Breaking News

ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମ୍ବାଦିକ କଲ୍ୟାଣ ଯୋଜନା ୱେବ୍‌ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର: ଏଣିକି କାଗଜକଲମ ନୁହେଁ ଗୋଟିଏ କ୍ଲିକରେ ମିଳିବ ସାମ୍ବାଦିକ ବୀମା। ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ। ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲରୁ ଏସବୁ ସୁବିଧା ମିଳିପାରିବ, ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ସାମ୍ବାଦିକ କଲ୍ୟାଣ ଯୋଜନା ୱେବ୍‌ପୋର୍ଟାଲର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଛନ୍ତି ଯେ ୫-‘ଟି’ ନୀତି ଉପରେ ଗୁରୁତ୍ୱ ଦେଇ ଏହି ୱେବ୍‌ପୋର୍ଟାଲ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକ ବନ୍ଧୁମାନେ ସୁବିଧାରେ ଅନ୍‌ଲାଇନ୍‌ରେ ସାମ୍ବାଦିକ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ। ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି। ଏଥିରେ ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଓ ମୃତ୍ୟୁ ଜନିତ ସହାୟତା ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ ଏହା ଏକ ମିଶନ୍‌। ତେଣୁ ଏକ ସଚେତନ ସମାଜ ଗଠନ ପାଇଁ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଆବଶ୍ୟକୀୟ ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ସେ ଉଲ୍ଲେଖ କରିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ଉଦ୍‌ବୋଧନରେ କହିଲେ ଯେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବନ୍ଧୁମାନେ ଅନେକ ଦାୟିତ୍ୱ ଓ ଆହ୍ବାନର ସାମ୍‌ନା କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ୍‌ ମହାମାରୀ ଭଳି ଅସ୍ୱାଭାବିକ ପରିସ୍ଥିିତିରେ ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ସାହସର ସହ ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ ପ୍ରଣୟନ କରିଛନ୍ତି । ଗଣମାଧ୍ୟମ ସହ ସଂପୃକ୍ତ ବନ୍ଧୁମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଚେତନ ଓ ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କହିିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଥିଲେ ଯେ ଏହି ପୋର୍ଟାଲ ଦ୍ୱାରା ସାମ୍ବାଦିକମାନଙ୍କୁ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ । ଏପରିକି ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଘରେ ବସି ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧାସୁଯୋଗର ଲାଭ ପାଇପାରିବେ । ହକର୍‌ମାନେ ମଧ୍ୟ ଏହି େୱବ୍‌ପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ। ଏହି ପୋର୍ଟାଲ୍‌ ରାଜ୍ୟର ସମସ୍ତ ସାମ୍ବାଦିକ ଓ ହକର୍‌ମାନଙ୍କ ନିମନ୍ତେ ଏକ ଡାଟାବେସ୍‌ ଉପଲବ୍ଧ କରାଇବ ବୋଲି ସେ ପ୍ରକାଶ କରିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଅବସରରେ କହିଲେ ଯେ ରାଜ୍ୟ ସରକାରଙ୍କ ୫-‘ଟି’ ନୀତି ଆଧାରରେ ଏହି େୱବ୍‌ପୋର୍ଟାଲର ପରିକଳ୍ପନା କରାଯାଇଛି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହ ସାମ୍ବାଦିକମାନଙ୍କୁ ସୁବିଧାରେ ସେମାନଙ୍କ ନାମ ପଂଜୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ସରକାର ଗୁରୁତ୍ୱ ଦେଇ ଏହି ପୋର୍ଟାଲ ଉପଲବ୍ଧ କରାଇଛନ୍ତି ବୋଲି ସେ କହିଛନ୍ତି ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁର୍‌ବୀର୍‌ ସିଂଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲାର ସୂଚନା ଓ ଲୋକସଂପର୍କ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comments are closed.