ଭୁବନେଶ୍ବର: ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ବିଜୟ ହାସଲ କରିଛି। ବେଙ୍ଗାଲୁରୁ ନିକଟସ୍ଥ ଆଲୁର କେଏସ୍ସିଏ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ଏକ ଏଲିଟ୍ ‘ଡି’ ମ୍ୟାଚ୍ରେ ଓଡ଼ିଶା ୬ ୱିକେଟ୍ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଏଥି ସହ ଚଳିତ ବର୍ଷ ବାରବାଟୀରେ ରଣଜୀ ଟ୍ରଫିରେ ଓଡ଼ିଶାକୁ ହରାଇଥିବା ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିପ୍ଳବ ସାମନ୍ତରାୟଙ୍କ ଦଳ ପ୍ରତିଶୋଧମୂଳକ ବିଜୟ ବି ପାଇଛି। ସୋମବାର ଓଡ଼ିଶା ବିଜୟରେ ଅଭିଜ୍ଞ ଅଲ୍ରାଉଣ୍ଡର୍ ଗୋବିନ୍ଦ ପୋଦ୍ଦାର ଏବଂ ଯୁବ ବ୍ୟାଟର୍ ଓମ୍ ଟି ମୁଣ୍ଡେଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଓଡ଼ିଶା ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଏଣ୍ଟ୍ ଟେବୁଲ୍ର ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ରହିଛି।

