Weapons Factories: ଇରାନର ଦୁଇ-ତୃତୀୟାଂଶ ଅସ୍ତ୍ର କାରଖାନା ଛାରଖାର ହୋଇସାରିଛି, ଆମେରିକାର ବଡ଼ ଦାବି…
ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନରେ ଆମେରିକା ଏକ ବଡ଼ ସଫଳତା ପାଇଥିବା ଦାବି କରିଛି। ଇରାନର ପ୍ରାୟ ଦୁଇ-ତୃତୀୟାଂଶ ଅସ୍ତ୍ରଶସ୍ତ୍ର କାରଖାନା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିବାର ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଆଡମିରାଲ ବ୍ରାଡ କୁପରଙ୍କ ସୂଚନା।

ୱାଶିଂଟନ/ତେହେରାନନ,୨୬/୩: ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନରେ ଆମେରିକା ଏକ ବଡ଼ ସଫଳତା ପାଇଥିବା ଦାବି କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଆଡମିରାଲ ବ୍ରାଡ କୁପରଙ୍କ ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକୀୟ ସୈନ୍ୟମାନେ ଇରାନରେ ୧୦,୦୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳ ଉପରେ ସଫଳତାର ସହ ଆକ୍ରମଣ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଇରାନର ପ୍ରାୟ ଦୁଇ-ତୃତୀୟାଂଶ ଅସ୍ତ୍ରଶସ୍ତ୍ର କାରଖାନା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ମାତ୍ର କିଛି ଘଣ୍ଟା ପୂର୍ବରୁ ୧୦,୦୦୦ତମ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରାଯାଇଥିବା ବେଳେ ଆମେରିକା ଓ ଇସ୍ରାଏଲର ମିଳିତ ଶକ୍ତି ପ୍ରଦର୍ଶନ ଇରାନର ସାମରିକ ଭିତ୍ତିଭୂମିକୁ ଦୋହଲାଇ ଦେଇଛି।
ଇରାନ ନୌସେନା ସର୍ବାଧିକ କ୍ଷତି ସହିଛି
କୁପରଙ୍କ ଦାବି ଅନୁଯାୟୀ, ଇରାନର ନୌସେନା ସବୁଠାରୁ ବଡ଼ କ୍ଷତି ସହିଛି। ଇରାନ ନୌସେନାର ପ୍ରାୟ ୯୨% ମୁଖ୍ୟ ଜାହାଜ ନଷ୍ଟ ହୋଇଯାଇଥିବାରୁ ଏହି ଅଞ୍ଚଳରେ ତେହେରାନର ସାମୁଦ୍ରିକ ପ୍ରଭାବ ପ୍ରାୟ ଶେଷ ହୋଇଯାଇଛି। ସେହିପରି ପ୍ରଭାବଶାଳୀ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇରାନ ପକ୍ଷରୁ ହେଉଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ୯୦% ହ୍ରାସ ଘଟିଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍ପାଦନ କରୁଥିବା ଅଧିକାଂଶ କାରଖାନା ଓ ଜାହାଜ ତିଆରି କେନ୍ଦ୍ରଗୁଡ଼ିକ ଏବେ ଧ୍ୱଂସସ୍ତୂପରେ ପରିଣତ ହୋଇଛି।
ଇରାନର ସଂପୂର୍ଣ୍ଣ ସଶସ୍ତ୍ର ଉତ୍ପାଦନ ବ୍ୟବସ୍ଥା ମୂଳପୋଛ କରିବୁ
ଆମେରିକୀୟ କମାଣ୍ଡର ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେରିକାର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ସମ୍ପୂର୍ଣ୍ଣ ସଶସ୍ତ୍ର ଉତ୍ପାଦନ ବ୍ୟବସ୍ଥାକୁ ମୂଳପୋଛ କରିବା। ଇରାନର ଅବଶିଷ୍ଟ ସାମରିକ କ୍ଷମତାକୁ ଶେଷ କରିବା ପାଇଁ ଆଗାମୀ ଦିନରେ ଆକ୍ରମଣ ଆହୁରି ଜୋରଦାର ହେବାର ସଙ୍କେତ ଦେଇଛି ଆମେରିକା।
ସୌଜନ୍ୟ ସମ୍ବାଦ




