ଓଡିଶା

ଅକାଳ ବିୟୋଗରେ ଚାଲିଗଲା ଯୁବକଙ୍କ ଜୀବନ, ଅଙ୍ଗଦାନ କରି ପ୍ରଶଂସିତ ହେଲେ ପରିବାର

ବରଦାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ତାଙ୍କ ଧର୍ମପତ୍ନୀ । ଖାଲି ତାଙ୍କ ପତ୍ନୀ ନୁହେଁ ପୂରା ପରିବାର ମଧ୍ୟ ଏଥିପାଇଁ ସମର୍ଥନ ଦେଇଥିଲେ।

ନିଶ୍ଚିନ୍ତକୋଇଲି: ସଡ଼କ ଦୁର୍ଘଟଣା ନେଲା ଜୀବନ। ବାପା- ମାଆ- ପତ୍ନୀ ସମସ୍ତଙ୍କ ଛାଡ଼ି ଚାଲିଗଲେ ଆରପାରିକୁ। ଏଭଳି ଅକାଳ ବିୟୋଗରେ ପୁଅକୁ ହରାଇ କୋହ ସମ୍ବରଣ କରିପାରୁନାହାନ୍ତି ପରିବାର। ହେଲେ ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକ ଅଙ୍ଗଦାନ କରି ଚାରିଆଡୁ ପ୍ରଶଂସିତ ହୋଇଛନ୍ତି। ମୃତକଙ୍କୁ ଦିଆଯାଇଛି ରାଷ୍ଟ୍ରୀୟ ସମ୍ମାନ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଂଚାୟତ ଘଣ୍ଟାଳ ଗାଁର ବିପିନ ବିହାରୀ ଦାସଙ୍କ ପୁଅ ବରଦା ପ୍ରସାଦ ଦାସ (୪୦)। ଗତ ୨୨ ତାରିଖରେ କଟକ- ଭୁବନେଶ୍ବର ରାସ୍ତାରେ ବାଇକ ଯୋଗେ ଯାଉଥିବା ବେଳେ ଫୁଲନଖରା ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏସସିବି ଏବଂ ପରେ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ବରଦାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଦେଖାଇଥିଲେ ସାହସ। ବରଦାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ତାଙ୍କ ଧର୍ମପତ୍ନୀ । ଖାଲି ତାଙ୍କ ପତ୍ନୀ ନୁହେଁ ପୂରା ପରିବାର ମଧ୍ୟ ଏଥିପାଇଁ ସମର୍ଥନ ଦେଇଥିଲେ। ଯାହାପରେ ବରଦାଙ୍କର ଦୁଇଟି ବୃକକ, ଦୁଇଟି ଆଖି, ଯକୃତ, ଦାନ କରାଯାଇଛି।

ତେବେ ରବିବାର ଅପରାହ୍ନରେ ବରଦାଙ୍କ ପାର୍ଥିବ ଶରୀର ଅଂଚଳରେ ପହଂଚିବା ପରେ ତରତ ହନୁମାନ ଛକ ଠାରୁ ନିଜ ଜନ୍ମସ୍ଥାନ ଘଣ୍ଟାଳ ଯାଏଁ ଏକ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ଶେଷରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନରେ ହୋଇଥିଲା ଶେଷକୃତ୍ୟ।

ଭୁବନେଶ୍ୱରର ଏକ ଫୁଡ୍ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିବା ବରଦାଙ୍କ ଦୁଇ କନ୍ୟା ସନ୍ତାନ ଅଛନ୍ତି। ତାଙ୍କର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ପରିବାର କରିଥିବା ମହତ କାର୍ଯ୍ୟ ସାରା ଅଞ୍ଚଳକୁ ଗୌରବାନ୍ବିତ କରିଛି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button