ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେସରକାରୀ ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆକୁ ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍) ଦେୟରେ କେନ୍ଦ୍ର ସରକାର ଆଶ୍ବସ୍ତି ଦେବା ପରେ କମ୍ପାନି ଆଶ୍ଚର୍ଯ୍ୟଜନକ ଭାବେ ୫୧,୯୮୬ କୋଟି ଟଙ୍କାର ଲାଭ କରିଛି। ୨୦୨୫-୨୬ର ଶେଷ ତ୍ରୈମାସିକରେ କମ୍ପାନି ଏହି ଲାଭ କରିଛି। ପୂର୍ବବର୍ଷର ସେହି ତିନି ମାସରେ ଏହା ୭୧୬୮ କୋଟି ଟଙ୍କାର କ୍ଷତି ସହିଥିଲା। ସବୁଠୁ ବଡ଼ କଥା ହେଉଛି ଏଥର କମ୍ପାନି ଯେତିକି ଲାଭ କରିଛି ତାହା ଅନ୍ୟ ଯେକୌଣସି କମ୍ପାନି ତୁଳନାରେ ସର୍ବାଧିକ। ଏଜରିଆର୍ ଉପରେ ସରକାର କମ୍ପାନିକୁ ଏକକାଳୀନ ଆଶ୍ବସ୍ତି ପ୍ରଦାନ କରିଥିଲେ। ଏହାପରେ ବିର୍ଲା ଗ୍ରୁପ୍ କମ୍ପାନିରେ ୪୭୩୦ କୋଟି ଟଙ୍କା ନିବେଶକୁ ପ୍ରତିବଦ୍ଧତା ଦର୍ଶାଇଥିଲା।
ଛଅ ବର୍ଷ ପରେ ଭୋଡାଫୋନ ଆଇଡିଆ ପ୍ରଥମ ଥର ପାଇଁ ଲାଭ କରିଛି। ୨୦୨୪-୨୫ରେ କମ୍ପାନି ୨୭,୩୮୪ କୋଟି ଟଙ୍କାର କ୍ଷତି ସହିଥିଲା। କିନ୍ତୁ ୨୦୨୫-୨୬ରେ କମ୍ପାନି ୩୪,୫୫୨ କୋଟି ଟଙ୍କାର ଲାଭ କରିବାକୁ ଯାଉଛି। କମ୍ପାନିର ବାର୍ଷିକ ରାଜସ୍ବ ପରିମାଣ ମଧ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ୪୪,୭୮୩ କୋଟି ଟଙ୍କା ହେବ। ମୁକେଶ ଅମ୍ବାନୀଙ୍କ ଜିଓ ଦେଶରେ ମୋବାଇଲ୍ ସେବା ଆରମ୍ଭ କରିବା ପରେ ଦେଖାଦେଇଥିବା ଝଡ଼ରେ ବହୁ ଟେଲିକମ୍ କମ୍ପାନି ଦେବାଳିଆ ଓ ବନ୍ଦ ହୋଇଯାଇଥିଲେ। ଭୋଡାଫୋନ୍ ଓ ଆଇଡିଆ ପୂର୍ବରୁ ପୃଥକ ପୃଥକ କମ୍ପାନି ଭାବେ କାରବାର କରୁଥିଲେ। ଜିଓ ଝଡ଼ ପରେ ସେମାନେ ପରସ୍ପର ସହ ମିଶି ଭୋଡାଫୋନ୍ ଆଇଡିଆ ଗଠନ କରିଥିଲେ। ଏହସେତ୍ତ୍ବେ କମ୍ପାନି ନିୟମିତ ବ୍ୟବଧାନରେ ଗ୍ରାହକଙ୍କୁ ହରାଉଥିଲା। ଏଥି ସହିତ ଏଜିଆର୍ ଦେୟ କମ୍ପାନିର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା। ଏଭଳି ପରିସ୍ଥିତି ସତ୍ତ୍ବେ କମ୍ପାନି ପଛକୁ ହଟିନଥିଲା। ଆଜି ତାହା ପୁଣି ଲାଭ ପଥକୁ ଫେରିଥିବାରୁ ଧୈର୍ଯ୍ୟର ଫଳ ସବୁବେଳେ ମିଠା ବୋଲି ପୁଣି ଥରେ ପ୍ରମାଣିତ ହୋଇଛି।
ସୌଜନ୍ୟ ସମ୍ବାଦ

