ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ଆମେରିକାର ‘୫୧ତମ ରାଜ୍ୟ’ ଭାବରେ ଚିତ୍ରଣ କରି ଏକ ଗ୍ରାଫିକ୍ ସେୟାର କରିଛନ୍ତି। ସେହିପରି ରୁବିଓଙ୍କ ଏହି ଫଟୋ ଏବେ ଚର୍ଚ୍ଚାରେ ରହିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଚୀନ୍ ଯାଉଥିବା ସମୟରେ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ ଏହି ଚିତ୍ର ପୋଷ୍ଟ କରିଛନ୍ତି। ଗ୍ରାଫିକ୍ରେ ଭେନେଜୁଏଲାର ଏକ ମାନଚିତ୍ର ଦେଖାଯାଇଛି ଯାହା ଉପରେ ଆମେରିକୀୟ ପତାକା ଆଚ୍ଛାଦିତ ହୋଇଥିବାବେଳେ ଏଥିରେ ‘୫୧ତମ ରାଜ୍ୟ’ ଲେଖାଯାଇଛି। ପରେ ହ୍ୱାଇଟ୍ ହାଉସ୍ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ସମାନ ଚିତ୍ର ପୁନଃସେୟାର କରିଛି।
ମାଦୁରୋ ପିନ୍ଧିଥିବା ନାଇକି ଟ୍ରାକସୁଟ୍ ପରିଧାନ କରିଥିବା ରୁବିଓଙ୍କ ଫଟୋ ଚର୍ଚ୍ଚାରେ
କାରାକାସରେ ଏକ ସାମରିକ ଅଭିଯାନରେ ଆମେରିକୀୟ ସେନା ମାଦୁରୋଙ୍କୁ ବନ୍ଦୀ କରିବାର ମାସକ ପରେ, ଟ୍ରମ୍ପ ଫକ୍ସ ନ୍ୟୁଜ୍ ସହ ଏକ ସାକ୍ଷାତକାର ସମୟରେ ଭେନେଜୁଏଲାକୁ ଏକ ନୂତନ ଆମେରିକୀୟ ରାଷ୍ଟ୍ର କରିବା ବିଷୟରେ ବିଚାର କରୁଥିବା କହିବାର ଗୋଟିଏ ଦିନ ପରେ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଫକ୍ସ ନ୍ୟୁଜ୍ ଅନୁସାରେ, ଟ୍ରମ୍ପ କହିଛନ୍ତି ଯେ, ଭେନେଜୁଏଲାରେ ୪୦ ଟ୍ରିଲିୟନ ଡଲାର ମୂଲ୍ୟର ତୈଳ ଗଚ୍ଛିତ ଅଛି। ତେଣୁ ସେ ଏହି ନିଷ୍ପତ୍ତି ବିଷୟରେ ବିଚାର କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭେନେଜୁଏଲାକୁ ପସନ୍ଦ କରନ୍ତି।
ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍ ପୂର୍ବରୁ ଟ୍ରମ୍ପଙ୍କ ଏହି ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଦେଶ ଆମେରିକାର ୫୧ତମ ରାଷ୍ଟ୍ର ହେବା ପାଇଁ କେବେବି ଚିନ୍ତା କରିନାହିଁ। ଆମ ପାଇଁ ସବୁଠାରୁ ପ୍ରିୟ ହେଉଛି ଆମର ସ୍ବାଧୀନତା। ଟ୍ରମ୍ପଙ୍କ ସଦ୍ୟତମ ପୋଷ୍ଟ ଭେନେଜୁଏଲା ସମ୍ପର୍କରେ ତାଙ୍କର ବକ୍ତବ୍ୟକୁ ନେଇ ବିତର୍କକୁ ବୃଦ୍ଧି କରିଛି। ଚଳିତ ସପ୍ତାହର ଆରମ୍ଭରେ, ସେ କାନାଡା ଏବଂ ଗ୍ରୀନଲ୍ୟାଣ୍ଡ ବିଷୟରେ ପୂର୍ବରୁ ଦେଇଥିବା ସମାନ ମନ୍ତବ୍ୟ ଦେଇ କାନାଡା ଏବଂ ଗ୍ରୀନଲ୍ୟାଣ୍ଡକୁ ମିଶାଇବା ପାଇଁ କହିଛନ୍ତି। ସେହିପରି ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କ୍ୟୁବାକୁ ବିଫଳ ରାଷ୍ଟ୍ର ବୋଲି କହି କହିଛନ୍ତି, କ୍ୟୁବା ସାହାଯ୍ୟ ମାଗୁଛି, ଏବଂ ଆମେ କଥାବାର୍ତ୍ତା କରିବାକୁ ଯାଉଛୁ।
ସୌଜନ୍ୟ ସମ୍ବାଦ

