Today is World Radio Day: ଆଜି ବିଶ୍ୱ ରେଡିଓ ଦିବସ: ଆରମ୍ଭ ହେଲା ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା
ଏକାମ୍ର ହାଟରେ ଆଉଟ୍ରିଚ୍ ପକ୍ଷରୁ ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ ସଂଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଗୁହା ପୁନମ ତାପସ କୁମାର, ନମସ୍କାର କମ୍ୟୁନିଟି ମିଡ଼ିଆ....

ଭୁବନେଶ୍ୱର: ଏକାମ୍ର ହାଟରେ ଆଉଟ୍ରିଚ୍ ପକ୍ଷରୁ ଦ୍ୱାଦଶ ଭୁବନେଶ୍ୱର ରେଡିଓ ମେଳା ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ ସଂଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଗୁହା ପୁନମ ତାପସ କୁମାର, ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କ ଅଧ୍ୟକ୍ଷ ଏନ୍.ଏ.ଶାହ ଅନସାରୀ, ବିଆଇଏସ୍ର ବରିଷ୍ଠ ନିର୍ଦ୍ଦେଶକ ଏକେ ପୁରୋହିତ ଯୋଗଦେଇଥିଲେ। ଅତିଥିମାନେ ସମୟ ସହିତ ରେଡିଓର ବ୍ୟବହାର କିଭଳି ବଦଳିଛି ସେ ସମ୍ପର୍କରେ ନିଜର ମତ ରଖିଥିଲେ। ଏହାସହ ଅତୀତରେ ରେଡିଓର ଅବଦାନ ଓ ବର୍ତ୍ତମାନ ସମୟରେ କମ୍ୟୁନିଟି ରେଡିଓର ଆବଶ୍ୟକତାକୁ ବଖାଣିଥିଲେ।
୩ହଜାର ପୁରୁଣା ରେଡିଓ, ଗ୍ରାମ୍ଫୋନ୍ ଓ ହାମ ରେଡିଓର ପ୍ରଦର୍ଶନୀ
ରେଡିଓ ସଜାଡ଼ିବାକୁ ବେଶି ଭିଡ଼
ମେଳାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍ ରେଡିଓ ପ୍ରଦର୍ଶିତ ହେଉଛି। ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ ଲୋକଙ୍କୁ ଆକୃଷ୍ଠ କରୁଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରେଡିଓ ସଂଗ୍ରାହକମାନେ ୩ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରକାର ରେଡିଓ ସେଟ୍ ବିକ୍ରି କରାଯାଉଛି। ବଜାରରେ ସାଧାରଣତଃ ରେଡିଓ ମିଳୁ ନଥିବା ବେଳେ ରେଡିଓ ମେଳାରେ ରେଡିଓ ସେଟ୍ ବିକ୍ରି ଓ ସଜଡ଼ା ଯାଉଥିବାରୁ ପ୍ରଥମ ଦିନରେ ଲୋକଙ୍କ ଗହଳି ଲାଗିଛି। ତେବେ ଦିଲ୍ଲୀରୁ ଆସିଥିବା ଏୟାରୱେଭସ୍ କମ୍ପାନି ତରଫରୁ ରେଡିଓ ଟ୍ରାନ୍ସମିଟର ଓ ପ୍ରସାରଣ ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏହି ଷ୍ଟଲ୍ରେ ରେଡିଓ ପ୍ରସାରଣ କିପରି ହୁଏ ତାହା ଦର୍ଶକମାନେ ଦେଖୁଛନ୍ତି। ସାଧାରଣତଃ ଲୋକଙ୍କୁ ଷ୍ଟୁଡିଓ ଭିତରକୁ ପ୍ରବେଶ ନଥିବାରୁ ଏହା ଲୋକଙ୍କୁ ବେଶି ଆକର୍ଷିତ କରୁଛି। ସେହିପରି ମୁମ୍ବାଇରୁ ଆସିଥିବା ଫୋନୋଗ୍ରାଫିକ୍ ପରଫରମାନ୍ସ ଇଣ୍ଡିଆ କମ୍ପାନି ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲ୍ ଜରିଆରେ ରେଡିଓରେ ଆଇନଗତ ଭାବେ ସଂଗୀତ ପ୍ରସାରଣ ଉପରେ ସଚେତନତା ସୃଷ୍ଟି କରାଯାଉଛି। ରେଡିଓ ପ୍ରସାରକ ଅଶୋକ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।
ରେଡିଓ ଚରିତ୍ର ବଦଳାଇଛି ପରିଚୟ ନୁହେଁ
ଭୁବନେଶ୍ବର: ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଦିନ ଥିଲା ରେଡିଓ ଥିଲା ଖବର ପରିବେଷଣର ଏକମାତ୍ର ମାଧ୍ୟମ। ଏକବିଂଶ ଶତାବ୍ଦୀରେ ରେଡିଓର ବ୍ୟବସାୟୀକରଣ ହୋଇଛି। କମ୍ୟୁନିଟି ରେଡିଓ ସହ ଏଫ୍ଏମ୍ର ଚାହିଦା ବଢ଼ିଛି। ଆଞ୍ଚଳିକସ୍ତରରେ ଶ୍ରୋତାଙ୍କ ହୃଦୟ ଜିଣିବାକୁ ବେସରକାରୀ କମ୍ପାନିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଫଳରେ ଏହାର ଫାଇଦା ସାମାଜିକ ବ୍ୟବସ୍ଥାକୁ ମଧ୍ୟ ମିଳିଛି। ବିଶେଷ କରି କରୋନା ମହାମାରୀ ଭଳି ସମୟରେ ଜନସଚେତନତା ପାଇଁ ସାଧନ ଆବଶ୍ୟକ ପଡୁଥିବାବେଳେ ରେଡିଓ ଅନ୍ୟତମ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବେ ଲୋକମାନଙ୍କର ନିକଟତର ହୋଇପାରିଛି। ମନୋରଂଜନର ଏକ ବଡ଼ ମାଧ୍ୟମ ବି ହୋଇ ପାରିଛି। ରେଡିଓ ଉପରେ ଏବେ ବି ବିଶ୍ବାସ ବଳବତ୍ତର ରହିଛି। ତେଣୁ ରେଡିଓ ଭଳି ଏକ ପୁରୁଣା ମନୋରଞ୍ଜନର ମାଧ୍ୟମ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୧୩ରେ ବିଶ୍ୱ ରେଡିଓ ଦିବସ ପାଳିତ ହେଉଛି।
ରେଡିଓ ଥିଲା, ରହିଛି, ରହିବ
ରେଡିଓ ଅତ୍ୟନ୍ତ ବିଶ୍ବସନୀୟ। ଖବର ପରିବେଷଣ କରିବା ପୂର୍ବରୁ ଖବରକୁ ତନ୍ନତନ୍ନ କରି ଯାଞ୍ଚ କରେ। ବିଶ୍ବାସ ଥିଲା ରେଡିଓ ସତ କହୁଛି। ସେତେବେଳ ରେଡିଓ ଗୋଟିଏ ନୀତିରେ ଚାଲୁଥିଲା। ଏହାକୁ ପାଳନ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିଲା। ହେଲେ ଏବେ ଏହା ସତ କହୁଛି ବୋଲି କିଏ ନିର୍ଧାରଣ କରିବ। ଏବେ ଶ୍ରୋତାମାନଙ୍କୁ ବାନ୍ଧିରଖିବାକୁ ନେଇ ଆପଣାଯାଉଥିବା ପଦ୍ଧତି ଚିରସ୍ଥାୟୀ ନୁହେଁ। ସତ୍ୟତା, ବିଶ୍ବସନୀୟତା, ଆନନ୍ଦ ଦେବା ଭଳି କାର୍ଯ୍ୟକ୍ରମ ସହିତ ସଭ୍ୟତା, ସଂସ୍କୃତି ଓ ପରମ୍ପରା ସମ୍ବଳିତ ତଥ୍ୟ ଶ୍ରୋତାମାନଙ୍କ ନିକଟରେ ପହଞ୍ଚି ପାରିଲେ ତାହା ସେମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେବ। ତେବେ ସମୟ ସହିତ ତାଳ ଦେଇ ରେଡିଓରେ ଅନେକ ପରିବର୍ତ୍ତନ ହୋଇଛି। ଏଫ୍ଏମ୍ ରେଡିଓ ଆସିବା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଦକ୍ଷତା ବଢ଼ାଇପାରିଲେ ଯୁବପିଢ଼ିଙ୍କ ପାଇଁ ଅନେକ ସୁଯୋଗ ରହିଛି। ରେଡିଓ ରହିଛି, ରହିବ, ତେବେ ଏହା ସହିତ ସଂପୃକ୍ତ ହୋଇ ରହିବା ଆମ ସମସ୍ତଙ୍କର କାମ।
କମ୍ୟୁନିଟି ରେଡିଓ ପାଇଁ ସରକାରୀ ସହାୟତା ଲୋଡ଼ା
ଦେଶରେ କମ୍ୟୁନିଟି ରେଡ଼ିଓ ୫୫୦ରୁ ଅଧିକ କାମ କରୁଛି। ଓଡ଼ିଶାର ୨୭ ଜିଲ୍ଲାରେ ୪୬ କମ୍ୟୁନିଟି ରେଡିଓ କାମ କରୁଛି। ଓଡ଼ିଶାର ୨୭ ପ୍ରତିଶତ ଶ୍ରୋତାଙ୍କ ପାଖରେ ରେଡିଓ ପହଞ୍ଚୁଛି। ଉପାନ୍ତରେ ଏବେବି ଲୋକଙ୍କ ପାଖରେ ରେଡିଓ ଏକମାତ୍ର ମାଧ୍ୟମ ହୋଇଛି। କମ୍ୟୁନିଟି ରେଡିଓକୁ ସରକାର ବ୍ୟବହାର କରିବା ଆବଶ୍ୟକ। ପ୍ରତି ବ୍ଲକ୍ରେ ଏହାକୁ କୃଷି, ସାମାଜିକ ସଚେତନତା ପାଇଁ ଏହାର ବ୍ୟବହାର କଲେ ରେଡିଓ ପୁଣି ଲୋକଙ୍କ ବିଶ୍ବାସ ଭାଜନ ହେବ। କମ୍ୟୁନିଟି ରେଡିଓମାନଙ୍କୁ ସରକାରୀ ସୁବିଧା ମିଳିବା ଆବଶ୍ୟକ।
ଏନ୍. ଏ. ଶାହା ଅନସାରୀ
ନମସ୍କାର କମ୍ୟୁନିଟୀ ମିଡ଼ିଆ ନେଟୱର୍କ, ଅଧ୍ୟକ୍ଷ
ସୌଜନ୍ୟ ସମ୍ବାଦ




