ଜଟଣୀ: ଜଟଣୀ ପୌରପାଳିକାର ଅନ୍ୟତମ ଜଣାଶୁଣା ଅଞ୍ଚଳ ହେଉଛି ୨୩ନମ୍ବର ୱାର୍ଡ। କୁଦିଆରୀ, ନୀଳମାଧବସାହି, ରଣସିଂହସାହି, ମହତାବନଗର-୧, ମହତାବନଗର-୨, ସୁନ୍ଦରାସାହି, ହରିଜନସାହି, ପଥରଚକଡ଼ାସାହି ଆଦି ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡର ବହୁ ସମସ୍ୟା ଆଜି ବି ଅସମାହିତ ହୋଇରହିଛି। ପାନୀୟ ଜଳ ଅଭାବ ଓ ଆବର୍ଜନା ଭର୍ତ୍ତି ଡ୍ରେନ୍ ପାଇଁ ଏହି ଅଞ୍ଚଳର ଅଧିବାସୀମାନେ କଲବଲ ହେଉଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ୱାର୍ଡର ଅନେକ ଅଞ୍ଚଳକୁ ନିୟମିତ ୨୪ଘଣ୍ଟିଆ ଜଳ ଯୋଗାଣ ହେଉନାହିଁ। ପଥରଚକଡ଼ାସାହିକୁ ପାଇପ୍ ସଂଯୋଗ କରାଯାଇଛି, ମାତ୍ର ଘରକୁ ପାଣି ଆସୁନାହିଁ। ଏଠାରେ ନିୟମିତ ବ୍ୟବଧାନରେ ଡ୍ରେନ୍ ସଫେଇ ହେଉନାହିଁ। ତେଣୁ ବହୁ ଡ୍ରେନ୍ ଆବର୍ଜନାରେ ପୋତି ହେବାକୁ ବସିଛି। ଫଳରେ ବର୍ଷାଦିନେ ଡ୍ରେନ୍ ପାଣି ରାସ୍ତାରେ ଲହଡ଼ି ମାରିଥାଏ। ସେହିପରି ବହୁ ଡ୍ରେନ୍ରେ ସ୍ଲାବ୍ ପଡ଼ିନାହିଁ। ଅଧିକାଂଶ ଲୋକଙ୍କ ଘର ସାମ୍ନାରେ ମୁକୁଳା ଡ୍ରେନ୍ ଥିବାରୁ ଛୋଟପିଲାଙ୍କ ପାଇଁ ବିପଦର କାରଣ ହୋଇରହିଛି। ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ରାତିରେ ଜଳୁ ନାହିଁ। ଅଥଚ କିଛି ସ୍ଥାନରେ ଦିନବେଳା ମଧ୍ୟ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି।
ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, ପୋଖରୀ, କଲ୍ୟାଣ ମଣ୍ଡପ ପାଇଁ ଦାବି କରାଯାଉଛି। ସ୍ଥାନୀୟ ବାସିନ୍ଦା ବିକାଶ ସାହୁ କହିଛନ୍ତି ଯେ ଏହି ୱାର୍ଡରେ
ଡ୍ରେନ୍ ସମସ୍ୟା ବଡ଼ ଦୁଃଖ। ଘର ସାମ୍ନାରେ ଡ୍ରେନ୍ ମୁକୁଳା ପଡ଼ିଥିବାରୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ କାଉନସିଲର୍ ଅମ୍ରିତା ଦାସ କହିଛନ୍ତି ଯେ ଏହି ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପୁରୁଣା ଓ ନୂଆ ଟେଣ୍ଡର୍ ମାଧ୍ୟମରେ ଅଧିକାଂଶ ପ୍ରକଳ୍ପ କାମ ଶେଷ ହୋଇଛି। ଡ୍ରେନ୍ ସମସ୍ୟା ଅଛି ଏବଂ ସମାଧାନ ପାଇଁ ପୌରପାଳିକାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଖୁବ୍ଶୀଘ୍ର ସମାଧାନ ହୋଇଯିବ।
ସୌଜନ୍ୟ ସମ୍ବାଦ