Water turns to poison: କାଲିମେଳାରେ ଜଳ ପାଲଟିଛି ଜହର: କିଡ୍ନି ରୋଗରେ ସର୍ବାଧିକ ଆକ୍ରାନ୍ତ
ମାଲକାନଗିରି ଜିଲ୍ଲାରେ କିଡ୍ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ପାଣିକୁ ମୁଖ୍ୟତଃ ଦାୟୀ କରାଯାଉଛି। ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରି ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଡ୍ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ପାଣିକୁ ମୁଖ୍ୟତଃ ଦାୟୀ କରାଯାଉଛି। ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରି ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରେ ଅଧାରୁ ଅଧିକ ରୋଗୀ କାଲିମେଳା ବ୍ଲକ୍ର।
୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରି ମଧ୍ୟରେ ୧୧୦୦ ପୁରୁଷ ଏବଂ ୭୯୬ ମହିଳାଙ୍କର କିଡ୍ନି ରୋଗ ସମ୍ପର୍କିତ ରକ୍ତନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୬୧ ପୁରୁଷ ଏବଂ ୧୩୯ ମହିଳା କିଡ୍ନି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ କିଡ୍ନି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିବା ସହ ଗୁରୁତର ରୋଗୀଙ୍କୁ ତୁରନ୍ତ ବଡ଼ ଡାକ୍ତରଖାନା ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ଡାଇଲେସିସ୍ ମେସିନ୍ ରହିଥିବା ବେଳେ ପ୍ରାୟ ୫୦ କିଡ୍ନି ରୋଗୀ ନିଜର ଡାଇଲେସିସ୍ କରୁଛନ୍ତି। ସେଥିରୁ ୪୦ ଜଣ କିଡ୍ନି ରୋଗୀ କାଲିମେଳା ବ୍ଲକ୍ର ରହିଛନ୍ତି।
କିଡ୍ନି ରୋଗରେ ସର୍ବାଧିକ ଆକ୍ରାନ୍ତ
୧୦ ମାସରେ ଜିଲ୍ଲାରୁ ୩୦୦ ଆକ୍ରାନ୍ତ ଚିହ୍ନଟ
ବିଶୁଦ୍ଧ ପାନୀୟ ଜଳ ଅଭାବରୁ ବ୍ୟାପୁଛି ରୋଗ
ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୯ରୁ ୨୦ ଜଣ ଗୁରୁତର କିଡ୍ନି ରୋଗୀ ନିଜର ଡାଇଲେସିସ୍ କରାଉଛନ୍ତି। ସେହିପରି ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ୧୦ ରୋଗୀ ଡାଇଲେସିସ୍ କରୁଛନ୍ତି। କାଲିମେଳା ଏବଂ ପଡ଼ିଆ ଅଞ୍ଚଳରେ ଦୂଷିତ ଜଳ ଯୋଗୁଁ କିଡ୍ନି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ଏହି ଅଞ୍ଚଳର ପାଣି ନମୁନା ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଥିଲା।
ଅପରପକ୍ଷରେ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରରେ ଡାଇଲେସିସି୍ କେନ୍ଦ୍ର ପାଇଁ ଦାବି ହେଉଥିଲେ ମଧ୍ୟ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଗାଁ ଗାଁରେ କିଡ୍ନି ରୋଗୀ ରହିଥିବା ବେଳେ ବହୁ ରୋଗୀ ଡାକ୍ତରଖାନାକୁ ଆସି ନପାରି ଘରେ ପଡ଼ିରହି ଶେଷରେ ପ୍ରାଣ ହରାଉଛନ୍ତି। କାଲିମେଳା ବ୍ଲକ୍ର ଅଞ୍ଚଳର ଅନେକ ଗାଁକୁ ଆଜି ବି ସ୍ବଚ୍ଛ ପିଇବା ପାଣି ପହଞ୍ଚିପାରି ନାହିଁ। ତେଣୁ ଲୋକେ ଲୌହ ମିଶ୍ରିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନାଥାଉକି, ଗତ ମାସରେ ବାୟୁ ସ୍ବାସ୍ଥ୍ୟସେବାରେ ଆସିଥିବା ଡାକ୍ତରମାନେ କେତେକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ସେଥିରେ ୫୦ରୁ ଉର୍ଦ୍ଧ୍ବ କିଡ୍ନି ରୋଗୀ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ହୁ ହୁ ହୋଇ କିଡ୍ନି ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏହାର ନିରାକରଣ ଓ ସଚେତନତା ଜରୁରି ହୋଇପଡ଼ିଛି।
ସୌଜନ୍ୟ ସମ୍ବାଦ




