Breaking News

ଆଉଏକ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ଗୁରୁବାର) ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେେଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ବଙ୍ଗୋପସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତା’ ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ମୌସୁମୀ ଟ୍ରଫ୍‌ ଲାଇନ ଏବେ ସମୁଦ୍ର ପତ୍ତନରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶାର ଲଘୁଚାପ ଅଞ୍ଚଳର କେନ୍ଦ୍ର ଜୈସମେର, କୋଟା, ଗୁନା, ଦାମୋହ, ରାୟପୁର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ସମୁଦ୍ର ପତ୍ତନ ଠାରୁ ୨.୧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

ଏପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ଜୁଲାଇ, ଶୁକ୍ରବାର ଅପରାହ୍ନ ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ କମଳା ଚେତାବନୀ ବା ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ରାୟଗଡ଼ା, ଗଜପତି, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଦୃଢ଼ ମୌସୁମୀ ପ୍ରବାହ ପ୍ରଭାବରେ ୨୦ ଓ ୨୧ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଓ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ, ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୧ ଜୁଲାଇ ୨୦୨୩ ମଧ୍ୟରେ ଓଡ଼ିଶା ଉପକୂଳ, ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଭିତରକୁ ନଯିବାକୁ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ଗୁରୁବାର) ଆକାଶ ମେଘାଛନ୍ନ ରହିଥିବା ବେଳେ ସକାଳୁ ତୁହାକୂ ତୁହା ବର୍ଷା ଲାଗିରହିଛି। ଏଥିସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Comments are closed.