ଦେଶ ବିଦେଶ

Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି

ଗୁରୁବାର ଘନ ଧୂଆଁକୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାର୍‌ଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି...

ନୂଆଦିଲ୍ଲୀ: ଗୁରୁବାର ଘନ ଧୂଆଁକୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାର୍‌ଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ଡିଆଇଏଏଲ୍) ଅନୁଯାୟୀ, ପ୍ରତିକୂଳ ପାଗ ଯୋଗୁଁ ମୋଟ ୧୬ଟି ପ୍ରସ୍ଥାନ ଓ ୧୧ଟି ଆଗମନୀ ବିମାନ ବାତିଲ କରାଯାଇଛି। କମ୍ ଦୃଶ୍ୟମାନତା ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଅନେକ ଅତିରିକ୍ତ ବିମାନରେ ବିଳମ୍ବ ହୋଇଥିଲା।

ଗୁରୁବାର ସକାଳେ ଜାରି କରାଯାଇଥିବା ଏକ ଯାତ୍ରୀ ପରାମର୍ଶାବଳିରେ ଡିଆଇଏଏଲ୍ କହିଛି ଯେ ବିମାନବନ୍ଦରରେ ବିମାନ ଚଳାଚଳ କ୍ୟାଟ୍‌-୩ ଅବସ୍ଥାରେ କରାଯାଉଛି, ଯାହା ଅତ୍ୟନ୍ତ ଖରାପ ଦୃଶ୍ୟମାନତା ସମୟରେ ବ୍ୟବହୃତ ଏକ ପ୍ରୋଟୋକଲ୍। ଡିଆଇଏଏଲ୍ କହିଛି ଯେ ଘନ ଧୂଆଁକୁହୁଡ଼ି ହେତୁ ବିମାନ ଚଳାଚଳ ବର୍ତ୍ତମାନ କ୍ୟାଟ୍‌-୩ ଅବସ୍ଥାରେ ଅଛି, ଯାହା ବିଳମ୍ବ କିମ୍ବା ବ୍ୟାଘାତର କାରଣ ହୋଇପାରେ। କ୍ୟାଟ୍‌-୩ ଅପରେସନ୍ ଅଧୀନରେ, ଉଭୟ ପାଇଲଟ୍ ଓ ବିମାନ ସ୍ୱଳ୍ପ-ଦୃଶ୍ୟମାନ ଅବସ୍ଥାରେ ନିରାପଦରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ଓ ତାଲିମ ଆବଶ୍ୟକତା ପୂରଣ କରିବା ଆବଶ୍ୟକ। ସମସ୍ତ ବିମାନ ଓ କର୍ମଚାରୀ ଏହିପରି ଅବତରଣ ପାଇଁ ସଜ୍ଜିତ ନୁହନ୍ତି, ଯାହା ପ୍ରାୟତଃ ବିଳମ୍ବ କିମ୍ବା ବାତିଲ କରାଇଥାଏ। କ୍ୟାଟ୍‌-୩ ଏକ ଉନ୍ନତ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍‌ଏସ୍‌) ପଦ୍ଧତିକୁ ବୁଝାଏ ଯାହା ରନୱେ ଭିଜୁଆଲ୍ ରେଞ୍ଜ (ଆର୍‌ଭିଆର୍) ୫୦ରୁ ୨୦୦ ମିଟର କମ୍ ହେଲେ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥାଏ- ସାଧାରଣତଃ ଘନ ଧୂଆଁକୁହୁଡ଼ି, ପ୍ରବଳ ବର୍ଷା କିମ୍ବା ତୁଷାରପାତ ସମୟରେ।

୧୬ ରାଜ୍ୟ ପାଇଁ ସତର୍କ ସୂଚନା

ଗୁରୁବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଘନ ଧୂଆଁକୁହୁଡ଼ି ଦେଖିବାକୁ ମିଳିଛି। ଏହାଦ୍ୱାରା ଅନେକ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଥିଲା। ଘନ ଧୂଆଁକୁହୁଡ଼ି ଦେଇ ଯାଉଥିବା ଯାନବାହନ ରାସ୍ତାରେ ଗୁରୁଣ୍ଡୁଥିବା ଦେଖିବାକୁ ମିଳିଥିଲା।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଗୁରୁବାର ଦେଶର ୧୬ଟି ରାଜ୍ୟ ପାଇଁ ଧୂଆଁକୁହୁଡ଼ି ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଘନରୁ ଅତି ଘନ ଧୂଆଁକୁହୁଡି ରହିବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶାରେ ମଧ୍ୟ ଧୂଆଁକୁହୁଡ଼ି ରହିବ। ଏଥିସହ ଦୃଶ୍ୟମାନତା କମ୍ ରହିବ, ଯାହା ସଡ଼କ, ରେଳ ଓ ବିମାନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ କହିଛି।
ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ଘନ ଧୂଆଁକୁହୁଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ସତର୍କସୂଚନା ଜାରି କରିଛି, ଯେଉଁଠାରେ ଦୃଶ୍ୟମାନତା ୫୦ ମିଟରରୁ ତଳକୁ ଖସିପାରେ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡର ପଶ୍ଚିମାଞ୍ଚଳ ପାଇଁ ଶୀତ ଲହରି ଚେତାବନୀ ଜାରି କରାଯାଇଛି। ତାମିଲନାଡ଼ୁ, କେରଳ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ବଜ୍ରପାତ ସହିତ ବର୍ଷା ହୋଇପାରେ। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ ରେକର୍ଡ କରାଯାଇଛି। ଧୂଆଁ ଓ କୁହୁଡିର ଏକ ମୋଟା ସ୍ତର ଦୃଶ୍ୟମାନତାକୁ ହ୍ରାସ କରିଛି। ବିଷାକ୍ତ ବାୟୁକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ଗ୍ରାପ୍-୪ ପ୍ରତିବନ୍ଧକ ଲାଗୁ କରାଯାଇଛି। ବିଏସ୍-୩ ପେଟ୍ରୋଲ ଗାଡ଼ି ଓ ବିଏସ୍-୪ ଡିଜେଲ ଗାଡ଼ି ଦିଲ୍ଲୀରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button