Breaking News

ଜଗିବାକୁ କେହି ନାହିଁ, ଜୀବନ ନେଉଛନ୍ତି ବନ୍ୟଜନ୍ତୁ

ଉପାନ୍ତରେ ହାତୀ, ଉପକୂଳରେ କୁମ୍ଭୀର, ୧୨ ଦିନରେ ଗଲାଣି ୧୧ରୁ ଅଧିକ ଜୀବନ

ଭୁବନେଶ୍ବର : ଦୁଇ ସପ୍ତାହ ହେଲା ଜଙ୍ଗଲରେ ଫୁଟ୍‌-ପାଟ୍ରୋଲିଂ ହେଉନି। ବନ କର୍ମଚାରୀମାନେ ବନ୍ୟଜନ୍ତୁଙ୍କୁ ଅନୁସରଣ କରୁନାହାନ୍ତି। ହାତୀ, ବାଘ, କଲରାପତରିଆ, ଭାଲୁ କେଉଁଆଡ଼େ ଯାଉଛନ୍ତି ଜଗିବାକୁ କେହି ନାହିଁ। ବନ୍ୟଜନ୍ତୁଙ୍କ ପରିଚାଳନା ପାଇଁ ଥିବା ଆପ୍‌ ରିପୋର୍ଟିଂ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ପାଇଁ ଏବେ ବିପଦ ମାଡ଼ି ଆସିଛି। କେନ୍ଦୁଝରଠାରୁ ନୂଆପଡ଼ା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିଛି। ରାତି ଅଧରେ ହାତୀ କାହା ଘର ଭାଙ୍ଗୁଛନ୍ତି ତ ଆଉ କାହା ଜମିରେ ପଶି ପନିପରିବା ନଷ୍ଟ କରୁଛନ୍ତି। ଉପାନ୍ତରେ ହାତୀଙ୍କ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ରାଜଧାନୀ ଉପକଣ୍ଠରେ ୭ ଦିନ ହେଲା ହାତୀ ଉତ୍ପାତ କରୁଥିଲେ ମଧ୍ୟ ଘଉଡ଼ାଇବାକୁ କେହି ଆସୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଗତ ୧୨ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୮ରୁ ଅଧିକ ଜୀବନ ଗଲାଣି ଏବଂ ଅନେକ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଦେବଗଡ଼ ଜିଲ୍ଲାର ବାରକୋଟ, ମୟୂରଭଞ୍ଜ ଜିଲ୍ଲାର କେମୁଣ୍ଡିଆ ଅଞ୍ଚଳରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି। ଉପାନ୍ତ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ହେତୁ କିଛି ବ୍ୟକ୍ତି ଏବେ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

କେବଳ ହାତୀ ନୁହ‌ନ୍ତି, ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭାଲୁ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହୋଇଛନ୍ତି। ଭାଲୁ ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଗୋଡ଼ାଲ ପଞ୍ଚାୟତ ଅନ୍ତର୍ଗତ ଖଲନା ଗ୍ରାମରେ ଭାଲୁ ବୁଲୁଥିବାର ଦୃଶ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଯଦି ଜୁନ୍‌ ମାସ କଥା ଦେଖିବା ତେବେ ଭାଲୁ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି ଏବଂ ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ଜୀବନ ଯାଇଛି। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଜାରି ରହିଛି। ଗତ ୧୮ ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ଜିଲ୍ଲାର ୩ ଜଣଙ୍କ ଜୀବନ ଗଲାଣି। କିଛିଦିନ ତଳେ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। କୁମ୍ଭୀର ଟାଣି ନେବାର ୬ ଘଣ୍ଟା ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନଦୀରେ କୁମ୍ଭୀର ଚଳପ୍ରଚଳ କରୁଥିବା ନେଇ ବନ ବିଭାଗ ପକ୍ଷରୁ କୌଣସି ସତର୍କ କରାଯାଇ ନ ଥିଲା କି ସଚେତନ କରାଯାଇ ନାହିଁ। ଫଳରେ ଲୋକଙ୍କ ଜୀବନ ପ୍ରତି ଏବେ ବିପଦ ମାଡ଼ି ଆସିଛି।

ସେପଟେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କୁ ହତ୍ୟା ଘଟଣା ପରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଭୟାରଣ୍ୟରେ ଗୁଇନ୍ଦା ନେଟ୍‌ୱର୍କକୁ ସୁଦୃଢ଼ କରିବା, ପାଟ୍ରୋଲିଂ, କମ୍ବିଂ ଅପରେସନ ବୃଦ୍ଧି କରାଯିବାର ଆବଶ୍ୟକ ଥିବାନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିଲେ। ବଢ଼ୁଥିବା ଶିକାରୀଙ୍କ ପତିଆରା ରୋକିବା ଦିଗରେ ପଦକ୍ଷେପ ନେବାକୁ ବି ଅନୁରୋଧ କରିଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ଓ ବନ କର୍ମଚାରୀଙ୍କ ସୁରକ୍ଷା ଦିନରେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ କେଉଁଠି ନା କେଉଁଠି ବନ୍ୟପ୍ରାଣୀ ଓ ବନ କର୍ମଚାରୀଙ୍କ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ଗତ କିଛି ବର୍ଷ ହେଲା ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରେ ବି ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଆଠଗଡ଼ରେ ହାତୀ ମଡ଼କଠାରୁ ଆରମ୍ଭ କରି ବଜ୍ରକାପ୍ତା ଚୋରାଚାଲାଣ ପର୍ଯ୍ୟନ୍ତ ସବୁଠି ବନ ବିଭାଗ ଫେଲ୍‌ ମାରିଛି। ଯେଉଁ ବନଖଣ୍ଡରେ ବନ୍ୟଜନ୍ତୁଙ୍କ ଜୀବନ ଯାଇଛି ସେଠାରେ ବନ ବିଭାଗର କୌଣସି ଜଣେ ବି ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ବୁଲାଇ ବିଭାଗୀୟ ଅଧିକାରୀମାନେ ଚୁପ୍‌ ବସିଯାଉଛନ୍ତି। ଶିମିଳିପାଳରେ ଦୁଇ ଜଣ ବନ କର୍ମଚାରୀଙ୍କ ଜୀବନ ଯାଇଥିଲେ ମଧ୍ୟ ପିସିସିଏଫ୍‌(ବନ୍ୟପ୍ରାଣୀ) ଘଟଣାକୁ ସେତେଟା ଗୁରୁତ୍ବର ସହ ନେଲେ ନାହିଁ। ତଦନ୍ତ ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଟିମ୍‌ ଗଠନ କରି ନ ଥିଲେ। ବରଂ କେନ୍ଦ୍ରୀୟ ଟିମ୍‌ ଶିମିଳିପାଳ ଆସିବା ପରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସେମାନଙ୍କ ସହ ଘଟଣାସ୍ଥଳକୁ ଯାଇ ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଇଥିଲେ। ଗୋଟିଏ ପଟେ ବନ କର୍ମଚାରୀଙ୍କ ଆନ୍ଦୋଳନ ଆଉ ଅନ୍ୟପଟେ ଜଙ୍ଗଲୀଜନ୍ତୁ ଜନବସତି ମୁହାଁ ହେଉଥିବାରୁ ଲୋକଙ୍କୁ କିଏ ସୁରକ୍ଷା ଦେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

Comments are closed.