Breaking News

ପୁସ୍ତକରେ ରହିଛି ଊର୍ଦ୍ଧ୍ୱମୁଖୀ ଚେତନାରେ ସମାଜ କଲ୍ୟାଣର ଆଲେଖ୍ୟ

ସଂପର୍କର ପରିଭାଷା ପୁସ୍ତକ  "ଅନସ୍ପୋକନ" ଉନ୍ମୋଚିତ

ଭୁବନେଶ୍ଵର: ବିଶିଷ୍ଟ ଐତିହାସିକା ଏବଂ ସୁଲେଖିକା ଶର୍ମିଷ୍ଠା ଗୁପ୍ତୁଙ୍କ ଅନ୍ୟତମ ସାରସ୍ଵତ ଅବଦାନ “ଅନସ୍ପୋକନ” ପୁସ୍ତକ ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍‌ ମହାନ୍ତିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକ ଉନ୍ମୋଚନ କାଳରେ କ୍ରୀଡା ସଚିବ ଆର୍. ଭିନିଲ୍‌ କ୍ରୀଷ୍ଣା, ବିଶିଷ୍ଟ କ୍ରୀଡା ଉଦ୍ ଘୋଷକ ତଥା ଲେଖିକାଙ୍କ ସ୍ଵାମୀ ବୋରିଆ ମଜୁମଦାର ଓ ସମାଜସେବୀ ତଥା ଅଧିବକ୍ତା ରେଖା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ ।

ବ୍ୟକ୍ତିଗତ ଅନୁଭୂତି ବେଳେବେଳେ ଅମୂଲ୍ୟ ସାବ୍ୟସ୍ତ ହୁଏ । ଅନୁଭବ ଆଣେ ସତ୍ୟ ଚେତନା। ଊର୍ଦ୍ଧ୍ୱମୁଖୀ ଚେତନା କରେ ସମାଜ କଲ୍ୟାଣ । ବିସ୍ତାରିତ ହୃଦୟର ଭାଷା ଛୁଏଁ ପ୍ରତିଟି ମନ ଓ ପ୍ରାଣକୁ । ନିଜ ଚାରିପାଖର ଚରିତ୍ର ସବୁକୁ ସାଉଁଟି ଆଣି ଅଲିଭା ସ୍ମୃତିରେ ସଜେଇଛନ୍ତି ଶର୍ମିଷ୍ଠା ଗୁପ୍ତୁ ନିଜ ରଚିତ ପୁସ୍ତକ “ଅନସ୍ପୋକନ” ରେ । କୋଭିଡ୍  ମହାମାରୀ ତାଡନାର “ଅକୁହା କଥା” । ମହାମାରୀ ସମୟରେ ନିଜେ ଲେଖିକା ଦୀର୍ଘକାଳୀନ ମାନସିକ ଅସନ୍ତୁଳନ ଜନିତ ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବା ଓ ବାଧ୍ୟ ବାଧକତାରେ ଘରେ ରହିବା ସମୟରେ ଅତି ନିକଟରୁ ପରଖିଛନ୍ତି ସଂପର୍କର ପରିଭାଷା। ପୀଡିତା ପ୍ରତି ସାମାଜିକ ଦୃଷ୍ଟିକୋଣ, ସଂପର୍କୀୟଙ୍କ ବ୍ୟବହାର ତଥା ପାରିବାରିକ ମନୋଭାବର ତର୍ଜମା କରିଛନ୍ତି ନିରୋଳା ସମୟରେ-ନିର୍ମଳ ଚେତନାରେ-ନିଃସ୍ଵାର୍ଥ ମନୋଭାବରେ । ନିଜେ ଲେଖିକା ଅଙ୍ଗେ ନିଭାଇଥିବା ଅକୁହା କଥାର ସାରମର୍ମ ପ୍ରତିଫଳିତ କରିଛି ପୁସ୍ତକ “ଅନସ୍ପୋକନ”।

“ୱକିଙ୍କ ବୁକ୍ ଫେୟାର୍ସ ” ଦ୍ଵାରା ପ୍ରକାଶିତ ଓ ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ପ୍ରତ୍ୟେକ ବର୍ଗର ପାଠକଙ୍କୁ ଆକୃଷ୍ଟ କରିବ ବୋଲି ପୁସ୍ତକ ଉନ୍ମୋଚନ ସମୟରେ ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଆଶାପୋଷଣ କରିଛନ୍ତି।

Comments are closed.