ରାଜ୍ୟ
ଆବାସ ଆଶା: କଟିଲେଣି ୨୦୦

ଭୁବନେଶ୍ୱର,୩ା୯(ରବିନାରାୟଣ ଜେନା): ରାଜଧାନୀର ନିମ୍ନବର୍ଗଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନ ଉପରେ ଖୁବ୍ଶୀଘ୍ର ଲଟେରି ଉଠାଣ କାର୍ଯ୍ୟକ୍ରମ କରାଯିବ। ଏହି ପ୍ରକ୍ରିୟା ଚଳିତମାସ ଶେଷସୁଦ୍ଧା କରାଯିବାକୁ ବିଡିଏ ଲକ୍ଷ୍ୟ ରଖିଛି ବୋଲି ସଚିବ ମାନସ ରଞ୍ଜନ ପାଢ଼ୀ ସୂଚନା ଦେଇଛନ୍ତି।
ବିଡିଏର ପ୍ରତିଷ୍ଠା ଦିବସ ଅବସରରେ ସଚିବ ପାଢ଼ୀ କହିଛନ୍ତି, ପଟିଆ ଅଞ୍ଚଳରେ ନିମ୍ନ ଆୟ ବର୍ଗ(ଏଲ୍ଆଇଜି) ପରିବାର ପାଇଁ ବିଡିଏ ପକ୍ଷରୁ ସୁଲଭ ଆବାସ ଯୋଜନା ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ‘ଟ୍ରାଇଡେଣ୍ଟ ଆବାସ, ପଟିଆ’ ପ୍ରକଳ୍ପରେ ମୋଟ୍ ୯୦ଟି ୨-ବିଏଚ୍କେ ଫ୍ଲାଟ୍ ରହିଛି। ଏଥିପାଇଁ ଏପ୍ରିଲ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ମେ’ ୬ରୁ ଜୁନ୍ ୪ ମଧ୍ୟରେ ଆବେଦନ ଗ୍ରହଣ କରିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଅବଧିକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଥିଲା। ଇତିମଧ୍ୟରେ ବିଡିଏକୁ ୪,୬୦୦ରୁ ଊର୍ଦ୍ଧ୍ୱ ଆବେଦନ ମିଳିଛି। ସେସବୁର ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର କେତେକ ନୀତିଗତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ବେଳେ ପ୍ରାୟ ୨ଶହ ଆବେଦନକାରୀ ବିଭିନ୍ନ କାରଣରୁ ବାଦ୍ ପଡ଼ିଛନ୍ତି। ଏହି ପ୍ରକଳ୍ପ ଓଡ଼ିଶା ହାଉସିଂ ଫର୍ ଅଲ୍ ପଲିସି ଅଧୀନରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବିକଶିତ କରାଯିବାକୁ ରହିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ୍ବାନ୍ ପ୍ଲସ୍-୧ ପ୍ରକଳ୍ପର ୫୬୨.୩ ବର୍ଗଫୁଟ କାର୍ପେଟ୍ ଏରିଆର ଫ୍ଲାଟ୍ର ମୂଲ୍ୟ ୧୫.୫୧ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ ୫୩୨.୧ ବର୍ଗଫୁଟ ଫ୍ଲାଟ୍ର ମୂଲ୍ୟ ୧୪.୬୮ ଲକ୍ଷ ଟଙ୍କା ରହିଛି। ବିଡିଏର ସର୍ତ୍ତ ଅନୁଯାୟୀ, ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ୩ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ହେବା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧ ଜାନୁଆରୀ ୨୦୨୩ ପୂର୍ବରୁ ବାସିନ୍ଦା ହୋଇଥିବା ଆବଶ୍ୟକ। ଆବେଦନକାରୀଙ୍କ ପରିବାର ସଦସ୍ୟଙ୍କ ନାମରେ ଦେଶର କୌଣସି ସ୍ଥାନରେ ପକ୍କାଘର ନ ଥିବା ସହିତ ଅନ୍ୟ କେତେକ ସର୍ତ୍ତାବଳୀ ରହିଛି।
ସୌଜନ୍ୟ ସମାଜ




