ଜିଲ୍ଲା

World Power : ୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ

ଟୋନି ବ୍ଲେୟାର୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଆସନ୍ତା ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱ....

ନୂଆଦିଲ୍ଲୀ/ଭୁବନେଶ୍ବର: ଟୋନି ବ୍ଲେୟାର୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଆସନ୍ତା ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ (ଜିଇଏଲ୍‌ଏସ୍‌) ୨୦୨୫ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜମହଲଠାରେ ଉନ୍ମୋଚିତ ହୋଇଛି। ଏହି ସମ୍ମିଳନୀ ପାଇଁ ସରକାରୀ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଭାରତକୁ ଶକ୍ତି ପ୍ରଦାନ: ପର୍ଯ୍ୟାପ୍ତ, ସନ୍ତୁଳନ ଓ ନବସୃଜନ’। ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରିବା ସହ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଳନୀ ଜରିଆରେ ଭାରତର ସହଭାଗୀ ଶକ୍ତି ଭବିଷ୍ୟତକୁ ଆଗେଇ ନେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଶକ୍ତି ମନ୍ତ୍ରୀ ଓ ସଚିବ, ନୀତି ନିର୍ଦ୍ଧାରକ, ଉଦ୍ଭାବକ, ଗବେଷକ ଏବଂ ଶିଳ୍ପ ନେତାମାନେ ଏକତ୍ରିତ ହେବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକ ଓଡ଼ିଶାର ଏହି ପଦକ୍ଷେପକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀଙ୍କ ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ୍ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, ଗ୍ଲୋବାଲ୍‌ ଏନର୍ଜି ଲିଡର୍ସ ସମ୍ମିଳନୀ ମାଧ୍ୟମରେ ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଓ ଭୁଟାନ ଭଳି ଅନ୍ୟ ଦେଶର ଶକ୍ତି ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତ ଓ ବିଦେଶରୁ ବହୁ ବିଶେଷଜ୍ଞ, ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟର ପ୍ରସିଦ୍ଧ ଅନ୍ତର୍ଜାତୀୟ ବିଶେଷଜ୍ଞ ଗାରେଥ ୱାଲ୍ସ, ପିଏରେ ନୋଏଲ୍ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button