ଅର୍ଥନୀତିବାଣିଜ୍ୟ

ଏବେ ସମସ୍ତଙ୍କ ପାଇଁ ଆଉ ଶୁଳ୍କମୁକ୍ତ ନୁହେଁ ସୋଭରେନ ଗୋଲ୍ଡ ବଣ୍ଡ, ଜାଣନ୍ତୁ ନୂଆ ନିୟମ

ଏପର୍ଯ୍ୟନ୍ତ ଏସଜିବିକୁ ଏପରି ନିବେଶ ବିକଳ୍ପ ମନେ କରାଯାଉଥିଲା ଯେଉଁଥିରେ ଦୀର୍ଘ ଅବଧି ବାଦେ ଲାଭ ଉପରେ ଶୁଳ୍କ ଦେବାକୁ ପଡୁନଥିଲା। ହେଲେ ନୂଆ ବଜେଟ୍ ପରେ ଏହି ଧାରଣା ଏବେ ବଦଳିବାକୁ ଯାଉଛି।

ନୂଆଦିଲ୍ଲୀ ୨।୨: ସରକାର ୨୦୨୬ କେନ୍ଦ୍ର ବଜେଟରେ ସୋଭରେନ ଗୋଲ୍ଡ ବଣ୍ଡ (ଏସଜିବି) ସମ୍ପର୍କିତ ଶୁଳ୍କ ନିୟମରେ ପରିବର୍ତ୍ତନ ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏପର୍ଯ୍ୟନ୍ତ ଏସଜିବିକୁ ଏପରି ନିବେଶ ବିକଳ୍ପ ମନେ କରାଯାଉଥିଲା ଯେଉଁଥିରେ ଦୀର୍ଘ ଅବଧି ବାଦେ ଲାଭ ଉପରେ ଶୁଳ୍କ ଦେବାକୁ ପଡୁନଥିଲା। ହେଲେ ନୂଆ ବଜେଟ୍ ପରେ ଏହି ଧାରଣା ଏବେ ବଦଳିବାକୁ ଯାଉଛି। ଶୁଳ୍କ ରିହାତି ଲାଭ ଏବେ ଆଉ ସବୁ ନିବେଶକଙ୍କୁ ମିଳିବନି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ନୂଆ ପ୍ରସ୍ତାବ ଅନୁସାରେ କ୍ୟାପିଟାଲ ଗେନ ଟ୍ୟାକ୍ସ ରିହାତି କେବଳ ସେହି ନିବେଶକଙ୍କୁ ମିଳିବ ଯେଉଁମାନେ ଏସଜିବି ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ସମୟରେ ସିଧା କିଣିଥିବେ।

ଏହାର ଅର୍ଥ ହେଉଛି ଯେଉଁ ଲୋକେ ଓରିଜିନାଲ ଇସ୍ୟୁ ସମୟରେ ଆବେଦନ କରିବେ ଓ ବଣ୍ଡକୁ ସମ୍ପୂର୍ଣ୍ଣ ୮ ବର୍ଷ ନିଜ ପାଖରେ ରଖିବେ କେବଳ ସେମାନଙ୍କୁ ଲାଭ ଉପରେ ଶୁଳ୍କ ରିହାତି ଦିଆଯିବ। ଅନେକ ନିବେଶକ ଏ ପର୍ଯ୍ୟନ୍ତ ଷ୍ଟକ୍ ଏକ୍ସଚେଞ୍ଜରୁ ଏସଜିବି କିଣିବାକୁ ପସନ୍ଦ କରୁଥିଲେ। ଏହାର ଏକ ମୁଖ୍ୟ କାରଣ ହେଉଛି ବଜାରରେ ଅନେକବାର ଏହି ବଣ୍ଡ କମ୍ ମୂଲ୍ୟରେ ବି ମିଳି ଯାଉଥିଲା। ଲୋକେ ଭାବୁଥିଲେ ପରେ ବିକିବା ବେଳେ ଏଥିରୁ ଟ୍ୟାକ୍ସ ରିହାତି ମିଳିବ। ହେଲେ ୨୦୨୬ କେନ୍ଦ୍ର ବଜେଟ୍ ପରେ ଏହି ଲାଭ ସମାପ୍ତ ହୋଇଯିବ।

ସରକାରଙ୍କ ଅନୁସାରେ ଏକ୍ସଚେଞ୍ଜରୁ କ୍ରୟ ହୋଇଥିବା ବଣ୍ଡକୁ ଓରିଜିନାଲ ମନେ କରାଯିବ ନାହିଁ। ଯଦି କୌଣସି ନିବେଶକ କାହାଠାରୁ ଏସଜିବି ଟ୍ରାନ୍ସଫର ମାଧ୍ୟମରେ ନେଇଥାନ୍ତି, ଏହା ଉପରେ ମଧ୍ୟ ଶୁଳ୍କ ରିହାତି ମିଳିବ ନାହିଁ। ଏପରି ମାମଲାରେ ବଣ୍ଡ ବିକ୍ରିରୁ ମିଳିବାକୁ ଥିବା ଲାଭ ଉପରେ କ୍ୟାପିଟାଲ ଗେନ ଟ୍ୟାକ୍ସ ଦେବାକୁ ପଡିବ। ଏଣୁ ସେକେଣ୍ଡାରୀ ମାର୍କେଟରେ ଟ୍ରେଡିଂ କରୁଥିବା ନିବେଶକଙ୍କୁ ଝଟକା ଲାଗି ପାରେ। ସେହିପରି ଯଦି କୌଣସି ନିବେଶକ ଏସଜିବିକୁ ମାଚ୍ୟୁରିଟି ପୂର୍ବରୁ ଭଙ୍ଗାନ୍ତି ତେବେ ତାଙ୍କୁ ଟ୍ୟାକ୍ସରେ କୌଣସି ରିହାତି ମିଳିବ ନାହିଁ। ଅର୍ଥାତ ଧାର୍ଯ୍ୟ ସମୟ ପୂର୍ବରୁ ରିଡେମ୍ପସନ କଲେ ଲାଭ ଉପରେ ଶୁଳ୍କ ଦେବାକୁ ପଡିବ।

ତେବେ ସୋଭରେନ ଗୋଲ୍ଡ ବଣ୍ଡରେ ପ୍ରତିବର୍ଷ ମିଳୁଥିବା ୨.୫% ସୁଧରେ ଟ୍ୟାକ୍ସ ନିୟମ ପୂର୍ବପରି ରହିବ। ଏହି ସୁଧକୁ ନିବେଶକଙ୍କ ଆୟ ସହ ସଂଯୁକ୍ତ କରି ଶୁଳ୍କ ନିର୍ଦ୍ଧାରଣ କରାଯିବ। ୨୦୨୬ ବଜେଟ୍ ପରେ ସୋଭରେନ ଗୋଲ୍ଡ ବଣ୍ଡରେ ନିବେଶ କରିବା ପୂର୍ବରୁ ଲୋକଙ୍କୁ ଏହାର ପୁରା ନିୟମ ସମ୍ପୂର୍ଣ୍ଣ ବୁଝିବାକୁ ପଡିବ। ଏବେ ଶୁଳ୍କ ଲାଭ କେବଳ ସେହି ନିବେଶକଙ୍କୁ ମିଳିବ ଯେଉଁମାନେ ସିଧା ଇସ୍ୟୁରେ ନିବେଶ କରିବେ ଓ ଦୀର୍ଘ ଅବଧି ପର୍ଯ୍ୟନ୍ତ ବଣ୍ଡକୁ ନିଜ ପାଖରେ ରଖିବେ। ସରକାରଙ୍କ କହିବା କଥା ଏହା ଦ୍ୱାରା କର ବ୍ୟବସ୍ଥା ସଫାସୁତରା ରହିବ ଓ ନିବେଶ ସମ୍ପର୍କିତ ଭ୍ରମ ଦୂର ହେବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button