Breaking News

‘ଏକତା ହିଁ ବଳ’: ଦୁଇ ଗ୍ରାମକୁ ସଂଯୋଗ ପାଇଁ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଜୁନାଗଡ : କେନାଲ ଉପରେ ନିଜେ ତିଆରି କରିଥିବା କାଠ ପୋଲରେ ନିଜେ ଚାଲିଲେ ଆଉ ପ୍ରଶାସନକୁ ଦେଖାଇ ଦେଲେ ଏକତାର ବଳ କେତେ। ପ୍ରଶାସନ ଯଦି ସମସ୍ୟା ନବୁଝେ, ଅଭିଯୋଗ ନଶୁଣେ ତେବେ ଲୋକେ ଏକାଠି ହୁଅନ୍ତି, ଆଉ ନିଜ ସମସ୍ୟାର ଏମିତି ସମାଧାନ କରି ପ୍ରଶାସନକୁ ମୁହଁତୋଡ ଜବାବ୍ ଦିଅନ୍ତି। ଯାହା କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରଣପୁର ଗାଁର ଯୋଜନାପଡ଼ା ଓ ଝାଙ୍କରପଡ଼ାବାସୀ।

ରଣପୁର ଗାଁକୁ ଲାଗି ଇନ୍ଦ୍ରାବତୀ ମୁଖ୍ୟ କେନାଲ ଯାଇଛି। କେନାଲର ଗୋଟିଏ ପଟେ ଯୋଜନାପଡା ଥିବା ବେଳେ ଅନ୍ୟପଟେ ଝାଙ୍କରପଡା ରହିଛି। କେନାର ଗୋଟିଏ ପରେ ଜୀବନ ରହୁଥିବା ବେଳେ ଅନ୍ୟପଟେ ରହିଛି ଜୀବିକା। ତେଣୁ କେନାଲ ଉପରେ ପୋଲଟିଏ ତିଆରି କରିବା ପାଇଁ ପଡାବସୀ ଦାବି କରୁଥିଲେ। ହେଲେ ପ୍ରଶାସନ ସେମାନଙ୍କ ଅଭିଯୋଗ ଶୁଣିଲା ନାହିଁ।

ଜୀବନ ଓ ଜୀବିକାକୁ ସଂଯୋଗ କରିବା ପାଇଁ ଗ୍ରାମବାସୀମାନେ ଏକାଠି ହୋଇଥିଲେ ଏବଂ ପୋଲଟିଏ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଏକାଠି ହୋଇ ଏକ କାଠ ପୋଲ ନିର୍ମାଣ କରିଥିଲେ। ଏହି କାଠ ପୋଲ ତିଆରି କରି ସେମାନେ ନିଜ ସମସ୍ୟାର ସମାଧାନ ବାଟ ଫିଟାଇଛଥିଲେ। ‘ଏକତା ହିଁ ବଳ’ରେ ମନ୍ତ୍ରିତ ହୋଇ ସମସ୍ତ ଗ୍ରାମବାସୀ ଏକାଠି ହୋଇ ସର୍ବସାଧାରଣଙ୍କ ପାଇଁ ପୋଲ ତିଆରି କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Comments are closed.