‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ‘ଇଲେକ୍ଟ୍ରୋନିକ୍ ଜିହ୍ବା’ ବ୍ୟତିରେକେ ଉକ୍ତ ପରୀକ୍ଷାଗାରରେ ଆହୁରି ଅନେକ ପ୍ରକାର ଯନ୍ତ୍ରପାତି ବି ରହିଛି। କଞ୍ଚାମାଲ୍ ସବୁର ଶୁଦ୍ଧତା ଓ ସତେଜତା ପରଖିବା ପାଇଁ ଅଛି ବିଭିନ୍ନ ସେନ୍ସର୍। ଅଣୁଜୀବ ପରୀକ୍ଷା ନିମନ୍ତେ ରହିଛି ଆହୁରି କେତେକ ଉପକରଣ। କଞ୍ଚାମାଲ୍ରେ କୌଣସି ଧାତବ ପଦାର୍ଥ ମିଶିଯାଇଥିଲେ ଅଥବା କୀଟନାଶକ ଅବଶେଷ ରହିଯାଇଥିଲେ- ସେ ସବୁ ଚିହ୍ନଟ କରିବା ଲାଗି ମଧ୍ୟ ମେସିନ୍ ବସାଯାଇଛି। ଘିଅ, କାଜୁ, ଅଳେଇଚ, ଚିନି, ଆଲ୍ମଣ୍ଡ୍ ବାଦାମ, ଜିରା, ଜଳ, ଶୁଷ୍କ ଫଳ, ଚାଉଳ, କିସ୍ମିସ୍ ଓ ସୋଲା ଭଳି ୬୦ରୁ ଅଧିକ ଉପାଦାନ ଉକ୍ତ ପରୀକ୍ଷାଗାରରେ ଯାଞ୍ଚ କରାଯିବ।
ଆନ୍ଧ୍ରପ୍ରଦେଶ ସରକାର ଓ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆଙ୍କ ମିଳିତ ଉଦ୍ୟମରେ ତିରୁପତି ଜିଲ୍ଲା ଅନ୍ତର୍ଗତ ତିରୁମାଳାରେ ଏହି ନୂତନ ପରୀକ୍ଷାଗାର ସ୍ଥାପନ କରାଯାଉଛି। ‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ‘ଇଲେକ୍ଟ୍ରୋନିକ୍ ଜିହ୍ବା’ କିନ୍ତୁ, ଖାଦ୍ୟ ଶିଳ୍ପ କ୍ଷେତ୍ରରେ ନୂଆ ନୁହେଁ। ଖାଦ୍ୟ ଓ ପାନୀୟ ପରୀକ୍ଷା ନିମନ୍ତେ ଅନେକ ଦେଶ ଏହା ବ୍ୟବହାର କରୁଛନ୍ତି। ଦୁଗ୍ଧଜାତ ଉତ୍ପାଦ, ତୈଳ, ମସଲା, ଚା, କଫି ଓ ପ୍ୟାକେଜ୍ଡ ଫୁଡ୍ ଯାଞ୍ଚ କରିବା ନିମନ୍ତେ ଏହା ବ୍ୟବହୃତ ହେଉଛି। ଭେଜାଲ ଘିଅରେ ତିରୁମାଳା ମନ୍ଦିର ଲଡୁ ପ୍ରସ୍ତୁତ କରାଯାଉଛି ବୋଲି ପ୍ରମାଣିତ ହେବାରୁ ଏହି ପରୀକ୍ଷାଗାର ବସାଇବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ଖାଦ୍ୟ ପରୀକ୍ଷା ଅପେକ୍ଷାକୃତ ଦ୍ରୁତ ଏବଂ ସଠିକ୍ ହୋଇପାରିବ।

