UN Reports: ଧନୀ ଏବଂ ଗରିବ ଦେଶ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଉଛି

ମିଳିତ ଜାତିସଂଘର ଦ୍ବାରା ପ୍ରକାଶିତ ଏକ ନୂତନ ରିପୋର୍ଟରୁ ଜଣାପଡ଼ିଛି, ଧନୀ ଏବଂ ଗରିବ ଦେଶମାନଙ୍କ ମଧ୍ୟରେ ଅର୍ଥନୈତିକ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଗତ ବର୍ଷ ଅନେକ ଦେଶ ଦ୍ୱାରା କରାଯାଇଥିବା ଚୁକ୍ତିନାମାରୁ ସାମ୍ନାକୁ ଆସିଛି।

ନ୍ୟୁୟର୍କ: ମିଳିତ ଜାତିସଂଘର ଦ୍ବାରା ପ୍ରକାଶିତ ଏକ ନୂତନ ରିପୋର୍ଟରୁ ଜଣାପଡ଼ିଛି, ଧନୀ ଏବଂ ଗରିବ ଦେଶମାନଙ୍କ ମଧ୍ୟରେ ଅର୍ଥନୈତିକ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଗତ ବର୍ଷ ଅନେକ ଦେଶ ଦ୍ୱାରା କରାଯାଇଥିବା ଚୁକ୍ତିନାମାରୁ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରମୁଖ ବିଶ୍ୱ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ପାଇଁ କରାଯାଇଥିବା ଚୁକ୍ତିନାମା ମଧ୍ୟ ସାମିଲ ରହିଛି।

ଏପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ହୋଇନଥିବା ଯୋଗୁଁ ସ୍ଥିତି ସଙ୍କଟ ଜନକ ହୋଇଥିବା କୁହାଯାଉଛି। ସ୍ପେନର ସେଭିଲରେ ଜୁନ୍ ୨୦୨୫ରେ ଗୃହୀତ ସେଭିଲ୍ ପ୍ରତିଶ୍ରୁତି, ୨୦୩୦ ସୁଦ୍ଧା ବିକାଶ ଲକ୍ଷ୍ୟ ହାସଲ କରିବା ଏବଂ ଆର୍ଥିକ ବ୍ୟବଧାନ ହ୍ରାସ କରିବାର ଲକ୍ଷ୍ୟ ରଖିଛି। ଆସନ୍ତା ସପ୍ତାହରେ ୱାସିଂଟନରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶିତ ହୋଇଛି।

ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି, ଆମେ ବିଶ୍ୱ ଅଭିବୃଦ୍ଧିକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ, କିନ୍ତୁ ଇରାନ ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ପାଇଁ ଆମ ଦୃଷ୍ଟିକୋଣକୁ ଅନ୍ଧକାରମୟ କରିଦେଇଛି। ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ସଚିବ ଲି ଜୁନହୁଆ କହିଛନ୍ତି, ଭୂରାଜନୈତିକ ଉତ୍ତେଜନା ବିକାଶଶୀଳ ଦେଶମାନଙ୍କ ପାଇଁ ଆର୍ଥିକ ସହାୟତା ସଂଗ୍ରହ କରିବାର ଆହ୍ବାନକୁ ବଢ଼ାଉଛି। ଏହା ଅନ୍ତର୍ଜାତୀୟ ସହଯୋଗ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ, କାରଣ ଭୂରାଜନୈତିକ କାରଣଗୁଡ଼ିକ ଆର୍ଥିକ ସମ୍ପର୍କ ଏବଂ ଆର୍ଥିକ ନୀତିକୁ କ୍ରମାଗତ ଭାବରେ ପ୍ରଭାବିତ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ବୃଦ୍ଧି ପାଉଥିବା ବାଣିଜ୍ୟ ପ୍ରତିବନ୍ଧକ ଏବଂ ଜଳବାୟୁ ବିପର୍ଯ୍ୟୟ ମଧ୍ୟ ଏହି ଅସମାନତାକୁ ଆହୁରି ବୃଦ୍ଧି କରୁଛି। ଗତବର୍ଷ ସେଭିଲରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ, ଆମେରିକା ବ୍ୟତୀତ ଅନେକ ଦେଶର ନେତାମାନେ ସର୍ବସମ୍ମତିକ୍ରମେ ସେଭିଲ ପ୍ରତିଶ୍ରୁତିକୁ ଗ୍ରହଣ କରିଥିଲେ, ଯାହା ବିକାଶ ପାଇଁ ବାର୍ଷିକ ୪ ଟ୍ରିଲିୟନ ଡଲାର ଆର୍ଥିକ ବ୍ୟବଧାନକୁ ହ୍ରାସ କରିବା ଲକ୍ଷ୍ୟ ରଖିଛି। ଏଥିରେ ବିକାଶଶୀଳ ଦେଶଗୁଡ଼ିକରେ ନିବେଶ ବୃଦ୍ଧି ଏବଂ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଅନ୍ତର୍ଜାତୀୟ ଆର୍ଥିକ ସ୍ଥାପତ୍ୟର ସଂସ୍କାର ପାଇଁ ଆହ୍ୱାନ କରାଯାଇଥିଲା। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଉଭୟ ପ୍ରତିଷ୍ଠାନରେ ପ୍ରମୁଖ ପରିବର୍ତ୍ତନ ପାଇଁ ବାରମ୍ବାର ଆହ୍ୱାନ ଦେଇ କହିଛନ୍ତି, ଆଇଏମ୍ଏଫ୍‌ ଗରିବ ଦେଶମାନଙ୍କ ଅପେକ୍ଷା ଧନୀ ଦେଶମାନଙ୍କୁ ଲାଭ ଦେଉଛି। ଯେତେବେଳେ ବିଶ୍ୱ ବ୍ୟାଙ୍କ ନିଜର ମିଶନରେ ବିଫଳ ହୋଇଛି। ବିଶେଷକରି କରୋନା ମହାମାରୀ ସମୟରେ, ବହୁ ଦେଶଙ୍କୁ ବିପୁଳ ଋଣରେ ବୁଡ଼ାଇ ଦେଇଥିଲା। ତାଙ୍କର ସମାଲୋଚନା ବାହ୍ୟ ବିଶେଷଜ୍ଞମାନଙ୍କ ମତାମତକୁ ପ୍ରତିଫଳିତ କରିଛି।

ବିଶେଷଜ୍ଞମାନେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ନିଷ୍ପତ୍ତି ଗ୍ରହଣ ଉପରେ ଆମେରିକା ଏବଂ ୟୁରୋପୀୟ ସହଯୋଗୀଙ୍କ ପ୍ରାଧାନ୍ୟ ବିଷୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଭାବଶାଳୀ ଦେଶଗୁଡ଼ିକର ଚାପ ପ୍ରୟୋଗକୁ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ସେଭିଲ୍ ପ୍ରତିଶ୍ରୁତିର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, ବର୍ଦ୍ଧିତ ଆର୍ଥିକ ବ୍ୟବଧାନକୁ ପୂରଣ କରିବା ପାଇଁ ସର୍ବୋତ୍ତମ ଆଶାକୁ ଆମମେ ପ୍ରତିନିଧିତ୍ୱ କରୁଛୁ। ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ୨୫ଟି ଦେଶ ଗରିବ ଦେଶମାନଙ୍କୁ ବିକାଶ ସହାୟତା ହ୍ରାସ କରିଥିଲେ, ଯାହା ଫଳରେ ୨୦୨୪ତୁଳନାରେ ସାମଗ୍ରିକ ଭାବରେ ୨୩% ହ୍ରାସ ଘଟିଥିଲା। ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବାର୍ଷିକ ହ୍ରାସ। ଏହି ହ୍ରାସର ସର୍ବାଧିକ ଅଂଶ ୫୯% ଆମେରିକାର ଥିଲା।

ପ୍ରାରମ୍ଭିକ ତଥ୍ୟ ଆଧାରରେ ୨୦୨୬ ମସିହାରେ ଏହା ଆହୁରି ହ୍ରାସ ପାଇ ୫.୮% ହେବ ବୋଲି ଆଶା କରାଯାଉଛି। ରିପୋର୍ଟରେ କୁହାଯାଇଛି, ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ବିକାଶଶୀଳ ଦେଶଗୁଡ଼ିକ ଉପରେ ଏକ ବଡ଼ ପ୍ରଭାବ ପକାଇଛି। ରିପୋର୍ଟ ଅନୁଯାୟୀ, ୨୦୨୫ ରେ ବିଶ୍ୱର ସବୁଠାରୁ ଗରିବ ଦେଶଗୁଡ଼ିକରୁ ରପ୍ତାନି ଉପରେ ହାରାହାରି ଶୁଳ୍କ ୯% ରୁ ୨୮% କୁ ବୃଦ୍ଧି ପାଇଛି। ଚୀନ୍ ବ୍ୟତୀତ ବିକାଶଶୀଳ ଦେଶଗୁଡ଼ିକ ପାଇଁ ହାରାହାରି ଶୁଳ୍କ ୨% ରୁ ୧୯% କୁ ବୃଦ୍ଧି ପାଇଛି। ଜାତିସଂଘ ଚେତାବନୀ ଦେଇଛି, ଯଦି ଶୀଘ୍ର କଠୋର ପଦକ୍ଷେପ ନିଆ ନ ଯାଏ, ତେବେ ବିଶ୍ୱ ବୈଷମ୍ୟ ଆହୁରି ବୃଦ୍ଧି ପାଇବ। ସେଭିଲ୍ ପ୍ରତିଶ୍ରୁତିଗୁଡ଼ିକୁ ଏହି ସମସ୍ୟାର ସବୁଠାରୁ ବଡ଼ ସମାଧାନ ଭାବରେ ଉଲ୍ଲେଖ କରାଯାଇଛି, କିନ୍ତୁ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।

ସୌଜନ୍ୟ Prameya News7