viral Photo:ଭାଇରାଲ ଫଟୋ ନେଇ ଆୟର୍ଲାଣ୍ଡରେ ଉତ୍ତେଜନା: ବଢୁଛି ଜେନୋଫୋବିୟା
ଆୟର୍ଲାଣ୍ଡର ଏକ ବିଶ୍ୱବିଦ୍ୟାଳୟର ଖାଦ୍ୟ ପ୍ୟାଣ୍ଟ୍ରି ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଲାଇନର ଏକ ଫଟୋ ସୋସିଆଲ ମିଡିଆରେ ବଡ଼ ବିବାଦ ସୃଷ୍ଟି କରିଛି। ଏହି ଫଟୋ ଭାଇରାଲ ହେବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବିରୋଧରେ ଜାତିଭେଦ ମନ୍ତବ୍ୟ ତଥା ଘୃଣାର ଲହରୀ ଖେଳିବାରେ ଲାଗିଛି।

ଡବଲିନ୍: ଆୟର୍ଲାଣ୍ଡର ଏକ ବିଶ୍ୱବିଦ୍ୟାଳୟର ଖାଦ୍ୟ ପ୍ୟାଣ୍ଟ୍ରି ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଲାଇନର ଏକ ଫଟୋ ସୋସିଆଲ ମିଡିଆରେ ବଡ଼ ବିବାଦ ସୃଷ୍ଟି କରିଛି। ଏହି ଫଟୋ ଭାଇରାଲ ହେବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବିରୋଧରେ ଜାତିଭେଦ ମନ୍ତବ୍ୟ ତଥା ଘୃଣାର ଲହରୀ ଖେଳିବାରେ ଲାଗିଛି। କୌଣସି ଠୋସ୍ ପ୍ରମାଣ ବିନା, ସମାଲୋଚକମାନେ ଭାରତୀୟ ସମ୍ପ୍ରଦାୟ ବିରୋଧରେ ମାଗଣା ସୁବିଧାର ଅପବ୍ୟବହାର କରିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଆୟର୍ଲାଣ୍ଡରେ ବଢୁଥିବା ଜେନୋଫୋବିୟା ବା ତଥା ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଗାଲୱେ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁ ମାଗଣା ଖାଦ୍ୟ ପାଇଁ ଛାତ୍ରଛାତ୍ରୀମାନେ ଧାଡ଼ିରେ ଠିଆ ହୋଇଥିବାର ଦେଖାଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କୌଣସି ପ୍ରମାଣ ବିନା ଦାବି କରିବା ଆରମ୍ଭ କରିଥିଲେ ଯେ, ଧାଡ଼ିରେ ଥିବା ୯୦% ଲୋକ ଭାରତୀୟ । କେତେକ ଏହାକୁ ଭାରତୀୟଙ୍କ ମଧ୍ୟରେ ଥିବା ଏକ ପୁରୁଣା ଅଭ୍ୟାସ ବୋଲି କଟାକ୍ଷ କରି ଟଙ୍କା ସଞ୍ଚୟ କରିବା ପାଇଁ ଏହାକୁ ଲାଇଫ୍ ହ୍ୟାକ୍ ବୋଲି କହିଥିଲେ।
ବାସ୍ତବତା ହେଉଛି, ଆୟର୍ଲାଣ୍ଡର ବର୍ତ୍ତମାନ ଏକ ଗମ୍ଭୀର ଗୃହ ସଙ୍କଟ ସହିତ ସଂଘର୍ଷ କରୁଛି। ଛାତ୍ରଛାତ୍ରୀମାନେ ୧,୦୦୦ ୟୁରୋ ପର୍ଯ୍ୟନ୍ତ ଭଡା ଦେଉଛନ୍ତି। ଆଇରିଶ ଟାଇମ୍ସ ରିପୋର୍ଟରେ ଧାଡ଼ିରେ ଥିବା ଛାତ୍ରଛାତ୍ରୀମାନେ କେବଳ ଭାରତୀୟ ବଂଶୋଦ୍ଭବ ବୋଲି ଉଲ୍ଲେଖ କରାଯାଇ ନାହିଁ କୁହାଯାଇଛି। ଗତ ବର୍ଷ, ଏହି ଖାଦ୍ୟ ବଣ୍ଟନ ସଂଗଠନ ଆବଶ୍ୟକ ଲୋକଙ୍କୁ ପ୍ରାୟ ୫ ଲକ୍ଷ ୟୁରୋ ମୂଲ୍ୟର ଖାଦ୍ୟ ବଣ୍ଟନ କରିଥିଲା।
ଏହି ଅନଲାଇନ୍ ଘୃଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଆୟର୍ଲାଣ୍ଡରେ ଭାରତୀୟମାନଙ୍କ ବିରୋଧରେ ଅନେକ ହିଂସାତ୍ମକ ଆକ୍ରମଣ ତଥା ଘୃଣା ଅପରାଧ ରିପୋର୍ଟ ହୋଇଛି। ସମ୍ପ୍ରତି, ଜଣେ ଭାରତୀୟ ଆମାଜନ ବୃତ୍ତିଗତ ସନ୍ତୋଷ ଯାଦବଙ୍କୁ ଛୁରାମାଡ଼ କରାଯାଇଥିଲା। ଏଭଳି ବଢୁଥିବା ଘଟଣାଗୁଡ଼ିକ ଯୋଗୁ ସେଠାରେ ରହୁଥିବା ତଥା ପାଠପଢୁଥିବା ଭାରତୀୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେମାନଙ୍କ ମଧ୍ୟରେ ଭୟର ଭାବନା ସୃଷ୍ଟି ହୋଇଛି।
ଭାରତରେ ଥିବା ଆୟର୍ଲାଣ୍ଡ ଦୂତାବାସ ଏହି ବଢୁଥିବା ଚିନ୍ତାକୁ ସ୍ୱୀକାର କରିଛି ଓ ଜାତିଗତ ଘଟଣାଗୁଡ଼ିକୁ ଏକ ଅତ୍ୟନ୍ତ ଗମ୍ଭୀର ସମସ୍ୟା ଭାବରେ ବର୍ଣ୍ଣନା କରିଛି। ଦୂତାବାସ ଅନୁଯାୟୀ ସାମ୍ପ୍ରତିକ ଘଟଣାଗୁଡ଼ିକ ସେଠାକାର ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ୧୦୦,୦୦୦ରୁ ଅଧିକ ଭାରତୀୟ ଆଇଟି ଓ ଔଷଧ ଭଳି କ୍ଷେତ୍ରରେ ଆୟର୍ଲାଣ୍ଡର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିତ୍ତିହୀନ ଗୁଜବ , ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ସେମାନେ ପୂର୍ବରୁ ଭିସା ଚ୍ୟାଲେଞ୍ଜ ଏବଂ ବର୍ଦ୍ଧିତ ଭଡାର ସମ୍ମୁଖୀନ ହେଉଛନ୍ତି। ସରକାରୀ ତଥ୍ୟର ଅଭାବ ସତ୍ତ୍ୱେ, ଭାରତୀୟମାନଙ୍କୁ ଜାଣିଶୁଣି ଟାର୍ଗେଟ କରିବା ଭାରତୀୟ ମଧ୍ୟରେ ବଢୁଥିବା ଭୟକୁ ପ୍ରତିଫଳିତ କରିଛି। ଛାତ୍ରଛାତ୍ରୀମାନେ ଏବେ କେବଳ ଆର୍ଥିକ ସମସ୍ୟା ନୁହେଁ ବରଂ ମାନସିକ ତଥା ସାମାଜିକ ଚାପର ମଧ୍ୟ ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଜୋନୋଫୋବିୟା ହେଉଛି, ବିଦେଶୀ, ଅନ୍ୟ ସଂସ୍କୃତିର ଲୋକ କିମ୍ବା ଅପରିଚିତ ଲୋକଙ୍କ ପ୍ରତି ଅଯୌକ୍ତିକ ଭୟ, ଘୃଣା କିମ୍ବା ପକ୍ଷପାତ। ଏହା ଜାତିଭେଦ ସହିତ ସମାନ। ଭିନ୍ନ ଜାତି କିମ୍ବା ଜାତୀୟତାର ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଏ କିମ୍ବା ସମାଜରୁ ବିଚ୍ଛିନ୍ନ କରାଯାଇ ବିଭେଦଭାବ କରାଯାଏ। ଏହା ସାମାଜିକ ଓ ଆର୍ଥିକ ଅସୁରକ୍ଷାରୁ ସୃଷ୍ଟି ହୋଇଥାଏ।
ସୌଜନ୍ୟ ସମ୍ବାଦ




