Breaking News

ରାଜ୍ୟରେ ବଢିଛି ନିଯୁକ୍ତି ହାର : ବର୍ଷକ ମଧ୍ୟରେ ବିଭିନ୍ନ ବିଭାଗରେ ପୂରଣ ହୋଇଛି ୩୦ ହଜାରରୁ ଉର୍ଦ୍ଧ୍ବ ପଦ

0

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିକାଶର ଶିଖର ଛୁଇଁଛି। ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟରେ ଖାଲିଥିବା ସବୁ ପଦ ପୂରଣ କରିବା ଲକ୍ଷ୍ୟରେ ଅଛନ୍ତି ରାଜ୍ୟ ସରକାର।

ଏହି କ୍ରମରେ ବୁଧବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପ୍ରାୟ ୪୦୦ ଓଡ଼ିଶା ଲୋକସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସେହିପରି ଆସନ୍ତା ୧୨ ତାରିଖରେ ମଧ୍ୟ ଶ୍ରୀ ପଟ୍ଟନାୟକ ଜିଲ୍ଲା କେନ୍ଦ୍ରୀୟ ସମବାୟ ସଂସ୍ଥାରେ ୨୭ ଜଣ ସିଷ୍ଟମ୍‌‌ ମ୍ୟାନେଜର ଏବଂ ୨୫୪ ସହକାରୀ ମ୍ୟାନେଜରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏହାକୁ ମିଶାଇ ଗତ ବର୍ଷକ ଭିତରେ ବିଭିନ୍ନ ବିଭାଗ ଓ ବିଭିନ୍ନ ପଦରେ ୩୦ ହଜାରରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ବୋଲି ସରକାରୀ ତଥ୍ୟରୁ ସ୍ପଷ୍ଟହୋଇଛି। ପରିଣାମ ସ୍ୱରୂପ ବେକାରୀ ହାର ହ୍ରାସ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ପହଞ୍ଚି ପାରିଛି।

ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଭିତ୍ତିଭୂମି ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏ ଦୃଷ୍ଟିରୁ ଶାସନ କଳରେ ପର୍ଯ୍ୟାପ୍ତ ମାନବସମ୍ବଳର ଆବଶ୍ୟକତା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଆଇନ୍‌‌ ଶୃଙ୍ଖଳା ରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେମାନେ ହିଁ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ଓ ବିଫଳତା ପାଇଁ ଦାୟୀ। ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନ ସେବା ପ୍ରଦାନ କରିବା ମଧ୍ୟ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ୨୦୨୪ ସୁଦ୍ଧା ସମସ୍ତ ଖାଲି ପଦ ପୂରଣ ପାଇଁ କ’ଣ ପଦକ୍ଷେପ ନିଆଯାଉଛି ତାହା ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ସମୀକ୍ଷା କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗକୁ ପତ୍ର ଲେଖି ୨୦୨୩ ଡିସେମ୍ବର ସୁଦ୍ଧା ଖାଲି ଥିବା ଏବଂ ଆଗକୁ ଖାଲି ହେବାକୁ ଥିବା ପଦବୀ ସମ୍ପର୍କରେ ତଥ୍ୟ ମାଗିଛନ୍ତି। ଏହି ଅନୁସାରେ ସବୁ ବିଭାଗ ‘ଗ୍ରୁପ୍‌‌ ଏ’ଠାରୁ ଆରମ୍ଭ କରି ‘ଗ୍ରୁପ୍‌‌ ଡି’ ପଦ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଆଧାରରେ ମୁଖ୍ୟ ସଚିବ ରାଜ୍ୟ ସରକାରଙ୍କର ନିଯୁକ୍ତିଦାତା ସଂସ୍ଥା ଓପିଏସ୍‌‌ସି, ଓଏସ୍‌‌ଏସ୍‌‌ସି, ଓଏସ୍‌‌ଏସ୍‌‌ଏସ୍‌‌ସି, ଓପିଆରବିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ କୋଭିଡ୍‌‌ ମହାମାରୀ ଜନିଜ ସମସ୍ୟା ହେତୁ ସରକାରୀ ଚାକିରୀ ପାଇଁ ସର୍ବାଧିକ ବୟସସୀମାକୁ ସରକାର ୩ ବର୍ଷ ବୃଦ୍ଧି କରିଛନ୍ତି। ସେହିପରି ଓଡ଼ିଶା ସିଭିଲ୍‌‌ ସର୍ଭିସ୍‌‌ ଆଶାୟୀ ପ୍ରାର୍ଥୀଙ୍କୁ ସରକାର ଆଉ ଏକ ସୁଯୋଗ ପ୍ରଦାନ କରିଛନ୍ତି।

ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ବିଶେଷକରି ଗ୍ରୁପ୍‌‌-ସି, ଗ୍ରୁପ୍‌‌-ବି ପାହ୍ୟାରେ ବ୍ୟାପକ ନିଯୁକ୍ତି ଦିଆଯାଉଛି। ଅକ୍ଟୋବର ମାସରେ ସ୍ୱାସ୍ଥ୍ୟ ବିଭାଗରେ ୧୪୩ ଜଣ ଆୟୁର୍ବେଦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ନଭେମ୍ବର ମାସରେ ଜଳ ସମ୍ପଦ ବିଭାଗରେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଥିଲା। ଅଗଷ୍ଟ ୧୯ ତାରିଖ ଦିନ ରାଜ୍ୟ ସରକାର ୫୫୦ ଜଣ ଲ୍ୟାବ୍‌‌ ଟେକ୍ନିସିଆନ୍‌‌ଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପ୍ରଦାନ କରିଥିଲେ। ଅଗଷ୍ଟ ୩୦ ତାରିଖରେ ୨୭୪ ଜଣ ଅଧ୍ୟାପକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଉକ୍ତ ଦିନ ୩୫ ଜଣ ସହକାରୀ ପରିବେଶ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ନଭେମ୍ବରରେ ୧୩୦ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ମେଡିକାଲ କଲେଜରେ ନିଯୁକ୍ତ କରାଯାଇଥିଲା।

ସେହିପରି ସେପ୍ଟେମ୍ବର ୮ ତାରିଖରେ ୧୪୭ ଜଣ କମନ୍‌‌ କ୍ୟାଡର୍‌‌ ଅଡିଟର୍‌‌ ଅର୍ଥ ବିଭାଗରେ ନିଯୁକ୍ତି ପାଇଥିବା ବେଳେ ୯ ତାରିଖରେ ୧୮୪ ଜଣ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ କୃଷି ବିଭାଗରେ ନିଯୁକ୍ତି ଦିଆଯାଇ ଥିଲା। ଅଗଷ୍ଟ ୨୫ ତାରିଖ ଦିନ ୩୩୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ଜୁନିଅର ଲାଇବ୍ରେରିଆନ୍‌‌ ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧୭ ତାରିଖ ଦିନ ୩୦ ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ୍‌‌ ଇଞ୍ଜିନିୟର ଶକ୍ତି ବିଭାଗରେ କର୍ମନିଯୁକ୍ତି ପାଇଥିଲେ। ୨୦୨୧ ଜୁଲାଇ ୧ ତାରିଖ ଦିନ ୫୬ ଜଣ ଇକୋନୋମିକ୍‌‌ ଇନଭେଷ୍ଟିଗେଟର ଯୋଜନା ଓ ସଂଯୋଜନ ବିଭାଗରେ ନିଯୁକ୍ତି ପାଇଥିଲେ। ଜୁନ୍‌‌ ୨୬ ତାରିଖ ଦିନ ୩୯ ଜଣ କ୍ରୀଡ଼ାବିତ୍‌‌ଙ୍କୁ ରାଜ୍ୟ ସରକାର ପୁଲିସ ବିଭାଗରେ ଚାକିରି ପାଇଥିଲେ।

ସେହିପରି ୨୦୨୧ ଡିସେମ୍ବର ମାସରେ ୬୦୩୧ ଏବଂ ଗତବର୍ଷ ଅଗଷ୍ଟ ମାସରେ ୬୯୦୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ମିଳିଥିଲା। ଆଦର୍ଶ ବିଦ୍ୟାଳୟରେ ମଧ୍ୟ ୧୭୪୯ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ଏହା ପରେ ଦୁଇଟି ପର୍ଯ୍ୟାୟରେ ୧୨୭୨ ଜଣ ଅଧ୍ୟାପକ ନିଯୁକ୍ତି ପାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ପଦବୀ ପୂରଣ ନୁହେଁ, ପୂରା ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ପାରଦର୍ଶୀ ହେବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ନିଯୁକ୍ତି ପାଉଥିବା ପ୍ରାର୍ଥୀମାନେ ନିଯୁକ୍ତି ସମାରୋହରେ ଏହାକୁ ସ୍ୱୀକାର କରିବା ସହିତ ‘୫-ଟି’ ଉପକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ସରକାରୀ ବିଭାଗରେ ଦକ୍ଷତା ବଳରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇ ପାରୁଛି। ‘୫-ଟି’ ଉପକ୍ରମର ଅନୁପାଳନ ସ୍ୱରୂପ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି।

Leave A Reply

Your email address will not be published.