ବିଶେଷ

Tribal: ଭିଟାମାଟି ହରାଇ ପରିଚୟ ଖୋଜୁଛନ୍ତି ଆଦିବାସୀ

ଇନ୍ଦ୍ରାବତୀ ପ୍ରକଳ୍ପରେ ଭିଟାମାଟି ହରାଇ ନିଜ ପରିଚୟ ଖୋଜୁଥିବା ଆଦିବାସୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସେବା ଏବେ ବି ସ୍ବପ୍ନ। ଭୋକର ଭୂଗୋଳରୁ ସବୁଜ ସଫଳ କରିଥିବା ବିସ୍ଥାପିତଙ୍କୁ ସମସ୍ତେ ଭୁଲିଯିବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି।

ଦେବେନ୍ଦ୍ର କୁମାର ବିଶି

ଭବାନୀପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପରେ ଭିଟାମାଟି ହରାଇ ନିଜ ପରିଚୟ ଖୋଜୁଥିବା ଆଦିବାସୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସେବା ଏବେ ବି ସ୍ବପ୍ନ। ଭୋକର ଭୂଗୋଳରୁ ସବୁଜ ସଫଳ କରିଥିବା ବିସ୍ଥାପିତଙ୍କୁ ସମସ୍ତେ ଭୁଲିଯିବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାରେ ଜଳସେଚନ ସୁବିଧା ପାଇଁ ଇନ୍ଦ୍ରାବତୀର ପରିକଳ୍ପନା କରାଯାଇଥିଲା। ୧୯୮୯ ମସିହାରୁ ୧୯୯୨ ମସିହା ମଧ୍ୟରେ ୧୧ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା। ଇନ୍ଦ୍ରାବତୀ ପ୍ରକଳ୍ପ ସାକାର ହେବା ପରେ ଧର୍ମଗଡ଼ ଉପଖଣ୍ଡ ଓ ଭବାନୀପାଟଣାର କିଛି ଅଂଶ ଶସ୍ୟ ଶ୍ୟାମଳା ହୋଇ ମରୁଡ଼ିର କରାଳ ଛାୟାରୁ ତ୍ରାହି ପାଇଛି। ଧାନ ଉତ୍ପାଦନରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାର ଭାତହାଣ୍ଡି ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ରାଜ୍ୟରେ ଧାନ ଉତ୍ପାଦନରେ କଳାହାଣ୍ଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡାଲି ଜାତୀୟ ଫସଲ ଉତ୍ପାଦନରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିଭଳି ଇନ୍ଦ୍ରାବତୀ ଜଳଭଣ୍ଡାରରୁ ବିଜୁଳି ଉତ୍ପାଦନ କରି ଅନ୍ୟ ରାଜ୍ୟକୁ ଆଲୋକ ଦେଖାଉଛି। କିନ୍ତୁ ଜଳଭଣ୍ଡାର ପାଇଁ ଯେଉଁମାନେ ବିସ୍ଥାପିତ ହେଲେ ସେମାନେ ଆଜି ମଧ୍ୟ ଜଳବନ୍ଦି ଯନ୍ତ୍ରଣାର ଜୀବନ ଜିଉଁଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୪୪ଟି ଗାଁ ଓ କଳାହାଣ୍ଡି ଜିଲ୍ଲାର ୫୩ଟି ଗାଁ ବିସ୍ଥାପିତ ହୋଇଥିଲେ।

ଭୋକର ଭୂଗୋଳରୁ ଶସ୍ୟଶ୍ୟାମଳା କରିଥିବା ଲୋକଙ୍କୁ ଭୁଲିଗଲେ
ବୁଡ଼ି ଅଞ୍ଚଳରେ ଏବେବି ସର୍ବନିମ୍ନ ମୌଳିକ ସେବା ସ୍ବପ୍ନ

କଳାହାଣ୍ଡି ଜିଲ୍ଲାର ୪୮ଟି ଗାଁ  ଜଳଭଣ୍ଡାରରେ ବୁଡ଼ି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ୧୦ଟି ଗାଁ ଜଳଭଣ୍ଡାରରେ ବୁଡ଼ିଥିଲା। ୯ଟି ଗାଁ ଆଂଶିକ ଭାବରେ ଜଳମଗ୍ନ ହୋଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ଥୁଆମୂଳ ରାମପୁର ବ୍ଲକ୍‌ର ଅନେକ ଅଞ୍ଚଳ ଜଳଭଣ୍ଡାର ମଧ୍ୟରେ ଲୀନ ହୋଇଯାଇଥିଲା। ବିଶେଷ କରି ଏହି ବ୍ଲକ୍‌ର ପୋଡ଼ାପଦର ପଞ୍ଚାୟତର ଘୁଟରୁଖାଲ, ପୋଡାପଦର, ତେନ୍ତୁଳିପଦର, କାରୁବାଡ଼ି, ଲିଟିମସ୍କା, ଭିତରଡୁଙ୍ଗା, ସରାଫାସ, ଟେମରା, ଝିରି, ଭୁରଭୁରି, ତଳଟେମରା, ଢେପଟେମରା, ତଳଗୁଞ୍ଜମାଳି, ଉପର ଗୁଞ୍ଜମାଳି, କଲାତି, ତଳପଙ୍ଗା, କଟରୁପାଟ ସମେତ ୧୬ଟି ଗ୍ରାମ ମଧ୍ୟରୁ ୩ଟି ରାଜସ୍ୱ ପଡ଼ା, ୧୩ଟି ଛୋଟ ପଡ଼ା ଓ ମାଲିଗାଁ ପଞ୍ଚାୟତର କେ.ଚେପଟାଘାଟି ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦି ଘେରରେ ରହି ଭୌଗୋଳିକ ପରିସୀମାରେ ନିଜର ପରିଚୟ ଖୋଜୁଛନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଅନେକ ଲୋକ ନିଜ ଘରଦ୍ୱାର, ଚାଷଜମି ହରାଇଲେ। ଶାଗମାଛ ମୂଲ୍ୟରେ ଏମାନଙ୍କ ସମ୍ପତ୍ତିର ମୂଲ୍ୟାୟନ କରି ବଞ୍ଚିବା ପାଇଁ ସହାୟତା ରାଶି ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ପ୍ରତାରଣା କରାଯାଇଥିଲା। ଏବେ ମଧ୍ୟ ନିରୀହ ଆଦିବାସୀମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ସରକାର ପରେ ସରକାର ବଦଳୁଛି। ଅଥଚ ବୁଡ଼ି ଅଞ୍ଚଳବାସୀଙ୍କ ଦୁଃଖ ଘୁଞ୍ଚୁ ନଥିବା ଯୋଗୁଁ ସେମାନେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button