ଦେଶ ବିଦେଶ

Turkman Gate Violence: ତୁର୍କମାନ ଗେଟ୍ ହିଂସାରେ ସାମିଲ ଥିବା ୧୧ଜଣ ଅଭିଯୁକ୍ତ ଗିରଫ, ୨୫ଜଣଙ୍କୁ ଚିହ୍ନଟ କଲା ପୁଲିସ

ତୁର୍କମାନ ଗେଟ୍ ହିଂସାରେ ସାମିଲ ଥିବା ୧୧ଜଣ ଅଭିଯୁକ୍ତ ଗିରଫ। ୨୫ଜଣଙ୍କୁ ଚିହ୍ନଟ କଲା ପୁଲିସ। ଜାନୁଆରି ୬ତାରିଖ ରାତି ପ୍ରାୟ ୧ଟାରେ ଦିଲ୍ଲୀର ରାମଲୀଳା ମଇଦାନରେ ଥିବା ଏକ ମସଜିଦ ଏବଂ କବରସ୍ଥାନ ସଂଲଗ୍ନ ଜମିରୁ ଜବରଦଖଲ ହଟାଯିବା ସମୟରେ ହିଂସା ଘଟିଥିଲା।

ନୂଆଦିଲ୍ଲୀ: ତୁର୍କମାନ ଗେଟ୍ ହିଂସାରେ ସାମିଲ ଥିବା ୧୧ଜଣ ଅଭିଯୁକ୍ତ ଗିରଫ। ୨୫ଜଣଙ୍କୁ ଚିହ୍ନଟ କଲା ପୁଲିସ। ଜାନୁଆରି ୬ତାରିଖ ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନ ନିକଟରେ ଥିବା ଏକ ମସଜିଦ ଏବଂ କବରସ୍ଥାନ ସଂଲଗ୍ନ ଜମିରୁ ଜବରଦଖଲ ହଟାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, MCD ୧୭ଟି ବୁଲଡୋଜର ବ୍ୟବହାର କରି ଏଠାରେ ଥିବ‌େ ବିବାହ ହଲ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ଦୋକାନ ଭାଙ୍ଗି ଦେଇଥିଲା।ଯେତେବେଳେ ତୁର୍କମାନ ଗେଟ୍ ସ୍ଥିତ ଫୈଜ-ଏ-ଇଲାହି ମସଜିଦ ନିକଟରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଥିଲା, ସେତେବେଳେ ଏକାଧିକ ଲୋକ ପୁଲିସ ଓ MCD କର୍ମଚାରୀଙ୍କ ଉପରେ ପଥର ମାଡ଼ କରିଥିଲା। ଭିଡ଼ କାର୍ଯ୍ୟ ବନ୍ଦ କରିବା ପାଇଁ ବ୍ୟାରିକେଡ୍ ଭାଙ୍ଗିଥିଲା, କିନ୍ତୁ ପୁଲିସ ଲୁହ ବୁହା ଗ୍ୟାସ୍ ଛାଡ଼ି ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ‌ଏବେ ପଥରମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ଆରମ୍ଭ କରିଛି ପୁଲିସ।

ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ହିଂସାରେ ସମ୍ପୃକ୍ତ ଥିବା ନେଇ ୩୫ଜଣ ସନ୍ଦେହ ଘେରରେ ଥିବା ବେଳେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ଜାଞ୍ଚ କରାଯିବା ସହ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ଶରୀରରେ ଲାଗିଥିବା କ୍ୟାମେରା ଫୁଟେଜ ବ୍ୟବହାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଭିଡିଓରେ ମିଥ୍ୟା ସୂଚନା ଦେଇ ଲୋକଙ୍କୁ ଉସୁକାଯାଇଥିଲା

ଏତେ ସଂଖ୍ୟକ ଲୋକ ଆସିଲେ କିପରି ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଦିଲ୍ଲୀ ପୁଲିସ ତଦନ୍ତରୁ ପୂରା ଘଟଣା ଜଣାପଡ଼ିଥିଲା। ଘଟଣାସ୍ଥଳରେ ପରିସ୍ଥିତି ଖରାପ ହେବା ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରାଯାଇଥିଲା। କିଛି ଲୋକ ଭିଡିଓ ତିଆରି କରି ମିଥ୍ୟା ଖବର ପ୍ରଚାର କରିଥିଲେ। ଭିଡିଓରେ ଦାବି କରାଯାଇଥିଲା ଯେ, ମସଜିଦ ଭଙ୍ଗାଯାଉଛି ଏବଂ ମୁସଲମାନମାନେ ବହୁ ସଂଖ୍ୟାରେ ବାହାରକୁ ଆସିବା ଉଚିତ। ଏହି ଭ୍ରାମକ ଭିଡିଓର ଉଦ୍ଦେଶ୍ୟ ଥିଲା ଭିଡ଼ ଏକତ୍ର କରିବା ଏବଂ ଉତ୍ତେଜନାପୂର୍ଣ୍ଣ ସୃଷ୍ଟି କରିବା। ଭିଡିଓ ଦେଖି ଏକାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚି ପଥରମାଡ଼ କରିବା ଆରମ୍ଭ କରିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button