ଓଡିଶା

Odisha’s Yamuna: ଜୀରା ଏବେ ଜରାଜୀର୍ଣ୍ଣ ଯନ୍ତ୍ରଣାରେ ଓଡ଼ିଶାର ଯମୁନା

ପାଖେଇ ଆସୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଯାତ୍ରା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ବିଶ୍ୱର ସର୍ବବୃହତ୍‌ ଖୋଲାମଞ୍ଚ ଏହି ଧନୁଯାତ୍ରା ହୋଇଥିବାରୁ ନଦୀ ଓ ଜଳାଶୟଗୁଡ଼ିକର....

ବରଗଡ଼: ପାଖେଇ ଆସୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଯାତ୍ରା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ବିଶ୍ୱର ସର୍ବବୃହତ୍‌ ଖୋଲାମଞ୍ଚ ଏହି ଧନୁଯାତ୍ରା ହୋଇଥିବାରୁ ନଦୀ ଓ ଜଳାଶୟଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ବିଶେଷ କରି ବରଗଡ଼ ଦେଇ ବହିଯାଇଥିବା ଜୀରା ନଦୀ ଧନୁଯାତ୍ରା ସମୟ‌ରେ ପାଲଟି ଯାଇଥାଏ ଦ୍ବାପରଯୁଗର ‘ଯମୁନା’। କିନ୍ତୁ ଏହି ଐତିହାସିକ ଜୀରା ନଦୀ ଏବେ ଯନ୍ତ୍ରଣା ଭୋଗୁଛି। ପ୍ରଦୂଷିତ ପରିବେଶ, ସହରୀକରଣ ଓ ଶିଳ୍ପାୟନ ପାଇଁ ସତ୍ତା ହରାଇ ବସିଛି। ପାଣି ବି ଆଉ ସେତେ ପ୍ରବାହିତ ହେଉନି। ଏହି ନଦୀର ପୁନରୁଦ୍ଧାର ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନିକ କଳ ସେତେଟା ଧ୍ୟାନ ଦେଉ ନାହିଁ।

ଯେମିତି ଅଧିକାଂଶ ସହରୀ ସଭ୍ୟତା କୌଣସି ନା କୌଣସି ନଈକୂଳରେ ଗଢ଼ି ଉଠିଥାଏ, ସେମିତି ଜୀରା ନଈ କୂଳେ କୂଳେ କାୟା ମେଲାଇଛି ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ବରଗଡ଼। ଛତିଶଗଡ଼ ମଲିଖମନରୁ ଜୀରା ନଦୀର ଉତ୍ପତ୍ତି ହୋଇ ବରଗଡ଼ ଜିଲ୍ଲା ବ୍ରାହ୍ମଣତୁରୁମ ନିକଟରେ ମହାନଦୀରେ ଲୀନ ହୋଇଛି। ଏହି ନଦୀର ଉଭୟ ପାର୍ଶ୍ବରେ ରହିଛି ପ୍ରାୟ ୮୮ଟି ଗାଁ। ଛତିଶଗଡ଼ର ମଧ୍ୟ କିଛି ଗାଁ ରହିଛି। କିନ୍ତୁ ନଦୀକୁ ଲାଗି ବରଗଡ଼ ଜିଲ୍ଲାର ପ୍ରାୟ ୭୫ଟି ଗାଁ ରହିଛି। ଏହି ନଦୀ ଏକଦା ବରଗଡ଼ ଜିଲ୍ଲାର ଜୀବନରେଖା ଥିଲା। ନଦୀକୂଳିଆ ଗାଁର ଲୋକମାନେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିଲେ। ଧୀବରମାନେ ମଧ୍ୟ ମାଛ ଧରୁଥିଲେ। କିନ୍ତୁ ସମୟକ୍ରମେ ଜୀରା ଏବେ ଜରାଜୀର୍ଣ୍ଣ। ବରଗଡ଼ ପୌରାଞ୍ଚଳର ନର୍ଦ୍ଦମା ପାଣି ଏହି ନଦୀରେ ମିଶୁଛି। ଅଳିଆ ଆବର୍ଜନା ନଦୀରେ ଫିଙ୍ଗାଯାଉଛି। ଯାହାକୁ ନେଇ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ମଧ୍ୟ ମାମଲା ରହିଛି। କେବଳ ସେତିକି ନୁହଁ, ଜୀରା ନଦୀପଠାକୁ ମଧ୍ୟ କିଛି ଲୋକ ଜବରଦଖଲ କରିଛନ୍ତି। ପୂର୍ବରୁ ରିଂରୋଡ୍‌ ସର୍ଭେ ସମୟରେ ନଦୀ ଭିତରେ ଜଣେ ବ୍ୟକ୍ତିଙ୍କ ଜମିଥିବା ଜଣାପଡ଼ିଥିଲା। ସେହିପରି ଜୀରାରୁ ବାଲି ମଧ୍ୟ ଅବାଧରେ ଚାଲାଣ ହେଉଛି। ବାଲି ଚୋରି ରୋକିବାକୁ ଖଣି ବିଭାଗ କାଁଭାଁ ପଦକ୍ଷେପ ନେଉଛି। ବର୍ଷସାରା ନଦୀର ବିଭିନ୍ନ ସ୍ଥାନରୁ ବାଲିଚୋରି ହେଉଛି। ଆସନ୍ତା ଧନୁଯାତ୍ରା ସମୟରେ ହଜାର ହଜାର ଦର୍ଶକ ଧନୁଯାତ୍ରା ଦେଖିବାକୁ ଆସିବେ। ସ୍ବାଭାବିକ ଭାବେ ନଦୀ ମଧ୍ୟ ସେମାନଙ୍କ ଦୃଷ୍ଟିକୁ ଆସିବ। ନଦୀର ପ୍ରଦୂଷିତ ସଂକୀର୍ଣ୍ଣ ଜଳଧାରା ସେମାନଙ୍କ ମନ‌ରେ ନିଶ୍ଚିତ ରୂପେ ନକାରାତ୍ମକ ପ୍ରଭାବ ପକାଇବ। ରାଜ୍ୟ ସରକାର ଜୀରା ନଦୀରେ ଏକ ଆନିକଟ ନିର୍ମାଣର ପ୍ରସ୍ତାବ ରଖିଛନ୍ତି। ଏହି କାମ ଶୀଘ୍ର ହେଲେ ନଦୀର ସ୍ଥିତିରେ କିଛିଟା ସୁଧାର ଆସିବ ବୋଲି କୁହାଯାଉଛି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button