Turkey Flight emergency landing : କୋଲକାତାରେ ତୁର୍କୀ ଏୟାରଲାଇନ୍ସ ବିମାନର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୨୩୬ ଯାତ୍ରୀ
ବୁଧବାର ଅପରାହ୍ନରେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀ ଏୟାରଲାଇନ୍ସର ଏକ ବିମାନ(ଟିଏଚ୍ୱାଇ-୭୨୭) ଇଞ୍ଜିନରେ ନିଆଁ ଲାଗିଯିବାରୁ ଏହାକୁ ଜରୁରୀକାଳୀନ ଭାବେ ଅବତରଣ କରାଯାଇଛି।

କୋଲକାତା : ବୁଧବାର ଅପରାହ୍ନରେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀ ଏୟାରଲାଇନ୍ସର ଏକ ବିମାନ(ଟିଏଚ୍ୱାଇ-୭୨୭) ଇଞ୍ଜିନରେ ନିଆଁ ଲାଗିଯିବାରୁ ଏହାକୁ ଜରୁରୀକାଳୀନ ଭାବେ ଅବତରଣ କରାଯାଇଛି।
ସୂଚନା ଅନୁଯାୟୀ, ବିମାନଟି କାଠମାଣ୍ଡୁରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ପାଇଲଟ୍ ବିମାନର ଡାହାଣ ପାର୍ଶ୍ୱ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ସୂଚନା ପାଇଥିଲେ। ସେ ସଙ୍ଗେ ସଙ୍ଗେ କୋଲକାତା ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ବିମାନବନ୍ଦରରେ ସତର୍କତା ଜାରି କରାଯାଇଥିଲା ଏବଂ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିଲା।
ଅପରାହ୍ନ ୨ଟା ୪୯ ମିନିଟରେ ବିମାନଟି ସୁରକ୍ଷିତ ଭାବେ ରନ୍ୱେରେ ଅବତରଣ କରିଥିଲା। ବିମାନରେ ୧୧ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୩୬ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇ ଟର୍ମିନାଲ ବିଲ୍ଡିଂକୁ ଅଣାଯିବା ସହ ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି।
ବର୍ତ୍ତମାନ ବିମାନଟିକୁ ଯାଞ୍ଚ କରାଯାଉଛି ଏବଂ ଇଞ୍ଜିନରେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଦଳ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପରେ କିଛି ସମୟ ପାଇଁ ବିମାନବନ୍ଦରରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




