ଦେଶ ବିଦେଶ

Iran: ଇରାନରେ ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ଦୁଇଟି ପୃଥକ ଘଟଣାରେ ୩ ଅପରାଧୀଙ୍କୁ ଫାଶୀ

ତେହେରାନ୍: ଇରାନର ନ୍ୟାୟପାଳିକା ଶିଶୁ ସୁରକ୍ଷା ଓ ଜଘନ୍ୟ ଅପରାଧ ବିରୁଦ୍ଧରେ ପୁଣି ଥରେ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦେଶରେ ନାବାଳକ ଓ ଶିଶୁମାନଙ୍କୁ ନିର୍ମମ ଭାବେ ଦୁଷ୍କର୍ମ କରିଥିବା ମାମଲାରେ ସମ୍ପୃକ୍ତ ତିନି ଜଣ ଅପରାଧୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫାଶୀ ଦିଆଯାଇଛି। ଅଗଷ୍ଟ ୨୦୨୪ ଏବଂ ୨୦୨୫ ମସିହାରେ ଦାୟର ହୋଇଥିବା ଦୁଇଟି ପୃଥକ ମାମଲାର ଦୀର୍ଘ ଶୁଣାଣି ପରେ ନ୍ୟାୟପାଳିକା ପକ୍ଷରୁ ଏହି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ଇରାନର ସୁପ୍ରିମକୋର୍ଟ ଏହି ଜଘନ୍ୟ ଅପରାଧ ପାଇଁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ଦର୍ଶାଇ ଏହା ଉପରେ ଚୂଡ଼ାନ୍ତ ଅନୁମୋଦନ ଦେଇଥିଲେ। ଜଣେ ୧୪ ବର୍ଷୀୟ ଏବଂ ଜଣେ ୧୦ ବର୍ଷୀୟ ଶିଶୁଙ୍କ ଉପରେ ହୋଇଥିବା ଏହି ବର୍ବରୋଚିତ ଅତ୍ୟାଚାର ଏବଂ ଏହା ପରେ ଆସିଥିବା କଠୋର ଦଣ୍ଡବିଧାନ ସମଗ୍ର ଇରାନ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ଓ ଶିଶୁ ସୁରକ୍ଷା ଆଇନକୁ ନେଇ ଏକ ବ୍ୟାପକ ବିତର୍କକୁ ପୁନଃଜୀବିତ କରିଛି।

ପ୍ରଥମ ଘଟଣାଟି ଅଗଷ୍ଟ ୨୦୨୪ ମସିହାରେ ଇରାନର ଘୋରଭେ ସହରରେ ଘଟିଥିଲା, ଯେଉଁଠାରେ ଦୁଇଜଣ ପୁରୁଷ ମିଳିତ ଭାବେ ଜଣେ ୧୪ ବର୍ଷୀୟ ବାଳକକୁ ଦୁଷ୍କର୍ମ କରିଥିଲେ। ଇରାନର ନ୍ୟାୟପାଳିକାର ଅଧିକାରିକ ୱେବସାଇଟ୍ ”ମିଜାନ”ର ସୂଚନା ଅନୁଯାୟୀ, ଏହି ଭୟଙ୍କର ଅପରାଧର ବିଚାର କରି କୋର୍ଟ ଉଭୟଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ଏକ ଲୋମହର୍ଷଣକାରୀ ଘଟଣା ଉତ୍ତର ଇରାନର ରାଷ୍ଟ ସହରରେ ସାମ୍ନାକୁ ଆସିଥିଲା, ଯେଉଁଠାରେ ଅଗଷ୍ଟ ୨୦୨୫ ମସିହାରେ ଜଣେ ବ୍ୟକ୍ତି ଜଣେ ୧୦ ବର୍ଷର କୋମଳମତି ବାଳକକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲା। ଏହି ଜଘନ୍ୟ କାଣ୍ଡ ପାଇଁ ଅଦାଲତ ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିବାରେ ଏବଂ ତୁରନ୍ତ ମୃତ୍ୟୁଦଣ୍ଡ ଦେବାରେ କୌଣସି ସମୟ ନଷ୍ଟ କରିନଥିଲେ, ଯାହା ଫଳରେ ଗତଦିନରେ ତାକୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି।

 

 

 

ସୌଜନ୍ୟ Prameya News7

Show More
Back to top button