ରାଜ୍ୟ

ଇଣ୍ଡିଆ କେମ୍‌ ୨୦୨୬ରେ ଯୋଗଦେବ ଓଡ଼ିଶା

ଭୁବନେଶ୍ୱର, ୨୨।୧୦(ସୁନିତ୍‌ ମିଶ୍ର): ମୁମ୍ବାଇଠାରେ ଗୁରୁବାରଠାରୁ ‘ଇଣ୍ଡିଆ କେମ୍‌ ୨୦୨୬’ ସମ୍ମିଳନୀ ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିକାଶ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ଏହି ୨ ଦିନିଆ ଗସ୍ତକାଳରେ ସେ ‘ଇଣ୍ଡିଆ କେମ୍‌ ୨୦୨୬’ର ଉଦ୍‌ଘାଟନୀ ସମାରୋହ ଏବଂ ହାଇ ପ୍ରୋଫାଇଲ ସିଇଓ ରାଉଣ୍ଡଟେବୁଲ ବୈଠକରେ ଯୋଗଦେବେ। ଗୁରୁବାର ଏବଂ ଶୁକ୍ରବାର ମୁଖ୍ୟମନ୍ତ୍ରୀ କେମିକାଲ ଓ ପେଟ୍ରୋ-କେମିକାଲ କ୍ଷେତ୍ରର ଉଦ୍ୟୋଗପତି ଓ ସିଇଓମାନଙ୍କ ସହ ଆଲୋଚନାକରି ଓଡ଼ିଶାରେ ନିବେଶ ପାଇଁ ପ୍ରସ୍ତାବ ରଖିବେ। ଶୁକ୍ରବାର ସାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ।
କେନ୍ଦ୍ର ରସାୟନ, ସାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶବିଦେଶର ୨୦ରୁ ଅଧିକ ପ୍ରମୁଖ ଶିଳ୍ପସଂସ୍ଥାର କର୍ପୋରେଟ ଅଧ୍ୟକ୍ଷମାନଙ୍କ ସହ ସିଧାସଳଖ ଓ୍ବାନ୍‌-ଟୁ-ଓ୍ବାନ୍‌ ଆଲୋଚନା କରିବେ। ବିଶେଷକରି ଡାଉନଷ୍ଟ୍ରିମ୍‌ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହି ସମ୍ମିଳନୀରେ ରାଜ୍ୟର ଅଂଶଗ୍ରହଣର ଅନ୍ୟତମ ‘କୋଇଲା ଗ୍ୟାସୀକରଣ ପ୍ରକଳ୍ପ’ ଯାହା ଓଡ଼ିଶା ପାଇଁ ଶିଳ୍ପ ବିକାଶର ଏକ ନୂତନ ସୁଯୋଗ ସୃଷ୍ଟିକରିବ। ଏହାସହ ଶିଳ୍ପ ପରିବେଶକୁ ଅଧିକ ମଜଭୁତ କରିବା, ଭାଲ୍ୟୁ ଆଡିସନକୁ ପ୍ରୋତ୍ସାହିତ କରିବା ଏବଂ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍‌ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବାକୁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର, ବୃହତ୍‌କାୟ କେମିକାଲ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଘୋଷଣା କରିପାରନ୍ତି। ମହାରାଷ୍ଟ୍ର, ଗୁଜରାଟ ଭଳି ରାଜ୍ୟ ଦଶନ୍ଧି
ଧରି ପ୍ରମୁଖ ରସାୟନ ଓ ପେଟ୍ରୋକେମିକାଲ୍ସ ହବ୍‌ ଭାବେ ପ୍ରତିଷ୍ଠିତ ହୋଇସାରିଥିବା ବେଳେ ଓଡ଼ିଶା ନିଜର ସମୃଦ୍ଧ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଏବଂ ସହାୟକ ନୀତିଗତ ଢାଞ୍ଚାକୁ ବ୍ୟବହାରକରି ଏହି କ୍ଷେତ୍ରରେ ଏକ ଅଗ୍ରଣୀ ନିବେଶ ଗନ୍ତବ୍ୟସ୍ଥଳ ଭାବେ ନିଜକୁ ଗଠିତ କରୁଛି। ଖଣି ଓ ଧାତୁ ଶିଳ୍ପରେ ରାଜ୍ୟର ସ୍ଥାପିତ ଦକ୍ଷତା ଡାଉନଷ୍ଟ୍ରିମ୍‌ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପ୍ରସାର, ମୂଲ୍ୟ ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦରେ ନିବେଶ ଆକର୍ଷିତ କରିବା ପାଇଁ ଏକ ମଜଭୁତ ଭିତ୍ତିଭୂମି ଯୋଗାଉଛି।
ସରକାରଙ୍କ ସୂଚନା ମୁତାବକ, ଗତ ୨ ବର୍ଷ ମଧ୍ୟରେ ଓଡ଼ିଶା ନିବେଶ ଆକର୍ଷଣ କରିବା, ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ଏବଂ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ଏକ ଉଦୀୟମାନ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ନିଜ ସ୍ଥିତିକୁ ମଜଭୁତ କରିବାରେ ସଫଳ ହୋଇଛି, ଯାହା ମାଧ୍ୟମରେ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଏବଂ ୧.୧୨,୩୨୪ ଜଣ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ କରାଯାଇଛି, ଯାହାର ମୋଟ ନିବେଶ ମୂଲ୍ୟ ୬୦,୮୨୫.୩୪ କୋଟି ଟଙ୍କା ଏବଂ ଏହାଦ୍ୱାରା ୩୫,୩୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସଫଳତା ନିବେଶ ପ୍ରତିଶ୍ରୁତିକୁ ବାସ୍ତବ ଶିଳ୍ପ କାର୍ଯ୍ୟକଳାପରେ ପରିଣତ କରିବା, ଉତ୍ପାଦନ ଦକ୍ଷତା ବୃଦ୍ଧ୍ରିକରିବା ଏବଂ ନିଯୁକ୍ତି ସୁଯୋଗକୁ ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି। ଇଣ୍ଡିଆ କେମ୍‌ ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ସମ୍ପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଓଡ଼ିଶାର ଏକ ସୁଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି ଏବଂ ବର୍ତ୍ତମାନ ଆମେ ରସାୟନ ଓ ପେଟ୍ରୋକେମିକାଲ୍ସ ଭଳି ଉଚ୍ଚ ସମ୍ଭାବନାଯୁକ୍ତ କ୍ଷେତ୍ରରେ ନିଜର ସ୍ଥିତି ବିସ୍ତାର କରିବା ଉପରେ ଧ୍ୟାନ ଦେଉଛୁ। ଇଣ୍ଡିଆ କେମ୍‌ ୨୦୨୬ରେ ଆମର ଭାଗୀଦାରି ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା କରିବା, ରାଜ୍ୟର ନିବେଶ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବା ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ସହଯୋଗିତା ସ୍ଥାପନ କରିବାର ସୁଯୋଗ ଦେବ ବୋଲି ଶର୍ମା କହିଛନ୍ତି।

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button