ଓଡିଶା

Trial by fire for three teams: ତିନି ଦଳ ପାଇଁ ଅଗ୍ନି ପରୀକ୍ଷା: ନେତାଙ୍କୁ ଥଇଥାନ ନକଲେ ବିଜେପି ଅଡ଼ୁଆ ବଢ଼ିବ

୨୦୨୪ ସାଧାରଣ ନିର୍ବାଚନକୁ ଦେଢ଼ବର୍ଷ ପୂରିଗଲାଣି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଉ ବର୍ଷେ ବାକି ଅଛି। ୨୦୨୬ ହିଁ ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ। ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରି ଏକ ସକାରାତ୍ମକ ଭାବମୂର୍ତ୍ତି ତିଆରି କରିବା ରାଜ୍ୟ ବିଜେପିର ବଡ଼ ଦାୟିତ୍ବ।

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦେଢ଼ବର୍ଷ ପୂରିଗଲାଣି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଉ ବର୍ଷେ ବାକି ଅଛି। ୨୦୨୬ ହିଁ ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ। ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରି ଏକ ସକାରାତ୍ମକ ଭାବମୂର୍ତ୍ତି ତିଆରି କରିବା ରାଜ୍ୟ ବିଜେପିର ବଡ଼ ଦାୟିତ୍ବ। ଆଭ୍ୟନ୍ତରୀଣ କନ୍ଦଳରେ ଇତଃସ୍ତତଃ ହୋଇଯାଉଥିବା ମୁଖ୍ୟ ବିରୋଧୀ ଦଳ ବିଜେଡି ନିଜର ବିଶାଳ ସଂଗଠନକୁ ଧରି ରଖିବା ବଡ଼ ଚ୍ୟାଲେଞ୍ଜ। ଜାତୀୟ ସ୍ତରରେ ବିଜେପିକୁ ଶାଣିତ ଆକ୍ରମଣ କରି ଅଡ଼ୁଆରେ ପକାଉଥିବା କଂଗ୍ରେସ ଓଡ଼ିଶାରେ ନିଜକୁ ଦୃଢ଼ ଭାବେ ଉପସ୍ଥାପିତ କରିବା ମଧ୍ୟ ଏକ ବଡ଼ କାମ। ରାଜ୍ୟରେ ପ୍ରଥମ ଥର ଏକାକୀ କ୍ଷମତା ଦଖଲ କରିଛି ବିଜେପି। କିନ୍ତୁ ଦଳ ଓ ସରକାର ମଧ୍ୟରେ ସମନ୍ବୟ ରକ୍ଷା କରି କାମ କରିବା ଏତେ ସହଜ ହେଉ ନାହିଁ। ଯେଉଁଥି ପାଇଁ ଅନେକ ସମୟ‌ରେ ସରକାର ଅପଦସ୍ଥ ହେଉଛନ୍ତି। ନେତାମାନଙ୍କୁ ଥଇଥାନ କରାଯାଉ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନୁଭବୀ ନେତା ମନମୋହନ ସାମଲ ପୁନର୍ବାର ଦଳର ସଭାପତି ଭାବେ ୨୦୨୫ରେ ଦାୟିତ୍ବ ଗ୍ରହଣ କରିଛନ୍ତି। କିନ୍ତୁ ଲମ୍ବା ସମୟ ଧରି ଦଳରେ ରହି ନିଷ୍ଠାପର ଭାବେ ସାଂଗଠନିକ କାମ କରୁଥିବା ନେତାମାନଙ୍କ ଆଶା ଏ ଯାଏଁ ପୂରଣ ହୋଇପାରି ନାହିଁ। ସେମାନେ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଚାହିଁ ବସିଛନ୍ତି। ପୁଣି ଜିଲ୍ଲା ଯୋଜନା ବୋର୍ଡ, ବିଭିନ୍ନ ମନ୍ଦିର କମିଟି ଆଦିରେ ନେତା ଥଇଥାନ ହେବେ। ଯଦି ସରକାର ଆସିଲା ପରେ ଏ ଦିଗରେ ଦଳ ତ୍ବରିତ ପଦକ୍ଷେପ ନେଇଥା’ନ୍ତା, ତେବେ ପାଞ୍ଚ ବର୍ଷରେ ନିଶ୍ଚିତ ଭାବେ ଦୁଇଟି ପର୍ଯ୍ୟାୟରେ ବହୁ ନେତାଙ୍କୁ ସୁଯୋଗ ମିଳିପାରିଥା’ନ୍ତା। କିନ୍ତୁ ଏହା ମଧ୍ୟରେ ଦେଢ଼ବର୍ଷରୁ ଅଧିକ ସମୟ ବିତିଗଲାଣି। ସମୟ ଗଡ଼ି ଚାଲୁଥିବାରୁ ନେତାମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ସରକାରଙ୍କ ଭାବମୂର୍ତ୍ତି ବଢ଼ାଇବାରେ ଦଳୀୟ ନେତାଙ୍କର ବଡ଼ ଭୂମିକା ଥିଲା ବେଳେ ଏପରି ବିଳମ୍ବ ଆଗକୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ସେହିପରି ୨୦୨୪ ନିର୍ବାଚନରେ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ଏ ଯାଏଁ ଆଖିଦୃଶିଆ ହୋଇ ନାହିଁ। ନା ଓଡ଼ିଆ ଭାଷାରେ ରାଜ୍ୟର ଶାସନ ହେଉଛି ନା ଓଡ଼ିଆ ଅସ୍ମିତାର ଧ୍ବଜା ଉଡ଼ାଇବା ପାଇଁ କିଛି ବଡ଼ ପଦକ୍ଷେପ ନିଆଯାଇଛି। ସେହିପରି ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ସରକାର ବାରମ୍ବାର ଘୋଷଣା କରିଛନ୍ତି। କେତେବେଳେ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ହେବା କଥା କହୁଛନ୍ତି ତ କେତେବେଳେ ପିଇବା ପାଣିର ଠିକା କାମର ଅନୁସନ୍ଧାନ ହେବ କହୁଛନ୍ତି। କିନ୍ତୁ ଦେଢ଼ବର୍ଷ ଭିତରେ କି ତଦନ୍ତ ହେଲା, କିଏ ଦୋଷୀ ହେଲା, ସାଧାରଣ ଲୋକ ଜାଣିପାରୁ ନାହାନ୍ତି। ଏସବୁ ପାଇଁ ସରକାର ଯୋଜନାବଦ୍ଧ ରଣନୀତି ନ କଲେ ଆଗକୁ ତାହା ବୁମେରାଂ ହେବାର ଆଶଙ୍କା ରହିଛି।

ନେତାଙ୍କୁ ଥଇଥାନ ନକଲେ ବିଜେପି ଅଡ଼ୁଆ ବଢ଼ିବ

ଦଳୀୟ କନ୍ଦଳ ନିୟନ୍ତ୍ରଣ କରିବା ବିଜେଡି ପାଇଁ କଷ୍ଟ

କଂଗ୍ରେସ ଆର୍ ପାର୍ ଲଢ଼େଇ କରିପାରିବ ତ?

ମୁଖ୍ୟ ବିରୋଧୀ ଦଳ ବିଜେଡିର ସ୍ଥିତି ଆହୁରି ସଙ୍ଗିନ। ନବୀନ ପଟ୍ଟନାୟକ ୨୦୨୫ରେ ପୁନର୍ବାର ଦଳର ସଭାପତି ଭାବେ ମନୋନୀତ ହୋଇଛନ୍ତି। କ୍ଷମତାରେ ଥିଲା ବେଳେ ଓ କ୍ଷମତାରୁ ଗଲା ପରେ ଏବେ ବି ବିଜେଡିରେ ନବୀନ ସର୍ବେସର୍ବା, ତାହା ସ୍ପଷ୍ଟ। କିନ୍ତୁ ନବୀନଙ୍କ ନେତୃତ୍ବର ପୂର୍ବ ଚମକ୍ ଆଉ ନାହିଁ। ନା କାହାରିକୁ ମନାଇ ପାରୁଛନ୍ତି ନା କାହାକୁ ନାଲି ଆଖି ଦେଖାଇପାରୁଛନ୍ତି। ନବୀନଙ୍କ ନାଁରେ ଭୋଟ ମଧ୍ୟ କମିଯାଉଛି, ଯାହା କି ନୂଆପଡ଼ା ଉପନିର୍ବାଚନରେ ପ୍ରମାଣିତ ହେଲା। ବୟସାଧିକ୍ୟ ଯୋଗୁ ସକ୍ରିୟତାର ସହ କାମ କରିବା ନବୀନଙ୍କ ପକ୍ଷେ ସମ୍ଭବ ହେଉ ନଥିବା ଜଳଜଳ ଦେଖାଯାଉଛି। ଦଳର ନେତାମାନେ ନିଜର ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ସେମାନେ ଦିଗହରା ହୋଇ କାମ କରୁଛନ୍ତି। ବିଭିନ୍ନ ସମୟରେ ମେଳି ଚାଲିଥିଲେ ବି କେହି କୂଳକିନାରା ପାଉ ନାହାନ୍ତି। ବରିଷ୍ଠ ନେତାମାନଙ୍କ ବୟାନବାଜି ଦଳକୁ ଆହୁରି ଅପ୍ରୀତିକର ପରିସ୍ଥିତିରେ ପକାଉଛି। କେହି ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କରୁ ନଥିଲେ ବି ସେମାନେ ଯେ ପରୋକ୍ଷରେ ନବୀନଙ୍କ ନିଷ୍ପତ୍ତିକୁ ଅଙ୍ଗୁଳି ଉଠାଉଛନ୍ତି, ତାହା ଆଉ ବୁଝିବାକୁ ବାକି ନାହିଁ। ନବୀନଙ୍କ ନେତୃତ୍ବ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି, ସେହି ବାର୍ତ୍ତା ତୃଣମୂଳ ସ୍ତରକୁ ଚାଲିଗଲାଣି। ଦଳର ସଂଗଠନ ଦୋହଲିଯିବା ସ୍ଥିତିରେ ପହଞ୍ଚିଗଲାଣି। ଗୋଟିଏ ପରେ ଗୋଟିଏ ବ୍ଲକ୍ ବି ହାତରୁ ଖସିଗଲାଣି। ଏମିତି ସ୍ଥିତିରେ ବିଜେଡିକୁ ବାସ୍ତବରେ ୧୦୦ ବର୍ଷ ପର୍ଯ୍ୟନ୍ତ ରଖିବା ପାଇଁ କି ରଣନୀତି କରାଯାଉଛି, ତାହା ୨୦୨୬ରେ ଜଣାପଡ଼ିବ।

 

କଂଗ୍ରେସର ଅନ୍ତଃକନ୍ଦଳରେ ଯବନିକା ପଡ଼ିବାର ନାଁ ଧରୁନି। ୨୦୨୫ରେ ଭକ୍ତଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି କରାଗଲା। ଦଳର ସଂଗଠନକୁ ସକ୍ରିୟ କରିବା ପାଇଁ ଭକ୍ତ ବେଶ୍ ତତ୍ପରତା ଦେଖାଇଛନ୍ତି। ଅନେକ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣି ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ କରୁଥିବାର ସମସ୍ତେ ଅନୁଭବ କରୁଥିଲେ। ବିଜେଡି ଏବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିଲେ ମଧ୍ୟ କଂଗ୍ରେସ ପ୍ରଭାବୀ ଢଙ୍ଗରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଥିଲା। ରାହୁଲ ଗାନ୍ଧୀ ଭୁବନେଶ୍ବର ଆସି ନେତାମାନଙ୍କୁ ବଳ ଦେଇଥିଲେ। କିନ୍ତୁ କଂଗ୍ରେସ ପ୍ରତି ଧାରଣା ବଦଳୁଥିଲେ ବି ତାହା ଯେ ଭୋଟରେ ରୂପାନ୍ତରିତ ଏ ଯାଏଁ ହୋଇପାରିନି, ତାହା ନୂଆପଡ଼ା ଉପନିର୍ବାଚନ ପ୍ରମାଣିତ କରିଦେଲା। ନୂଆପଡ଼ାରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଲା ସତ, କିନ୍ତୁ କଂଗ୍ରେସ ପ୍ରାର୍ଥୀ ଗତ ନିର୍ବାଚନରେ ସ୍ବାଧୀନ ଭାବେ ଯେତିକି ଭୋଟ ପାଇଥିଲେ ତାହାଠାରୁ କମ୍ ପାଇଲେ। ତେଣୁ କଂଗ୍ରେସ ପାଇଁ ଏହି ଦ୍ବିତୀୟ ସ୍ଥାନ ଆଦୌ ଆଶ୍ବସ୍ତି ଆଣି ନଥିଲା। ପୁଣି ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ରାସ୍ତାକୁ ଆସିଗଲାଣି। ବରିଷ୍ଠ ନେତା ମହମ୍ମଦ ମୋକିମ ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳ ଭିତରେ ନେତୃତ୍ବକୁ ନେଇ ବୟାନବାଜି ବି ଆରମ୍ଭ ହୋଇଗଲାଣି। ଦଳର ଛକାପଞ୍ଝା ଏବେ ଖୋଲାଖୋଲି ଆଗକୁ ଆସିଲାଣି। ତେଣୁ ସବୁ ବରିଷ୍ଠ ନେତାଙ୍କୁ ମନାଇ ଏବଂ ଯୁବ ନେତାଙ୍କୁ ଆଗକୁ ଆଣି କଂଗ୍ରେସକୁ କିପରି ସଭାପତି ଉପସ୍ଥାପିତ କରିବେ, ତାହା ୨୦୨୬ରେ ଏକ ବଡ଼ ଆହ୍ବାନ ହେବ। ଏହି ବର୍ଷ ହିଁ ଜଣାପଡ଼ିଯିବ ବିଜେପି ବିରୋଧରେ ଆର୍ ପାର୍ ଲଢ଼େଇ ପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରିଲାଣି ନା ନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button