ବାଣିଜ୍ୟ

ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍‌ ନିର୍ମାଣ କରିବ ‘ହାଲ୍’

ରାଷ୍ଟ୍ରାୟତ୍ତ ସଂସ୍ଥା ‘ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌’ (ହାଲ୍‌) ପକ୍ଷରୁ ନିର୍ମାଣ କରାଯିବ ସି-ପ୍ଲେନ୍‌। ଏହି ବିମାନଗୁଡ଼ିକ ବେସାମରିକ ଚାହିଦା ମେଣ୍ଟାଇବା ପାଇଁ ପ୍ରସ୍ତୁତ କରାଯିବ। ପର୍ଯ୍ୟଟନ ଭଳି ଅଣ ପ୍ରତିରକ୍ଷା କ୍ଷେତ୍ରରେ ଏଗୁଡ଼ିକୁ ବିନିଯୋଗ କରାଯିବ।

ମୁମ୍ବାଇ: ରାଷ୍ଟ୍ରାୟତ୍ତ ସଂସ୍ଥା ‘ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌’ (ହାଲ୍‌) ପକ୍ଷରୁ ନିର୍ମାଣ କରାଯିବ ସି-ପ୍ଲେନ୍‌। ଏହି ବିମାନଗୁଡ଼ିକ ବେସାମରିକ ଚାହିଦା ମେଣ୍ଟାଇବା ପାଇଁ ପ୍ରସ୍ତୁତ କରାଯିବ। ପର୍ଯ୍ୟଟନ ଭଳି ଅଣ ପ୍ରତିରକ୍ଷା କ୍ଷେତ୍ରରେ ଏଗୁଡ଼ିକୁ ବିନିଯୋଗ କରାଯିବ। ତେବେ ଏଥିପାଇଁ କଂପାନିକୁ ବେସାମରିକ ମନ୍ତ୍ରଣାଳୟର ଅନୁମତି ମିଳି ସାରିଥିଲେ ମଧ୍ୟ, କଂପାନି ଆବଶ୍ୟକ ପ୍ରମାଣପତ୍ର ଅପେକ୍ଷାରେ ରହିଛି।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରମାଣପତ୍ର ମିଳିବା ଆଶା ଥିବା କଂପାନି ପକ୍ଷରୁ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ଏୟାର୍‌କ୍ରାଫ୍ଟ ନିର୍ମାଣକାରୀ ସଂସ୍ଥା ‘ହାଲ୍’ ୧୯୮୩ ମସିହାରୁ ପ୍ରତିରକ୍ଷା ଆବଶ୍ୟକତା ପୂରଣ ପାଇଁ ଡ୍ରୋନିଅର୍‌-୨୨୮ ଏୟାର୍‌କ୍ରାଫ୍ଟ ସମେତ ବିଭିନ୍ନ ଏୟାର୍‌କ୍ରାଫ୍ଟ ନିର୍ମାଣ କରି ଯୋଗାଉଛି।

ତେବେ ଏହାର ଏକ ଭାରିଆଣ୍ଟ ଭାବେ ହିନ୍ଦୁସ୍ଥାନ-୨୨୮ ସି-ପ୍ଲେନ୍‌ ନିର୍ମାଣ କରିବାକୁ କଂପାନି ନିଷ୍ପତ୍ତି ନେଇଛି, ଯାହାକି ପ୍ରତିରକ୍ଷା କ୍ଷେତ୍ର ବାହାରେ ସାଧାରଣ ଯାତ୍ରୀଙ୍କ ପାଇଁ ବ୍ୟବହୃତ ହେବ। ସି-ପ୍ଲେନ୍‌ଗୁଡ଼ିକ ବିଶେଷକରି ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ହାଲ୍‌ ପକ୍ଷରୁ ନିର୍ମିତ ହେବାକୁ ଥିବା ଏହି ସି-ପ୍ଲେନ୍‌ ଦେଶ ଭିତରେ ପର୍ଯ୍ୟଟନ କ୍ଷେତ୍ରରେ ଚାହିଦା ମେଣ୍ଟାଇବା ସହିତ ମାଲେସିଆ ଓ ମରିସସ୍‌ ଭଳି ଦେଶରେ ଆଦୃତ ହୋଇ ପାରିବ ବୋଲି କଂପାନି ପକ୍ଷରୁ ପ୍ରକାଶ କରାଯାଇଛି। ଏହା ସହିତ ଉଭୟ ଜଳ ଓ ସ୍ଥଳଭାଗରେ ଅବତରଣ କରି ପାରୁଥିବା ଏୟାର୍‌କ୍ରାଫ୍ଟ ବିକାଶ ପାଇଁ ହାଲ୍‌ ଲକ୍ଷ୍ୟ ରଖିଛି। ସି-ପ୍ଲେନ୍‌ ପ୍ରସ୍ତୁତି ପାଇଁ ସରକାର ସଂସ୍ଥାମାନଙ୍କୁ ଆର୍ଥିକ ସହାୟତା (ଭାୟାବିଲିଟି ଗ୍ୟାପ୍‌ ଫଣ୍ଡ) ଯୋଗାଇ ଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ପାଇଁ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button