କଳିଙ୍ଗନଗର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୩୯ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଭୁବନେଶ୍ୱର, ୧୪/୧୦ : ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା କଳିଙ୍ଗନଗର ଗସ୍ତ କରିବା ସହ ଶିଳ୍ପ ପ୍ରକଳ୍ପଗୁଡ଼ିକର ମେଗା ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହରେ ଯୋଗ ଦେବେ । ଏଥିରେ ମୋଟ ୩୯,୩୮୩ କୋଟି ଟଙ୍କାର ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ଜରିଆରେ ରାଜ୍ୟରେ ୪୨,୫୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଶିଳ୍ପ ବିଭାଗ ସୂଚନା ମୁତାବକ,୧୪ଟି ଜିଲ୍ଲାରେ ଏହି ଶିଳ୍ପଗୁଡିକ ଆସୁଛି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଗୋଲ୍ଟେବୁଲ ଆଲୋଚନା, ପ୍ରତ୍ୟକ୍ଷ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୬ଟି ପ୍ରକଳ୍ପର ଭୂମି ପୂଜା ଏବଂ ୩୫ଟି ପ୍ରକଳ୍ପର ଉଦଘାଟନ ସହ ମୋଟ ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ପ୍ରକଳ୍ପଗୁଡ଼ିକରେ ମୋଟ ୩.୧୧ ଲକ୍ଷ କୋଟିର ନିବେଶ ଏବଂ ୨.୪୦ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ସରକାର କେବଳ ପୁଞ୍ଜି ଆକୃଷ୍ଟ କରିବାରେ ସୀମିତ ନ ରହି ଶିଳ୍ପ ପ୍ରସ୍ତାବର ବାସ୍ତବ କାର୍ଯ୍ୟାନ୍ୱୟନ ଏବଂ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଫୋକସ ରଖିଛନ୍ତି । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ନିବେଶକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଣ ଆମ ଲକ୍ଷ୍ୟ ।
ସୌଜନ୍ୟ ପ୍ରମେୟ




