
ଭୁବନେଶ୍ବର: ଓଡ଼ିଶା ହଳଦୀରେ ସିସା(ଲିଡ୍) ରହିଛି। ବିଶେଷ କରି ରାଜ୍ୟର ୩ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ପ୍ରକୃତରେ କେତେ ପରିମାଣର ସିସା ହଳଦୀରେ ରହୁଛି, ତାହା ଜାଣିବା ଲାଗି ନମୁନା ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ‘ହୁ’ର ପ୍ରତିନିଧି। ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବକୁ ଅନୁମୋଦନ ଦିଅନ୍ତି, ତା’ହେଲେ ଓଡ଼ିଶାରେ ଏଭଳି ଏକ ନିଆରା ସର୍ଭେ ଆରମ୍ଭ ହେବ।
ସିସା ଏକ ଭାରୀ ଧାତୁ ହୋଇଥିବା ବେଳେ ଏହାର ସେବନ ମଣିଷ ପାଇଁ କ୍ଷତିକାରକ। ବିଶେଷ କରି ଶିଶୁଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ସୃଷ୍ଟି କରିବା ସହ ମସ୍ତିଷ୍କ ବିକାଶରେ ଏହା ବାଧକ ସାଜିଥାଏ। ସିସା ମୁଖ୍ୟତଃ ପାଣି ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଅନେକ କ୍ଷେତ୍ରରେ ମାଟି ତଳେ ଉତ୍ପାଦିତ ହେଉଥିବା ପନିପରିବାରେ ମଧ୍ୟ ଏହା ରହିଥିବା ନଜରକୁ ଆସିଛି। ଗତ ମାସରେ ବେଙ୍ଗାଲୁର ଓ ଏହାର ନିକଟସ୍ଥ ପରିବା ମାର୍କେଟ୍ରୁ ବିଭିନ୍ନ ପନିପରିବାର ନମୁନା ସଂଗ୍ରହ ହୋଇ ପରୀକ୍ଷା ହୋଇଥିଲା। ୭୨ଟି ନମୁନା ଭିତରୁ ୧୯ଟି ନମୁନାରେ ସିସା ଥିବା ଜଣାପଡ଼ିଥିଲା।
ନମୁନା ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା
ପୂର୍ବରୁ ହଳଦୀ ନମୁନା ପରୀକ୍ଷାରେ ବାହାରି ନାହିଁ ସିସା
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର କନ୍ଧମାଳ, ଗଞ୍ଜାମ ଓ କଟକ ଜିଲ୍ଲାରେ ଏହି ସର୍ବେକ୍ଷଣ ହୋଇପାରେ। ସିସାର ଧାର୍ଯ୍ୟ ମାନଦଣ୍ଡ ହେଉଛି ୧୦ ପିପିଏମ୍(ପାର୍ଟସ୍ ପର ମିଲିଅନ୍)। ବିଶେଷ କରି ଗୋଟା ହଳଦୀରେ ସିସାର ପରିମାଣ ଧାର୍ଯ୍ୟ ମାନଦଣ୍ଡଠାରୁ ଅଧିକ ରହୁଥିବା ଆଶଙ୍କା କରାଯାଉଛି। ତେବେ ‘ହୁ’ ପକ୍ଷରୁ ଏଭଳି ପ୍ରସ୍ତାବ ଆସିବା ପରେ ବିଭାଗ ତରଫରୁ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ମତରେ ରାଜ୍ୟରେ ଏବେ ଗୋଟା ହଳଦୀ ସେବନ କରୁଥିବା ଲୋକଙ୍କ ସଂଖ୍ୟା ଏକପ୍ରକାର ଶୂନ। ଲୋକମାନେ ବିଭିନ୍ନ ବ୍ରାଣ୍ଡ କିମ୍ବା ଅଣ ବ୍ରାଣ୍ଡର ହଳଦୀ ଗୁଣ୍ଡ ସେବନ କରୁଛନ୍ତି। ଯଦି ଗୋଟା ହଳଦୀରେ ସିସାର ପରିମାଣ ଅଧିକ ରହୁଛି, ତାହାଲେ ତାହା ଗୁଣ୍ଡ ହଳଦୀରେ ମଧ୍ୟ ପ୍ରତିଫଳନ ହେବା ନିଶ୍ଚିତ।
ପନିପରିବାରେ କିଭଳି ପ୍ରବେଶ କରିଥାଏ ସିସା
ବିଶେଷଜ୍ଞଙ୍କ ମତରେ ଲିଡ୍ ବା ସିସା ଯଦି ପାଣି କିମ୍ବା ମାଟିରେ ପ୍ରବେଶ କରେ, ତାହାହେଲେ ଗଛଗୁଡ଼ିକ ନିଜର ମୂଳ ସାହାଯ୍ୟରେ ଏହାକୁ ଗ୍ରହଣ କରିଥା’ନ୍ତି। ପରବର୍ତ୍ତୀ ସମୟରେ ଏହି ଭାରୀ ଧାତୁଟି ପନିପରିବା ଟିସୁର ଏକ ଅଂଶ ହୋଇଯାଏ। ପନିପରିବାରକୁ ଧୋଇବା କିମ୍ବା ଏହାର ଉପର ଚୋପା ଛଡ଼ାଇଲେ ସିସା ବାହାରି ଯାଏନାହିଁ। ମଣିଷଙ୍କ ପାଇଁ ସିସା କ୍ଷତିକାରକ। ‘ହୁ’ର ତଥ୍ୟ ଅନୁସାରେ, ୨୦୨୧ମସିହାରେ ସିସା କାରଣରୁ ବିଶ୍ବବ୍ୟାପୀ ୧୫ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏଥିରେ ହୃଦ୍ରୋଗ ଜନିତ ମୃତ୍ୟୁ ସର୍ବାଧିକ ରହିଛି। ତେଣୁ ସିସାକୁ ମଣିଷର ସେବନଠାରୁ କିଭଳି ଦୂରେଇ ରଖାଯାଇପାରିବ ତାହା ଏବେ ବଡ଼ ଆହ୍ବାନ ପାଲଟିଛି।
ଗତବର୍ଷ ରାଜ୍ୟରେ ୧୪୭ ପ୍ରକାରର ଖାଦ୍ୟ ନମୁନାର ପରୀକ୍ଷା କରାଯାଇଥିଲା। ଏଥିରେ ଅଟା, ଗୁଣ୍ଡ ହଳଦୀ(ଅଣ ବ୍ରାଣ୍ଡ) ଓ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ରହିଥିଲା। ମାତ୍ର ଗୁଣ୍ଡ ହଳଦୀରେ ଧାର୍ଯ୍ୟ ମାନଦଣ୍ଡଠାରୁ ସିସାର ପରିମାଣ ଅଧିକ ରହିଥିବା ନଜରକୁ ଆସିନାହିଁ। ଯଦି ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳର ହଳଦୀରେ ସିସାର ପରିମାଣ ଅଧିକ ରହିଥିବ ତାହା ପରୀକ୍ଷା ହେବାର ଆବଶ୍ୟକତା ରହିଛି। ତେବେ ‘ହୁ’ ପକ୍ଷରୁ ଏଭଳି ପ୍ରସ୍ତାବ ଆସିବା ପରେ ନମୁନା ସର୍ବେକ୍ଷଣ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ କୁହାଯାଇଛି। ବର୍ତ୍ତମାନ ହଳଦୀର ନମୁନା ପରୀକ୍ଷା ହେବା ପରେ ପରବର୍ତ୍ତୀ ସମୟରେ ମାଟି ତଳେ ଉତ୍ପାଦିତ ହେଉଥିବା ଅନ୍ୟ ପନିପରିବାର ମଧ୍ୟ ନମୁନା ପରୀକ୍ଷା ହୋଇପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




