ନୂଆଦିଲ୍ଲୀ: ରୁଷ ତେଲ କିଣୁଥିବା ଭାରତକୁ ପୁଣି ଥରେ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି ଭାରତ ତେଲ କିଣା ବନ୍ଦ ନ କରିବ ତେବେ ଶୁଳ୍କ ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଭାରତ ଉପରେ ଆମେରିକା ୨୫ ପ୍ରତିଶତର ପାଲଟା ଶୁଳ୍କ ଓ ରୁଷ ତେଲ କିଣୁଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କକୁ ଜରିମାନା ଆକାରରେ ଲଗାଇଛି। ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତ ରହିଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ମୋତେ ଖୁସି କରିବାକୁ ଚାହୁଛି। ମୋଦୀ ଜଣେ ବହୁତ ଭଲ ଲୋକ। ସେ ଜଣେ ଭଲ ମଣିଷ। ସେ ଜାଣିଛନ୍ତି ଯେ ମୁଁ ଖୁସି ନାହିଁ ଓ ମୋତେ ଖୁସି କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଭାରତ ଉପରେ ଶୁଳ୍କ ଆହୁରି ବଢ଼ାଇବାକୁ ଚାହୁଛୁ। ଏହା ସେମାନଙ୍କ ପାଇଁ ବହୁତ ଖରାପ ହେବ ବୋଲି ଟ୍ରମ୍ପ କହିଛନ୍ତି।

