Breaking News

ରୋଗର ସଠିକ୍ ନିଦାନ ହେଲା, ଟିକିନୀକୁ ଚିକିତ୍ସା ସହାୟତା ମିଳିଲା

ଭୁବନେଶ୍ଵର:  ଦାନଗଦି ବ୍ଲକ୍ ଅନ୍ତର୍ଗତ ଦେଦୁରୀ ସାହିର ଟିକିନୀ ନାଏକଙ୍କ ରୋଗ ଯନ୍ତ୍ରଣା ଓ ସଂଘର୍ଷ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ର ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ମିଶନ୍ ମୋଡ୍ ରେ ଉଦ୍ୟମ ଆରମ୍ଭ ହୋଇଥିଲା ।
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟ ଟିମ୍ ଟିକିନୀ ନାୟକଙ୍କ ଘରକୁ  ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପ୍ରାଥମିକ ପରୀକ୍ଷାରୁ ଜଣାପଡିଥିଲା ଯେ, ଟିକିନୀଙ୍କର ମେରୁଦଣ୍ଡ ତଳଭାଗ ପଛପଟ ଫୁଲିଯିବା ସହ ଭୀଷଣ ଯନ୍ତ୍ରଣା ହେଉଥିଲା । ତାଙ୍କୁ ତୁରନ୍ତ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଏକ୍ସ-ରେ ଫଟୋ କରାଯାଇ ପ୍ରାଥମିକ ଓ୍ୟୖଷଧ ଦିଆଯାଇଥିଲା । ଅଧିକ ପରୀକ୍ଷା ନିରୀକ୍ଷା ଓ ନିଦାନ ନିମନ୍ତେ ତାଙ୍କୁ ଯାଜପୁର ଜିଲ୍ଳା ଚିକିତ୍ସାଳୟକୁ ଆମ୍ବୁଲାନ୍ସ୍ ଯୋଗେ ପଠାଯାଇଥିଲା ।  ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଜୁନ୍ ମାସ ୨୬ ତାରିଖ ଦିନ ତାଙ୍କର ଅତ୍ୟାଧୂନିକ ସିବିନାଟ୍ (ସି.ବି.ଏନ୍.ଏ.ଏ.ଟି) ଓ ଅନ୍ୟାନ୍ୟ ନିଦାନ ପରୀକ୍ଷା ପୂର୍ବକ ସେ ଆକ୍ରାନ୍ତ ହୋଇଥିବା ରୋଗର ପ୍ରକାର ଓ ସ୍ଥିତି ନିର୍ଣ୍ଣୟ କରାଯାଇଥିଲା ।
ତୁରନ୍ତ ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଟିକିନୀଙ୍କୁ ସମସ୍ତ ଆବଶ୍ୟକୀୟ ଉଚ୍ଚମାନର ଓ୍ୟୖଷଧ ମାଗଣାରେ ଯୋଗାଇ ଦିଆଯାଇଛି । ଦାନଗଦି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି । ତାଙ୍କର ନାମ ନିକ୍ଷୟ ପୋର୍ଟାଲରେ ପଞ୍ଜିକରଣ କରାଯାଇ ପୃଷ୍ଟିକର ଖାଦ୍ୟ ପାଇଁ ମାସକୁ ୫ଶହ ଟଙ୍କାର ସହାୟତା ରାଶି ମିଳିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ମାଗଣା ଓ୍ୟୖଷଧ ଓ ଚିକିତ୍ସା ସହ ନିକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ପଥି ପାଇଁ ସେ ଚଳିତ ମାସଠାରୁ ଏହି ସହାୟତା ରାଶି ପାଇବେ । ଗରିବ ନିରାଶ୍ରୟ ମହିଳାଙ୍କର ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ର ପ୍ରଚେଷ୍ଟାକୁ ସ୍ଥାନୀୟ ବୁଦ୍ଧିଜିବୀ ଉଚ୍ଚ ପ୍ରଶଂସା କରିଛନ୍ତି । ଟିକିନୀ ନାଏକଙ୍କ ଗରିବ ମା’ ଓ ଭାଇଙ୍କ ସହ ଗ୍ରାମବାସୀ ସନ୍ତୋଷ ପ୍ରକଟ କରିଛନ୍ତି । ତାଙ୍କର କଥା ଦୃଷ୍ଟିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ଗଣମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Comments are closed.