Breaking News

ରଥଯାତ୍ରାରେ ବଦଳିବ ପାଗ, ବର୍ଷାରେ ଭିଜିବ ବଡଦାଣ୍ଡ!

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଆଜି ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରାରେ ବାହାରିବେ ବିଶ୍ବବେଦନାର ବୈଦ୍ୟ ପ୍ରଭୁ ଶ୍ରୀଜଗନ୍ନାଥ। ଭକ୍ତଙ୍କ ମେଳରେ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ ମହାବାହୁ। ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ପୁରୀ ସହର। ଶ୍ରୀକ୍ଷେତ୍ର ଏବେ ଶ୍ରୀଜଗନ୍ନାଥମୟ ହୋଇଉଠିଛି। ଦୁଇବର୍ଷ ପରେ ଦାରୁବ୍ରହ୍ମଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁ ଓ ଭକ୍ତ ସାମିଲ ହେଉଥିବାରୁ ପରଂବ୍ରହ୍ମଙ୍କ ସାନିଧ୍ୟ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ।

ଗତ କିଛି ଦିନ ହେଲା ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପାରଦ ରେକର୍ଡ ଭାଂଗୁଛି । ଅସହ୍ୟ ତାତି କଲବଲ କରୁଛି । ମହାପ୍ରଭୁଙ୍କ ରଥଯାତ୍ରାରେ କଣ ହେବ? ଗ୍ରୀଷ୍ମ ପ୍ରବାହ ଜାରି ରହିବ, ନା ବର୍ଷା ହେବ ଏହାକୁ ନେଇ କୋଟି କୋଟି ଜଗା ପ୍ରେମିଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପାଣିପାଗ ବିଭାଗର ଆକଳନ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ଆଣି ଦେଇଛି । କାଲି ହୋଇପାରେ ବର୍ଷା ।

ରଥରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଶ୍ରକ୍ଷେତ୍ରକୁ ଦେଶ, ବିଦେଶରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ । କିନ୍ତୁ ଚଳିତ ବର୍ଷର ଖରା ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥିଲା । ଯେମିତି ଖରା ହେଉଛି, ଗୁଳୁଗୁଳି ହେଉଛି, ରଥଯାତ୍ରାକୁ କେମିତି ଯିବେ ସେଥିପାଇଁ ଆଶଙ୍କାରେ ପଡିଥିଲେ । ତେବେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଭକ୍ତଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ପୁରୀରେ ରଥଯାତ୍ରା ସମୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯବ । ଆକାଶ ସାମାନ୍ୟ ମେଘୁଆ ରହିବା ସହ ପବନ ବହିବ । ଗୁଳୁଗୁଳି କମିଯିବ ।

Comments are closed.