ଖେଳ

Under-19 Asia Cup: ୧୯ ବର୍ଷରୁ କମ୍ ଏସିଆ କପ୍: ଭାରତ-ପାକିସ୍ତାନ ଟ୍ରଫି ଟକ୍କର ଆଜି

ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଉ ଏକ ଟ୍ରଫି ଟକ୍କରରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ରବିବାର ଏହି ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍‌ର ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ଦୁବାଇ: ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଉ ଏକ ଟ୍ରଫି ଟକ୍କରରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ରବିବାର ଏହି ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍‌ର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଭାରତୀୟ ଦଳ ନବମ ଥର ଏହି ପ୍ରତିଯୋଗିତା ଜିତିବାର ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଭାରତର ଏହି ଆଧିପତ୍ୟ ଧାରାରେ ପାକିସ୍ତାନ ବ୍ରେକ୍ ଲଗାଇବା ଆଶାରେ ରହିବ। ଆୟୁଷ ମହାତ୍ରେଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ତା’ର ସମସ୍ତ ମ୍ୟାଚ୍ ଜିତି ଚମତ୍କାର ଫର୍ମ‌ରେ ରହିଛି। ପାକିସ୍ତାନ ନିଜ ଗ୍ରୁପ୍ ପର୍ଯ୍ୟାୟରେ କେବଳ ଭାରତଠାରୁ ହାରିଛି। ଗତ ରବିବାର ହିଁ ପାକିସ୍ତାନକୁ ଭାରତ ୯୦ ରନ୍‌ରେ ହରାଇଥିଲ। ଏଣୁ ଫାଇନାଲ୍ ବେଶ୍ ପ୍ରତିଦ୍ବନ୍ଦ୍ବିତାଭରା ଏବଂ ହାଇଭୋଲ୍‌ଟେଜ୍ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି।

ଭାରତ ସେମିଫାଇନାଲ୍‌ରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ଏବଂ ପାକିସ୍ତାନ ଗତଥରର ବିଜେତା ବାଂଲାଦେଶକୁ ହରାଇ ଫାଇନାଲ୍‌କୁ ଯାଇଛି। ସବୁ ଦୃଷ୍ଟିରୁ କିନ୍ତୁ ଭାରତର ପଲା ଭାରି ରହିଛି। ବିସ୍ଫୋରକ ବୈଭବ ସୂର୍ଯ୍ୟବଂଶୀ, ଅଧିନାୟକ ଆୟୁଷ ମହାତ୍ରେ, ୱିକେଟ୍ ରକ୍ଷକ ଅଭିଜ୍ଞାନ କୁଣ୍ଡୁ ଚମତ୍କାର ଫର୍ମରେ ଅଛନ୍ତି।

ବୋଲିଂରେ ଦୀପେଶ ଦେବେନ୍ଦ୍ରନ୍  ପାକିସ୍ତାନ ପାଇଁ ପ୍ରମୁଖ ମୁଣ୍ଡବ୍ୟଥାର କାରଣ ହେବେ। ଗତ ସେପ୍ଟେମ୍ବରରେ ଭାରତୀୟ ବରିଷ୍ଠ ଦଳ ପାକିସ୍ତାନକୁ ତିନି ଥର ହରାଇ ଏସିଆ କପ୍ ଟ୍ରଫି ଜିତିଥିଲା। କନିଷ୍ଠ ଦଳ ମଧ୍ୟ ଏହି ଧାରା ବଜାୟ ରଖିବା ଆଶାରେ ଅଛି। ପାକିସ୍ତାନ କେବଳ ଥରେ (୨୦୧୨) କନିଷ୍ଠ ଏସିଆ କପ୍ ଜିତିଥିଲା ବେଳେ ଦୁଇ ଥର (୨୦୧୩-୧୪ ଓ ୨୦୧୭) ଉପବିଜେତା ହୋଇଛି। ଏଣୁ ୧୩ ବର୍ଷ ପରେ ଦ୍ବିତୀୟବାର ଏସିଆ କପ୍ ଜିତିବା ଆଶା ରଖିଛି। ଭାରତ ପୂର୍ବରୁ ୮ ଥର (୭ ଥର ବିଜେତା ଏବଂ ଥରେ ପାକିସ୍ତାନ ସହ ଯୁଗ୍ମବିଜେତା) କନିଷ୍ଠ ଏସିଆ କପ୍ ଟ୍ରଫି ଜିତିଥିଲା ବେଳେ ଏଥର ରେକର୍ଡ ନବମ ଟ୍ରଫି ଜିତିବାକୁ ଚେଷ୍ଟା କରିବ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button