Breaking News

୨୦ହଜାର ଶିକ୍ଷକ ପଦବିରେ ଠିକା ନିଯୁକ୍ତି ପ୍ରସଙ୍ଗ – ୪ମାସରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇଲା କିଏ ?

ଭୁବନେଶ୍ୱର: ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ। ପୁଣି ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ। ତାହାଲେ ପୁଣି ରବିବାର ଏହି ଠିକା ନିଯୁକ୍ତି ନେଇ ନିଆଯାଇଥିବା ନିଷ୍ପତ୍ତିଟି କାହାର? ସରକାର ଯେଉଁ କଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି? ୪ମାସ ତଳେ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ କିଏ ବଦଳାଇଲା? ତୁରନ୍ତ ସରକାର ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ସହିତ ସେହି ୨୦ହଜାର ଶିକ୍ଷକ ପଦବିରେ ନିୟମିତ ନିଯୁକ୍ତି କରିବା ପାଇଁ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି।

ଶ୍ରୀ ବିଶ୍ବାଳ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ୨୦ହଜାର ଶିକ୍ଷକ ପଦବିରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତ୍ତି ବେଆଇନ ଓ ଅଗଣତାନ୍ତ୍ରିକ। ବିଜେଡି ସରକାରରେ ମାଲିକ ସାଜିଥିବା ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଷଡ଼୍‌ଯନ୍ତ୍ର ରଚିଛନ୍ତି ଏହା ହେଉଛି ତାହାର ପ୍ରମାଣ। ୫-ଟି ଟ୍ରାନ୍ସମିସନ ନାଁରେ ସ୍କୁଲର କାନ୍ଥ, ବାଡ଼କୁ ସବୁଜ ରଙ୍ଗ କରିବାରେ ଯଦି ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି ତାହାଲେ ଶିକ୍ଷକଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡ଼ୁଛି?

Comments are closed.