Village: ଏମିତି ଚାଲିଛି ଗାଁ ବିକାଶ… ନଳକୂଅ ଖରାପ, ନାଳ ପାଣି ଭରସା
ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ, ଦେଶ ଆଗକୁ ବଢ଼ିବ। ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ସରକାର। ଗ୍ରାମାଞ୍ଚଳ ବିକାଶର ସ୍ଥିତି ପରଖିବାକୁ ‘ସମ୍ବାଦ’ ପହଞ୍ଚିଥିଲା ଅନୁଗୁଳ କିଶୋରନଗର ବ୍ଲକ ନୂଆବାଲିଖମଣ ଗାଁରେ।

କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ, ଦେଶ ଆଗକୁ ବଢ଼ିବ। ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ସରକାର। ଗ୍ରାମାଞ୍ଚଳ ବିକାଶର ସ୍ଥିତି ପରଖିବାକୁ ‘ସମ୍ବାଦ’ ପହଞ୍ଚିଥିଲା ଅନୁଗୁଳ କିଶୋରନଗର ବ୍ଲକ ନୂଆବାଲିଖମଣ ଗାଁରେ। ହେଲେ ସେଠି ପହଞ୍ଚିଲା ପରେ ଲାଗିଲା ସତେଯେମିତି ମୌଳିକ ସୁବିଧା ବି ଗ୍ରାମବାସୀଙ୍କ ପାଇଁ ସାତପସନ। ଅନୁଗୁଳ ବଇଣ୍ଡାଛକ ପରେ ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥଠୁ ଡାହାଣ ପାର୍ଶ୍ବରେ ବଣପାହାଡ଼ ଘେରା ଆବଡ଼ାଖାବଡ଼ା ରାସ୍ତାରେ ୪ କିଲୋମିଟର ଯିବା ପରେ ରହିଛି ନୂଆବାଲିଖମଣ ଗାଁ। ପ୍ରାୟ ୩୫ ପରିବାର ବସବାସ କରୁଥିବା ଛୋଟ ଗାଁଟି ୬୦ ବର୍ଷ ପୂର୍ବେ ଗଢ଼ିଉଠିଛି। ଏହି ଗାଁ ନାମରେ ସେମାନଙ୍କର ଭୋଟର କାର୍ଡ, ଆଧାର କାର୍ଡ ଅଛି, ରାସନ ବି ମିଳୁଛି। ହେଲେ ଗାଁର ୫ଟି ପରିବାରକୁ ଛାଡ଼ିଦେଲେ ଅନ୍ୟ କାହାକୁ ଜମିପଟ୍ଟା ଦେଇନାହାନ୍ତି ସରକାର। ଏଣୁ ଆବାସ ଯୋଜନାରେ ପକ୍କାଘର ପାଇବାରୁ ବଞ୍ଚିତ ହୁଅନ୍ତି ସେମାନେ। ନିର୍ବାଚନ ଆସିଲେ ଜମିପଟ୍ଟାଠୁ ଆରମ୍ଭ କରି ଆବାସ ଯାଏଁ ସବୁ କରେଇ ଦେବୁ କହି ନେତାଏ ଭୋଟ ତ’ ନେଇଯାଆନ୍ତି, ହେଲେ ତା’ ପରେ ଆଉ ସେମାନଙ୍କ ଦେଖା ମିଳେନି ବୋଲି କ୍ଷୋଭର ସହ କହିଛନ୍ତି ଗାଁର ବସନ୍ତ ଟେଟେ।




