Truck flattens SUV In UP: ବୋଲେରୋ ଉପରେ ଓଲଟିଲା ଧାନ ଅଗାଡ଼ି ବୋଝେଇ ଟ୍ରକ୍, ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
ଡିଭାଇଡରକୁ ଧକ୍କା ଦେଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍। ବୋଲେରୋ ସହ ଚାପି ହୋଇଗଲେ ଚାଳକ। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଉତ୍ତରପ୍ରଦେଶର ରାମପୁରରେ ଘଟିଛି।

ରାମପୁର: ଡିଭାଇଡରକୁ ଧକ୍କା ଦେଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍। ବୋଲେରୋ ସହ ଚାପି ହୋଇଗଲେ ଚାଳକ। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ଏହି ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ଟି ବୋଲେରୋକୁ ଚାପି ଦେବା ଫଳରେ ଚାଳକ ଆଉ ବାହାରକୁ ଆସିବାକୁ ସଫଳ ହୋଇପାରିନଥିଲେ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ବୋଲେରୋ ଚାଳକଙ୍କ ଭୁଲ ପାଇଁ ଘଟିଥିଲା ଦୁର୍ଘଟଣା
ରବିବାର ଦିନ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଥିବା ପାହାଡି ଗେଟ୍ ନିକଟସ୍ଥ ଗଞ୍ଜ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଆଗରେ ବୋଲେରୋ ଆସୁଥିବା ବେଳେ ପଛରେ ଆସୁଛି ଧାନ ଅଗାଡ଼ି ବୋଝେଇ ଟ୍ରକ୍। ଏହା ପରେ ବୁଲାଣି ବୁଲିବା ପାଇଁ ବୋଲେରୋଟି ହଠାତ୍ ଡାହାଣକୁ ବୁଲୁଛି। ହେଲେ ଗାଡ଼ିର ଇଣ୍ଡିକେଟର ନଦେଇ ଚାଳକ ହଠାତ୍ ଗାଡ଼ି ବୁଲାଇ ଦେବାରୁ ଟ୍ରକ୍ ସହ ଧକ୍କା ଖାଉଛି। ଅନ୍ୟପକ୍ଷରେ ଟ୍ରକ୍ ଚାଳକ ବୋଲେରୋକୁ ବଞ୍ଚାଇବାକୁ ଯାଇ ଡିଭାଇଡର ଉପରେ ଚଢ଼ିବା ସହ ଓଲଟି ପଡ଼ୁଛି। ବୋଲେରୋଟି ଟ୍ରକ୍କୁ ଲାଗି ରହିଥିବାରୁ ଟ୍ରକ୍ ତଳେ ଚାପି ହୋଇଯାଉଛି। ଟ୍ରକ୍ ଓ ଧାନ ଅଗାଡ଼ି ତଳେ ଉଭେଇ ଯାଉଛି ବୋଲେରୋ।
ଜେସିବି ସାହାଯ୍ୟରେ ଉଠିଲା ଟ୍ରକ୍
ସୂଚନା ପାଇ ରାମପୁର ପୁଲିସ ଅଧିକ୍ଷକ ବିଦ୍ୟାସାଗର ମିଶ୍ର, ନିକଟସ୍ଥ ପୁଲିସ ଷ୍ଟେସନର ପୁଲିସ କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ। ଏକ ଜେସିବି ମେସିନ ସାହାଯ୍ୟରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ବୋଲେରୋରୁ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଇନଗତ ଔପଚାରିକତା ପୂରଣ କରିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ଏବେ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ପୁଲିସ।
ସୌଜନ୍ୟ ସମ୍ବାଦ




