ତାଇପେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ଗସ୍ତରେ ଚୀନ୍ ପହଞ୍ଚିଛନ୍ତି। ସମଗ୍ର ବିଶ୍ୱ ଟ୍ରମ୍ପଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଚୀନ୍ ଗସ୍ତ ଉପରେ ନଜର ରଖିଛି। କିନ୍ତୁ ଏକ ଛୋଟ ଦେଶ, ତାଇୱାନର ହୃଦୟ ଏହି ଗସ୍ତକୁ ନେଇ ଦ୍ରୁତ ଗତିରେ ସ୍ପନ୍ଦିତ ହେଉଛି। ତାଇୱାନ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି। ଦୁଇ ସୁପରପାୱାରଙ୍କ ଖେଳରେ ତାଇୱାନ ବଳିର ଛେଳି ହେବାର ଆଶଙ୍କ ସୃଷ୍ଟି ହୋଇଛି। ଚୀନ୍ ଦୀର୍ଘ ସମୟ ଧରି ତାଇୱାନ ଉପରେ କଡ଼ା ନଜର ରଖିଛି ଏବଂ ଏହାକୁ ନିଜର ଏକ ଅଂଶ ବୋଲି ବିବେଚନା କରୁଛି। ଟ୍ରମ୍ପଙ୍କ ଚୀନ୍ ଗସ୍ତ ସମୟରେ ଏକ ବଡ଼ ଚୁକ୍ତି ହୋଇପାରେ ବୋଲି ତାଇୱାନ ଏବେ ଚିନ୍ତିତ। ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ବିପଦରେ ପକାଉଥିବା କୌଣସି ଚୁକ୍ତି ନ ହେଉ ବୋଲି ତାଇୱାନ ଚାହୁଁଛି। ନଅ ବର୍ଷ ମଧ୍ୟରେ ଏହା ଟ୍ରମ୍ପଙ୍କର ଦ୍ୱିତୀୟ ଚୀନ୍ ଗସ୍ତ, ଏବଂ ଏହା ସି ଜିନପିଙ୍ଗଙ୍କ ସହ ତାଙ୍କର ସପ୍ତମ ଭେଟ। କୁହାଯାଉଛି ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ବାଣିଜ୍ୟ ଚୁକ୍ତି ଏବଂ ଶୁଳ୍କ ଉତ୍ତେଜନାର ସମାଧାନ ଗସ୍ତର ମୁଖ୍ୟ ଲକ୍ଷ୍ୟ। ତେବେ ପରଦା ପଛରେ, ତାଇୱାନ ସମେତ ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦୀର୍ଘ ଦିନ ଧରି ତାଇୱାନକୁ ମିଶାଇବାର ସ୍ୱପ୍ନ ଦେଖିଛନ୍ତି। ଚୀନ୍ ସ୍ପଷ୍ଟ ଭାବରେ କହିଛି ଯେ ତାଇୱାନକୁ ଚୀନ୍ର ଅଂଶ ହେବାରୁ କେହି ରୋକିପାରିବେ ନାହିଁ। ଏଥିପାଇଁ, ଆବଶ୍ୟକ ହେଲେ ଚୀନ୍ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ଧମକ ମଧ୍ୟ ଦେଇଛି। ଆମେରିକାର ତାଇୱାନ ସହିତ ନିବିଡ଼ ସମ୍ପର୍କ ଅଛି। ତାଇୱାନର ସୁରକ୍ଷା ଆମେରିକା ଉପରେ ନିର୍ଭର କରେ। ତାଇୱାନର ବିରୋଧୀ ନେତାମାନେ ଭୟ କରୁଛନ୍ତି ଯେ, ଆଲୋଚନା ସମୟରେ ଚୀନ୍ ତାଇୱାନକୁ ଏକ ମୋହରା ଭାବେ ବ୍ୟବହାର କରିବ। ଯଦି ଟ୍ରମ୍ପ ଇରାନ ଯୁଦ୍ଧ ସମାପ୍ତ କରିବାରେ ସାହାଯ୍ୟ ମାଗନ୍ତି , ତେବେ ଚୀନ୍ ତାଇୱାନ ପ୍ରସଙ୍ଗ ନେଇ ଚାପ ପକାଇବ। ଗତ ବର୍ଷ, ଆମେରିକା ଏବଂ ତାଇୱାନ ମଧ୍ୟରେ ୧୧ ବିଲିୟନ ଡଲାରର ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ୮୨ଟି ହାଇ-ମୋବିଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ, ୪୨୦ଟି କ୍ଷେପଣାସ୍ତ୍ର ଏବଂ ୬୦ଟି ହାୱିଜର୍ ଅନ୍ତର୍ଭୁକ୍ତ ରହିଛି।
ତାଇୱାନ ଟ୍ରମ୍ପଙ୍କ ଉପରେ ଭରସା କରି ପାରୁନି
ଚୀନ୍ ଏହି ଅସ୍ତ୍ରଶସ୍ତ୍ର ଚୁକ୍ତିନାମା ଉପରେ ଦୃଢ଼ ଆପତ୍ତି କରି ଏହାକୁ ଅବରୋଧ କରିଥିଲା।ତାଇୱାନ ଭୟ କରୁଛି ଯେ ଟ୍ରମ୍ପ ଅସ୍ତ୍ରଶସ୍ତ୍ର ଚୁକ୍ତିନାମାକୁ ବିଳମ୍ବିତ କରିପାରନ୍ତି। ଆମେରିକା ଏପର୍ୟ୍ୟନ୍ତ ଏହି ଚୁକ୍ତିନାମା ଅନୁଯାୟୀ ଅସ୍ତ୍ରଶସ୍ତ୍ର ଯୋଗାଣ ଆରମ୍ଭ କରିନାହିଁ। ଯଦିଓ ଆମେରିକୀୟ ଅଧିକାରୀମାନେ ତାଇୱାନ ନୀତିରେ କୌଣସି ପରିବର୍ତ୍ତନକୁ ଅସ୍ୱୀକାର କରୁଛନ୍ତି । ତେବେ ତାଇୱାନ ଟ୍ରମ୍ପଙ୍କ ଉପରେ ଭରସା କରି ପାରୁନି।
ସୌଜନ୍ୟ ସମ୍ବାଦ

