Breaking News

ସୁଯୋଗ ଅଛି; ପ୍ରୋତ୍ସାହନ ନାହିଁ କନ୍ଧମାଳ​ରେ ପର୍ୟ୍ୟଟନ ଶିଳ୍ପ ସ୍ଥାଣୁ

0

ଫୁଲବାଣୀ: କନ୍ଧମାଳ ଜିଲାକୁ ପ୍ରକୃତିର ଅବଦାନ ଅତୁଳନୀୟ। ଏହାର ସବୁଜ ଅରଣ୍ୟ, ଜୀବଜନ୍ତୁ, ସୁନ୍ଦର ପରିବେଶ ଏବଂ ସର୍ପିଳ ଘାଟି ରାସ୍ତା ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ। କଫି ଗାର୍ଡ଼େନର ଦୃଶ୍ୟ, ପାଇନ ଜଙ୍ଗଲ, ସୁଉଚ୍ଚ ପାହାଡ଼ ପାର୍ଶ୍ବ ଦେଇ ଯାତ୍ରା ବେଳେ ରାସ୍ତା କଡ଼ରେ ବହି ଯାଉଥିବା ଝରଣାର ନିନାଦ ଓ ଆଦିବାସୀଙ୍କ ଜୀବନ ଶୈଳୀ ପର୍ୟ୍ୟଟକଙ୍କୁ ଟାଣିଥାଏ। ଶୀତଦିନେ ତୁଷାରପାତ ଦେଖିବାକୁ ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟାରେ ପର୍ୟ୍ୟଟକ ଏଠାକୁ ଆସିଥାନ୍ତି। ଜିଲାର ପ୍ରତ୍ୟେକ ସ୍ଥାନରେ ଭରି ରହିଥିବା ପ୍ରକୃତିର ଅପରୂପ ସମ୍ଭାର ଦ୍ୱାରା ଏଠାରେ ସୃଷ୍ଟି ହୋଇଛି ଅନେକ ପର୍ୟ୍ୟଟନ କେନ୍ଦ୍ର। ପର୍ୟ୍ୟଟନ କ୍ଷେତ୍ରରେ ରୋଜଗାର ପାଇଁ ଗଦା ଗଦା ସୁଯୋଗ ରହିଛି। କିନ୍ତୁ ପ୍ରୋତ୍ସାହନ ଅଭାବରୁ ଆଜି ପର୍ୟ୍ୟନ୍ତ କନ୍ଧମାଳ ଜିଲାର ଜଣେ ମଧ୍ୟ ଯୁବକ କିମ୍ବା ଯୁବତୀ ପର୍ୟ୍ୟଟନକୁ ଆଧାର କରି ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ହାତ ଗଣତି କିଛି ହୋଟେଲ ବ୍ୟବସାୟୀଙ୍କୁ ଛାଡ଼ିଦେଲେ କେହି ଜଣେ ସ୍ଥାୟୀ ରୋଜଗାରକ୍ଷମ ହୋଇ ନାହାନ୍ତି ।

କନ୍ଧମାଳ ଜିଲାରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ। ଜିଲାର ଏଭଳି ଅନେକ ପର୍ୟ୍ୟଟନ ସ୍ଥଳ ରହିଛି ଯେଉଁଠିକି ଆଜି ପର୍ୟ୍ୟନ୍ତ ଯିବାକୁ ରାସ୍ତା ନାହିଁ। କେବଳ ପର୍ୟ୍ୟଟନ ଋତୁ ଆସିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‍ ନିର୍ମାଣ କରାଯାଉଛି ଓ ତିନିମାସ ପରେ ତାହାର ସ୍ଥିତି ଯଥା ପୂର୍ବ ତଥା ପରଂ। ଦୀର୍ଘ ବର୍ଷ ତଳେ କନ୍ଧମାଳ ଜିଲାର ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ପର୍ୟ୍ୟଟନ କ୍ଷେତ୍ରରେ ରୋଜଗାରକ୍ଷମ କରିବା ପାଇଁ ୭ ଦିନିଆ ଗାଇଡ ତାଲିମ୍‍ ପ୍ରଦାନ କରାଯାଇଥିଲା। ତାଲିମ ନେବା ପରେ ସେହି ସମୟରେ କିଛି ଯୁବକ ଓ ଯୁବତୀ ଯତ୍‌କିଞ୍ଚିତ ରୋଜଗାରକ୍ଷମ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଶିଥିଳ ପଡିଗଲା।

ପର୍ୟ୍ୟଟକମାନେ ଯେପରି ସୁବିଧାରେ ରହିପାରିବେ ସେଥିପାଇଁ ଫୁଲବାଣୀସ୍ଥିତ ପର୍ୟ୍ୟଟନ କାର୍ୟ୍ୟାଳୟ ପରିସରରେ ବିପୁଳ ବ୍ୟୟରେ ସ୍ୱତନ୍ତ୍ର କୋଠରି ନିର୍ମାଣ କରାଯାଇଛି। କିନ୍ତୁ ରିପୋର୍ଟ ପ୍ରକାରେ ନିର୍ମାଣ ହେବା ଦିନଠାରୁ ଆଜି ପର୍ୟ୍ୟନ୍ତ ଉକ୍ତ କୋଠରିଗୁଡ଼ିକରେ ଜଣେ ମଧ୍ୟ କେହି ରହିନଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ବର୍ଷ ବର୍ଷ ଧରି ତାଲା ପଡ଼ିଛି। କେତେକ କୋଠରୀ ଭାଙ୍ଗିରୁଜି ଗଲାଣି। ଦୀର୍ଘବର୍ଷ ତଳେ ତତ୍କାଳୀନ ପର୍ୟ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କନ୍ଧମାଳ ମହୋତ୍ସବରେ ଯୋଗଦେବା ଅବସରରେ ଜିଲାର ପର୍ୟ୍ୟଟନ ସ୍ଥଳଗୁଡିକର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ଅନୁଦାନ ମଧ୍ୟ ଆସିଥିଲା । ସେହି ଅନୁଦାନରେ ନିର୍ମିତ ହୋଇଥିବା ଅନେକ ପର୍ୟ୍ୟଟନ କେନ୍ଦ୍ର ମଧ୍ୟରୁ ବେଲଘର ଠାରେ ନିର୍ମାଣ ହୋଇଥିବା ପର୍ୟ୍ୟଟକ ରହଣିସ୍ଥଳ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ବିଭିନ୍ନ ସମୟରେ ଜିଲା ଗସ୍ତରେ ଆସୁଥିବା ରାଜ୍ୟସ୍ତରୀୟ ଅଧିକାରୀ, ନେତା ଓ ମନ୍ତ୍ରୀ ଏ ଦିଗରେ କେବେ ବି ସମୀକ୍ଷା କରି ନାହାନ୍ତି। ଜିଲାର କୋଟଗଡ଼ , ତୁମୁଡ଼ିବନ୍ଧ , ରାଇକିଆ , ଫୁଲବାଣୀ, ଖଜୁରିପଡ଼ା, ଟିକାବାଲି, ଚକାପାଦ, ଫିରିଙ୍ଗିଆ ଭଳି ଅନେକ ଅଞ୍ଚଳରେ ଥିବା ପର୍ୟ୍ୟଟନ ସ୍ଥଳଗୁଡ଼ିକର ବିକାଶ ପାଇଁ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନି। ଭିତ୍ତିଭୂମି ଅସଜଡ଼ା ଯୋଗୁ କନ୍ଧମାଳ ଜିଲାକୁ ପର୍ୟ୍ୟଟକଙ୍କ ଆଶାତୀତ ଆଗମନ ହେଉନି। ଦାରିଙ୍ଗବାଡ଼ି, ଚକାପାଦ , ପୁତୁଡ଼ି ଜଳ ପ୍ରପାତ , ରାଇକିଆର ମଣ୍ଡାସୁର, ବଲସକୁମ୍ପାର ବରାଳଦେବ ମନ୍ଦୀର , ବଲସକୁମ୍ଫା ଡ଼୍ୟାମ୍‍ , ତୁମିଡ଼ିବନ୍ଧର ବେଲଘର , କୋଟଗଡ଼ର ଲୁଦୁ ଜଳ ପ୍ରପାତ , ଫୁଲବାଣୀ ନିକଟସ୍ଥ ପକଡ଼ାଝର , କାଟ୍ରାମାଲା , ଜି.ଉଦୟଗିରି ସ୍ଥିତ କାଲିଗାଡ଼ୁର ମୁକୁଲିଙ୍ଗିଆ ଏବଂ ସିର୍କି ପାର୍କ ଭଳି ଆହୁରି ଅନେକ ପର୍ୟ୍ୟଟନ ସ୍ଥଳ ରହିଛି।

ଗମନାଗମନ ସମସ୍ୟା କାରଣରୁ ଆଜି ପର୍ୟ୍ୟନ୍ତ ଫିରିଙ୍ଗିଆ ବ୍ଳକର କଟାଙ୍ଗସ୍ଥିତ କଟାଙ୍ଗପାହାଡ଼ ଲୋକଲୋଚନକୁ ଆସିପାରିନାହିଁ। ଗୋଟିଏ ପଟେ ଗଦା ଗଦା ସମସ୍ୟା ଲାଗି ରହିଥିବା ବେଳେ ଅନ୍ୟପଟେ ଆଜି ପର୍ୟ୍ୟନ୍ତ ଜିଲାରେ କୌଣସି ସ୍ଥାୟୀ ପର୍ୟ୍ୟଟନ ଅଧିକାରୀ ନଥିବାରୁ ଜିଲାର ପର୍ୟ୍ୟଟନସ୍ଥଳଗୁଡିକର ବିକାଶ ଅଟକି ଯାଇଛି।

Leave A Reply

Your email address will not be published.