ଓଡିଶା

Village: କୂଳ ଖାଉଛି ବ୍ରାହ୍ମଣୀ ଜୀବନ ଜୀବିକା ଦୋଛକିରେ: ଲୀନ ହେବ ୬ ଗାଁ

ସମଲ ବ୍ୟାରେଜ୍‌ ଓ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା କ୍ଷତିଗ୍ରସ୍ତ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ୬ଟି ଗାଁର ଲୋକଙ୍କ ଦୁଃଖ କହିଲେ ନସରେ। ଲୋକେ ନଦୀକୂଳରେ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି।

ଭୂପେନ ଗଡ଼ନାୟକ

କଣିହାଁ: ସମଲ ବ୍ୟାରେଜ୍‌ ଓ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା କ୍ଷତିଗ୍ରସ୍ତ ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ର ୬ଟି ଗାଁର ଲୋକଙ୍କ ଦୁଃଖ କହିଲେ ନସରେ। ଲୋକେ ନଦୀକୂଳରେ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି। ନଦୀକୂଳରେ ଥିବା ଶହ ଶହ ଏକର ଜମି ଜଳମଗ୍ନ ହୋଇଯାଉଛି। ଫଳରେ ସେମାନଙ୍କ ବର୍ଷକର ଆହାର ଉଜୁଡ଼ି ଯାଉଛି। ପ୍ରଶାସନ ଏବଂ ସ୍ଥାନୀୟ ରାଜନେତାଙ୍କୁ ଲୋକେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନି।  ନାଲମ, ତାଳପଦା, ଦୁର୍ଗାପୁର, ଗହମ, ଶିପୁର ଓ କୁସୁମପାଳ ଗାଁ ପାଇଁ ବିପଦ ସାଜିଛି ବ୍ରାହ୍ମଣୀ ନଦୀ।  ବିଗତ ଦିନରେ ଏହି ସବୁ ଗାଁର କିଛି ଲୋକଙ୍କ ଘର ଓ ଜମି  ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇଥିବା ବେଳେ ଆଉ କେତେକ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଋତୁରେ ବନ୍ୟା ଆସିବା ଦ୍ବାରା ବ୍ରାହ୍ମଣୀ ନଦୀର ଗତିପଥ ବଦଳିବା ଯୋଗୁଁ ଜନବସତି ପ୍ରତି ବିପଦ ଘନଉଛି। ଆଜିକୁ ୧୮ ବର୍ଷ ପୂର୍ବେ ଏହି ସବୁ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀ ନଦୀ ଏବେ ଗାଁ ପାଖକୁ ମାଡ଼ି ଆସିଲାଣି।

ବର୍ଷାଋତୁ ଆସିଲେ ଅସରନ୍ତି ଦୁଃଖ 

ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ କୂଳଠାରୁ ୧୦୦ ଫୁଟ ଦୂରତା ମଧ୍ୟରେ ବସବାସ କରୁଥିବା କଣିହାଁ ବ୍ଲକର ଏହି ୬ଟି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ୨୦୧୬ ମସିହାରେ ରାଜ୍ୟ ଜଳସମ୍ପଦ ବିଭାଗ ଘର ଓ ଜମିର କ୍ଷତିପୂରଣ ଆକଳନ କରି ସେମାନଙ୍କୁ ଅର୍ଥ ପ୍ରଦାନ ମଧ୍ୟ କରିଥିଲା। ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବିସ୍ଥାପିତ କରାଯାଇ ନାହିଁ। ୨୦୨୦ ଡିସେମ୍ବରରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ, ବିଧାୟକ, ସମଲ ବ୍ୟାରେଜ୍‌ ଅଧୀକ୍ଷଣ ଯନ୍ତ୍ରୀ,  ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ, ଜୋନ୍‌ ଅଫିସର, ସମଲ ବ୍ୟାରେଜ୍‌ ବାସଚ୍ୟୁତ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନିଆଯାଇଥିବା ନିଷ୍ପତ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଲୋକଙ୍କୁ ବିସ୍ଥାପିତ କରାଗଲା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତୁରନ୍ତ ଏହାର ସମାଧାନ କରା ନଗଲେ ଆଗାମୀ ଦିନରେ ସମଲ ବ୍ୟାରେଜ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସମାଜସେବୀ ସୁବ୍ରତ ଗଡ଼ନାୟକଙ୍କ ସମେତ ସମଲ ବ୍ୟାରେଜ୍‌ କ୍ଷତିଗ୍ରସ୍ତ ପ୍ରଜାସଂଘ ଚେତାବନୀ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button