ଜାତୀୟ

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତ ଛାତ୍ରୀ ହେଲେ ଖୁସ୍‌ବୁ ପଟେଲ। ଖୁସ୍‌ବୁ ନିଜ ଭଉଣୀଙ୍କ ସହ ଏକ ଭଡ଼ା ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ତେବେ ମୃତଦେହ ନିକଟରୁ କୌଣସି ସୁଇସାଇଡଲ ନୋଟ୍‌ ଉଦ୍ଧାର କରାଯାଇ ନ ଥିବାରୁ ମୃତ୍ୟୁର କାରଣ ଠିକ୍‌ ଭାବେ ଜଣାପଡ଼ି ନାହିଁ। କୋଟାରେ ବିଭିନ୍ନ କୋଚିଂ ସେଣ୍ଟରରେ ଗତ ଜାନୁଆରୀରୁ ଏଯାବତ୍‌ ୮ଜଣ ପରୀକ୍ଷା ଆଶାୟୀ ଆତ୍ମହତ୍ୟା କରିଥିବା କାରଣରୁ ପୋଲିସ ଏହାର କାରଣ ଖୋଜୁଛି।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ବାସିନ୍ଦା ଖୁସ୍‌ବୁ କୋଟାର କୁନ୍‌ହାଡି ଥାନା ଅଞ୍ଚଳରେ ସାନ ଭଉଣୀ ଖୁସି ପଟେଲଙ୍କ ସହ ଏକ ଭଡ଼ା ଘରେ ରହି ଉଭୟେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରଥମ ପ୍ରଚେଷ୍ଟାରେ ଖୁସ୍‌ବୁ ୪୫୦ ମାର୍କ ରଖି ଅସଫଳ ହୋଇଥିବାବେଳେ ଦ୍ୱିତୀୟ ଥର ପାଇଁ ଚେଷ୍ଟା କରୁଥିଲେ। ମଙ୍ଗଳବାର ରାତିରେ ସାନଭଉଣୀ ଖୁସି କ୍ଲାସ ସାରି ରୁମ୍‌କୁ ଫେରିବା ପରେ ଘର ଭିତରପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ବାରମ୍ବାର କବାଟ ବାଡ଼େଇବା ସତ୍ତ୍ୱେ ଖୁସ୍‌ବୁ ନ ଖୋଲିବାରୁ ଖୁସି ପଡ଼ୋଶୀ ଏବଂ ବିଲ୍ଡିଂର ସିକ୍ୟୁରିଟି ଗାର୍ଡଙ୍କ ସାହାଯ୍ୟରେ କବାଟ ଭାଙ୍ଗିବା ପରେ ଖୁସ୍‌ବୁଙ୍କୁ ଘରେ ଲାଗିଥିବା ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖୁସ୍‌ବୁଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ସେ ମାନସିକ ଚାପରେ ରହୁଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଥିବା ପୋଲିସ କହିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button