ବିଶେଷ

World Teacher Award ବସ୍ତି ଶିକ୍ଷୟିତ୍ରୀଙ୍କୁ ବିଶ୍ବ ଶିକ୍ଷକ ପୁରସ୍କାର

ଜଣେ ଭାରତୀୟ ଶିକ୍ଷୟିତ୍ରୀ ତଥା ସାମାଜିକ କର୍ମୀଙ୍କୁ ଏ ବର୍ଷର ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ବା ବିଶ୍ବ ଶିକ୍ଷକ ପୁରସ୍କାର ମିଳିଛି। ଦୁବାଇଠାରେ ଆୟୋଜିତ ଵାର୍ଲଡ୍‌ ଗଭର୍ନମେଣ୍ଟ୍‌ସ ସମ୍ମିଟରେ ଗତ ୫ ତାରିଖ ଦିନ ଶିକ୍ଷୟିତ୍ରୀ ରୁବଲ ନାଗୀ ୧ ମିଲିଅନ୍‌ ଡଲାର୍‌(ପ୍ରାୟ ୯ କୋଟି ଟଙ୍କା) ଅର୍ଥରାଶି....

ଜଣେ ଭାରତୀୟ ଶିକ୍ଷୟିତ୍ରୀ ତଥା ସାମାଜିକ କର୍ମୀଙ୍କୁ ଏ ବର୍ଷର ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ବା ବିଶ୍ବ ଶିକ୍ଷକ ପୁରସ୍କାର ମିଳିଛି। ଦୁବାଇଠାରେ ଆୟୋଜିତ ଵାର୍ଲଡ୍‌ ଗଭର୍ନମେଣ୍ଟ୍‌ସ ସମ୍ମିଟରେ ଗତ ୫ ତାରିଖ ଦିନ ଶିକ୍ଷୟିତ୍ରୀ ରୁବଲ ନାଗୀ ୧ ମିଲିଅନ୍‌ ଡଲାର୍‌(ପ୍ରାୟ ୯ କୋଟି ଟଙ୍କା) ଅର୍ଥରାଶି ସହିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ‘ରୁବଲ ନାଗୀ ଆର୍ଟ ଫାଉଣ୍ଡେସନ’ ଭାରତର ବିଭିନ୍ନ ସ୍ଥାନରେ ୮୦୦ରୁ ଅଧିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିସାରିଛି। ଏହି ସଂଗଠନ ଜରିଆରେ ରୁବଲ ସେଭଳି ପିଲାମାନଙ୍କୁ ଶିକ୍ଷାଦାନ କରିଥାନ୍ତି ଯେଉଁମାନେ ସ୍କୁଲ୍‌ରେ କେବେ ପାଦ ଦେଇନାହାନ୍ତି।

ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କୁ ବି ଏହି ସଂଗଠନ ପଢ଼ାଇଥାଏ। ରୁବଲଙ୍କ ଏହି ସଂଗଠନ ବସ୍ତି ଅଞ୍ଚଳରେ କାନ୍ଥଚିତ୍ର ମଧ୍ୟ ଆଙ୍କିଥାଏ, ଯେଉଁଥିରେ ସାକ୍ଷରତା, ବିଜ୍ଞାନ, ଗଣିତ, ଇତିହାସ ଆଦି ସମ୍ପର୍କରେ ସଚେତନତା ପ୍ରସାର କରାଯାଇଥାଏ। ଉକ୍ତ ପୁରସ୍କାର ଦେଉଥିବା ‘ଭାର୍କି ଫାଉଣ୍ଡେସନ୍’ ଉଲ୍ଲେଖ କରିଛି ଯେ ରୁବଲ ନାଗୀ ଶିକ୍ଷାଦାନର ସର୍ବଶ୍ରେଷ୍ଠ ଉପାଦାନର ପ୍ରତିନିଧିତ୍ବ କରନ୍ତି- ସାହସିକତା, ସୃଜନଶୀଳତା, ସମ୍ବେଦନଶୀଳତା ଓ ପ୍ରତିଟି ଶିଶୁ ମଧ୍ୟରେ ସମ୍ଭାବନା ଥିବା ନେଇ ଅଟଳ ଆସ୍ଥା। ସବୁଠାରୁ ଅଧିକ ସୀମାନ୍ତରିତ ଗୋଷ୍ଠୀଗୁଡ଼ିକ ନିକଟରେ ଶିକ୍ଷା ପହଞ୍ଚାଇ ସେ କେବଳ ପିଲାମାନଙ୍କ ଜୀବନକୁ ବଦଳାଇ ନାହାନ୍ତି, ଅନେକ ପରିବାର ଓ ସଂପ୍ରଦାୟକୁ ମଧ୍ୟ ସଶକ୍ତ କରିଛନ୍ତି।

ରୁବଲ କହିଛନ୍ତି ଯେ ଏହି ପୁରସ୍କାର ତାଙ୍କ ପାଇଁ ଓ ଭାରତ ପାଇଁ ଏକ ବଡ଼ ସମ୍ମାନ। ସେ ୨୪ ବର୍ଷ ତଳରେ ୩୦ ଜଣ ଶିଶୁଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରି ଏହି ଅଭିଯାନ ଆରମ୍ଭ କରିଥିଲେ, ଯାହା ଏ ଭିତରେ ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ପାଖକୁ ପହଞ୍ଚିସାରିଲାଣି। ପୁରସ୍କାର ସ୍ବରୂପ ମିଳିଥିବା ୧ ମିଲିଅନ୍‌ ଡଲାର ସାହାଯ୍ୟରେ ରୁବଲ ଏକ ନୂଆ ଅନୁଷ୍ଠାନ ପ୍ରତିଷ୍ଠା କରିବାର ଯୋଜନା କରୁଛନ୍ତି, ଯେଉଁଠି ମାଗଣାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button