୯.୬ ଡିଗ୍ରିରେ ଅଟକିଥିଲା। ଆସନ୍ତାକାଲି ମଧ୍ୟ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ଶୀତ ଲହରି ପ୍ରବାହିତ ହୋଇପାରେ। ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ପାଖାପାଖି ରହିବ ବୋଲି କୁହାଯାଉଛି। ତେବେ କୁହୁଡ଼ିର ସମ୍ଭାବନା ନଥିବା କୁହାଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଥିବା ବେଳେ ୨୦୧୯ରେ ୯.୮ଡିଗ୍ରି , ୨୦୨୦ରେ ୧୧.୭ ଡିଗ୍ରି, ୨୦୨୧ରେ ୧୦ ଡିଗ୍ରି, ୨୦୨୨ରେ ୧୨.୨ ଓ ୨୦୨୩ରେ ୧୨.୪ ଡିଗ୍ରି ରହିଥିଲା। ୨୦୨୪ ମସିହାରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରିକୁ ଖସିଥିବା ବେଳେ ୨୦୨୫ ମସିହାରେ ଡିସେମ୍ବର ୧୧ ତାରିଖରେ ରାଜଧାନୀର ସର୍ବନିମ୍ନ ପାରଦସ୍ତର ୧୧.୮ ଡିଗ୍ରି ରେକର୍ଡ ହୋଇଥିଲା।
ସୌଜନ୍ୟ ସମ୍ବାଦ




