ଜଳବାୟୁ

Tragic Accident: ବାପାଙ୍କୁ ଶେଷ ଫୋନ: ମୁଁ ମରିବାକୁ ଚାହୁଁନି, ମୋତେ ବଞ୍ଚାଇଦିଅ… କୁହୁଡ଼ି ପାଇଁ ଦୁର୍ଘଟଣା ପରେ ଇଞ୍ଜିନିୟରଙ୍କ ଶେଷ କଲ୍

ଘନ କୁହୁଡ଼ି ଯୋଗୁ ନୋଏଡାର ଜଣେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟରଙ୍କ କାର୍‌ ଏକ ଡ୍ରେନର ପାଚେରିରେ ଧକ୍କା ଖାଇ ଗଭୀର ଖାତକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁ ନୋଏଡାର ଜଣେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟରଙ୍କ କାର୍‌ ଏକ ଡ୍ରେନର ପାଚେରିରେ ଧକ୍କା ଖାଇ ଗଭୀର ଖାତକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଶୁକ୍ରବାର ରାତିରେ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟା କାମରୁ ଘରକୁ ଫେରୁଥିବା ସମୟରେ ସେକ୍ଟର ୧୫୦ ନିକଟରେ ଦୁର୍ଘଟଣା ଘଟିଥିଲା।

ଘନ କୁହୁଡ଼ି ଏବଂ ରାସ୍ତାରେ ରିଫ୍ଲେକ୍ଟର ନଥିବା ଯୋଗୁଁ ତାଙ୍କ କାର ଦୁଇଟି ସଂଲଗ୍ନ ଡ୍ରେନେଜ୍ ବେସିନ୍‌କୁ ପୃଥକ କରୁଥିବା ଏକ ପାଚେରି ସହିତ ଧକ୍କା ହୋଇଥିଲା ଏବଂ ପାଣିରେ ଭର୍ତ୍ତି ୭୦ ଫୁଟ ଗଭୀର ଖାତରେ ପଡ଼ିଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ମେହେଟ୍ଟାଙ୍କ ଚିତ୍କାର ଶୁଣି ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କାରଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଯୁବରାଜ ତାଙ୍କ ବାପା ରାଜକୁମାର ମେହେଟ୍ଟାଙ୍କୁ ଫୋନ୍ କରି କହିଥିଲେ, ‘ବାପା ପାଣି ଭର୍ତ୍ତି ଏକ ଗଭୀର ଖାତକୁ ମୁଁ ଖସି ପଡ଼ିଛି। ମୁଁ ବୁଡ଼ିଯିବି, ମୁଁ ମରିବାକୁ ଚାହୁନି, ଯଲଦି ଆସି ମୋତେ ବଞ୍ଚାଅ।…’

କିଛି ମିନିଟ ଭିତରେ ସ୍ଥାନୀୟ ପୁଲିସ, ବୁଡ଼ାଳି ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯୁବରାଜଙ୍କ ବାପା ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପାଞ୍ଚ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ପରେ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ ଗାଡ଼ି ଖାତରୁ ବାହାର କରାଯାଇଥିଲା ଓ ଯୁବରାଜଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ଯୁବରାଜଙ୍କ ପରିବାର ପକ୍ଷରୁ ପ୍ରଶାସନ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କର୍ତ୍ତୃପକ୍ଷ ରାସ୍ତାରେ ନା ରିଫ୍ଲେକ୍ଟର ଲଗାଉଛନ୍ତି, ନା ଡ୍ରେନ୍‌କୁ ଘୋଡ଼ାଇ ରଖୁଛନ୍ତି। ନଲେଜ ପାର୍କ ପୁଲିସ ଷ୍ଟେସନ ଇନଚାର୍ଜ ସର୍ବେଶ କୁମାର କହିଛନ୍ତି, କର୍ତ୍ତୃପକ୍ଷଙ୍କ ଅବହେଳାର ତଦନ୍ତ କରାଯିବ ଓ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ରିଫ୍ଲେକ୍ଟର ତଥା ସର୍ଭିସ ରୋଡରେ ସାଇନବୋର୍ଡ଼ ଲଗାଇବାକୁ ଦାବି କରିଥିଲେ। ଏହି ଘଟଣାପରେ କର୍ତ୍ତୃପକ୍ଷ ସେହି ଖାତକୁ ଅଳିଆ ଓ ଭଗ୍ନାବଶେଷ ଦ୍ବାରା ଭର୍ତ୍ତି କରିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button