ଓଡିଶାଜିଲ୍ଲା

Vigilance: କନିଷ୍ଠ କିରାଣିଙ୍କ ଘର ଦେଖି ତାଜୁବ୍‌ ଭିଜିଲାନ୍‌ସ: ମାତ୍ର ୮ ହଜାର ଦରମାରୁ ଚାକିରି ଆରମ୍ଭ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରାଙ୍କ ଘର ଦେଖି ତାଜୁବ ଭିଜିଲାନ୍‌ସ ଅଧିକାରୀ। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ଏହି ଧୃତ କିରାଣିଙ୍କ ଅନୁଗୁଳ ସହରରେ ରହିଛି ବିଳାସମୟ କୋଠା।

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରାଙ୍କ ଘର ଦେଖି ତାଜୁବ ଭିଜିଲାନ୍‌ସ ଅଧିକାରୀ। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ଏହି ଧୃତ କିରାଣିଙ୍କ ଅନୁଗୁଳ ସହରରେ ରହିଛି ବିଳାସମୟ କୋଠା। ଯେଉଁଥିରେ ଖଞ୍ଜାଯାଇଛି ଅତ୍ୟାଧୁନିକ ସାମଗ୍ରୀ। ରହିଛି ଦାମୀ କାର୍‌, ସୁନା, ଗହଣା ଓ ଦାମୀ ଘଣ୍ଟା। ତାଙ୍କର ୫ଟି ଠିକଣାରେ ଆଜି ଭିଜିଲାନ୍‌ସ ଚଢ଼ଉ କରିଥିବା ବେଳେ ତାଙ୍କ ସଂପତ୍ତି ଦେଖି ଭିଜିଲାନ୍‌ସ ଅଧିକାରୀଙ୍କ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କର ବିପୁଳ ସଂପତ୍ତିର ପ୍ରମାଣ ପାଇଛି ଭିଜିଲାନ୍‌ସ। ତାଙ୍କର ୩ ମହଲା କୋଠା ସହ ପାଖାପାଖି ୪୫୦ ଗ୍ରାମ୍‌ ସୁନା ଓ ଦାମୀ କାର୍‌ ରହିଛି। ଚଢ଼ଉ ଶେଷ ହୋଇ ନଥିବାରୁ ସଂପତ୍ତିର ପରିମାଣ ଅଧିକ ବଢ଼ିବାର ସମ୍ଭାବନା ରହିଛି।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ ବେହେରା ସରକାରୀ ଅର୍ଥ ତୋଷରପାତ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ମିଥ୍ୟା ବିଲ୍‌, ଭାଉଚର୍‌ କରି ସେ ୨ କୋଟି ୩୮ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ପରେ ଏହି ମାମଲାକୁ ଭିଜିଲାନ୍‌ସ ନେଇଥିଲା। ଗତକାଲି ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ ଜେରା କରିବା ପରେ ଛାଡ଼ି ‌ଦେଇଥିଲେ। ଆଜି ସକାଳୁ ତାଙ୍କର ୫ଟି ଠିକଣାରେ ଚଢ଼ଉ କରାଯାଇଥିଲା। ଅନୁଗୁଳ ସହର ହାକିମପଡ଼ାସ୍ଥିତ ତାଙ୍କର ୩ ମହଲା କୋଠା, ବଅଁରପାଳ ବ୍ଲକ୍‌ ବନ୍ଦା ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘର, ହିନ୍ଦୋଳ ଥାନା ବାଉଁଶପୋଖରୀରେ ଥିବା ତାଙ୍କ ପୈତୃକ ବାସଭବନ, ଭୁବନେଶ୍ବର ଶ୍ରୀବିହାରରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘର ଓ ଅନୁଗୁଳ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ‌ରେ ଥିବା ଶ୍ରୀ ବେହେରାଙ୍କ ଥିବା ପ୍ରକୋଷ୍ଠରେ ଏକକାଳୀନ ଚଢ଼ଉ କରାଯାଇଥିଲା। ୫ ଜଣ ଡିଏସ୍‌ପିଙ୍କ ନେତୃତ୍ବ‌ରେ ୮ ଜଣ ଇନ୍‌ସପେକ୍ଟର, ୧୪ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ଚଢ଼ଉ ସମୟରେ ଭିଜିଲାନ୍‌ସ ବହୁ ସଂପତ୍ତିର ପ୍ରମାଣ ପାଇଛି। ହାକିମପଡ଼ାରେ ତାଙ୍କର ଏକ ବିଳାସପୂର୍ଣ୍ଣ ୩ ମହଲା ଘର ଦେଖିବାକୁ ମିଳିଛି। ଏଥିରେ ବହୁ ମୂଲ୍ୟବାନ ସୌଖୀନ ସାମଗ୍ରୀ ଲାଗିଛି। ଏହାର ମୂଲ୍ୟ ଆକଳନ ଚାଲିଥିବା ଭିଜିଲାନ୍‌ସ କହିଛି। ସେହିପରି ତାଙ୍କ ପାଖରୁ ୪୫୦ ଗ୍ରାମ୍‌ ସୁନା, ଗୋଟିଏ ସ୍କୋଡା କାର୍‌ ଓ ଗୋଟିଏ ୩ ଚକିଆ ଗାଡ଼ି ମିଳିଛି। ଏହା ବାଦ୍‌ ଅନେକ ବ୍ୟାଙ୍କ ପାସ୍‌ବୁକ୍‌, ପୋଷ୍ଟାଲ ଜମାଖାତା ସହ ବହୁ କାଗଜପତ୍ର ଜବତ କରିଛି। ଏଗୁଡ଼ିକର ହିସାବ କରୁଛି ଭିଜିଲାନ୍‌ସ। ଚଢ଼ଉ ଚାଲିଥିବାରୁ ତାଙ୍କ ପାଖରୁ ଆହୁରି ଅଧିକ ସଂପତ୍ତି ମିଳିବାର ସମ୍ଭାବନା ରହିଥିବା କୁହାଯାଉଛି।

ମାତ୍ର ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା କନିଷ୍ଠ କିରାଣିଙ୍କ ଏତେ ସଂପତ୍ତି ଦେଖି ତାଜୁବ୍‌ ହୋଇଛି ଭିଜିଲାନ୍‌ସ। ସେ ଏତେ ସଂପତ୍ତି କେମିତି ଠୁଳ କଲେ ତା’ର ହିସାବ ଚାଲିଛି। ଭିଜିଲାନ୍‌ସ ପକ୍ଷରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button