ଓଡିଶା

କୋଟି ଓଡ଼ିଆର ମଉଡ଼ମଣୀଙ୍କ ନୀତିରେ ବଡ଼ ଅବହେଳା, ସ୍ୱତ୍ତ୍ୱଲିପି ସମୟ ସାରଣୀକୁ ଫୁ’

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସମୟ ସୀମା ପାଣିରଗାର ଭାବି ବେଖାତିର କରାଯାଉଛି । ମହାପ୍ରଭୁଙ୍କ ନୀତିରେ କେହି ଅବହେଳା କଲେ ତଦାରଖ ନାହିଁ । ବରଂ ମିଳିମିଶି ବିଶୃଙ୍ଖଳା ଘୋଡ଼ାଇବାରେ ଦାରୁବ୍ରହ୍ମଙ୍କ ଅନନ୍ୟ ନୀତିର ଗୁରୁତ୍ୱ ରହୁନାହିଁ ।

ପୁରୀ ୧୮/୦୨: ଭକ୍ତଙ୍କୁ ଯନ୍ତ୍ରଣା ମନୁଷ୍ୟକୃତ । ଶ୍ରୀମନ୍ଦିର ବେଲଗାମ ନୀତି ଅନିୟମିତତା । ବ୍ରହ୍ମାଣ୍ଡଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଚରମ ଅବହେଳା । ତେବେ ଏହା ଏବେ ନିତିଦିନିଆ ପାଲଟିଗଲାଣି । ପ୍ରଶାସକ ଓ କିଛି ସେବକଙ୍କ ହାତରେ ଖେଳଣା ପାଲଟିଲାଣି ଶ୍ରୀମନ୍ଦିର ସ୍ୱତନ୍ତ୍ର ପରମ୍ପରା । ଯାହା ଲାଗୁଛି ମଣିଷ ଆଗରେ ଭଗବାନଙ୍କର ମହତ୍ତ୍ୱ କମିଯାଉଛି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସମୟ ସୀମା ପାଣିରଗାର ଭାବି ବେଖାତିର କରାଯାଉଛି । ମହାପ୍ରଭୁଙ୍କ ନୀତିରେ କେହି ଅବହେଳା କଲେ ତଦାରଖ ନାହିଁ । ବରଂ ମିଳିମିଶି ବିଶୃଙ୍ଖଳା ଘୋଡ଼ାଇବାରେ ଦାରୁବ୍ରହ୍ମଙ୍କ ଅନନ୍ୟ ନୀତିର ଗୁରୁତ୍ୱ ରହୁନାହିଁ । ଭୋଜନ କ୍ଷେତ୍ର ଭାବେ ଜଣାଶୁଣା ଶ୍ରୀକ୍ଷେତ୍ରରେ ବ୍ରହ୍ମାଣ୍ଡ ଅଧିପତିଙ୍କୁ ସକାଳ ଧୂପ ଭୋଗ ଅର୍ପଣ ବେଳକୁ ମଧ୍ୟାହ୍ନ ତ କେତେବେଳେ ଅପରାହ୍ଣ । ମଙ୍ଗଳବାର ଠାକୁରଙ୍କ ସକାଳଧୂପ ସରିଥିଲା ୧୧ଟା ୫୫ରେ । ସୋମବାର ଏହାର ମାତ୍ର ୫ ମିନିଟ୍ ପୂର୍ବରୁ ଓ ରବିବାର କୌଣସି ବିଶେଷ ନୀତି ନଥାଇ ସକାଳଧୂପ ସରିଲା ବେଳକୁ ହେଲା ୧୨ଟା ୪୦ ।

ପରିଚାଳନାକାରୀଙ୍କ ବେପରୁଆ ଭାବ ପାଇଁ ଉଭୟ ଭଗବାନ ଓ ଭକ୍ତ କଲବଲ । ମନୁଷ୍ୟକୃତ ସମସ୍ୟା ପାଇଁ ଠାକୁର ଦର୍ଶନ ଓ ମହାପ୍ରସାଦ ସେବନ ପାଇଁ ପ୍ରତିଦିନ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ପ୍ରାତଃ ୫ଟା ପୂର୍ବରୁ ଦ୍ୱାରଫିଟା ହୋଇ ଠାକୁରଙ୍କ ମଙ୍ଗଳଆଳତି ସରିବ । ମଇଲମ ୬ଟାରେ, ଅବକାଶ ପୂଜା ସାଢ଼େ ୬ଟା ମଧ୍ୟରେ, ୮ଟାରୁ ସାଢ଼େ ୮ଟା ମଧ୍ୟରେ ବେଶ ଲାଗି, ସୂର୍ଯ୍ୟପୂଜା ୮ଟା ୪୫, ଗୋପାଳବଲ୍ଲଭ ୯ଟା, ସକାଳଧୂପ ୧୦ଟା, ଭୋଗମଣ୍ଡପ ୧୧ଟା, ମଧ୍ୟାହ୍ନଧୂପ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ସରି ମଧ୍ୟାହ୍ନ ପହୁଡ଼ ସାଢ଼େ ୧ଟାରେ, ପହୁଡ଼ ଫିଟି ସନ୍ଧ୍ୟା ଆଳତି ୬ଟା, ୭ଟାରୁ ୮ଟା ମଧ୍ୟରେ ସନ୍ଧ୍ୟା ଧୂପ, ୧୦ଟାରେ ଚନ୍ଦନଲାଗି, ସାଢ଼େ ୧୦ଟାରେ ବଡ଼ସିଂହାର ବେଶ ପରକୁ ବଡ଼ସିଂହାର ଧୂପ ସରି ରାତ୍ର ୧୨ଟା ସୁଦ୍ଧା ଠାକୁରଙ୍କ ପହୁଡ଼ ସମ୍ପନ୍ନ ହେବ ।

ବିଶେଷ ଦିନରେ ତତ୍ପରତା ଦେଖାଇ ଅନ୍ୟ ଦିନରେ ମହାପ୍ରଭୁଙ୍କ ନୀତି ଓ ଭକ୍ତଙ୍କ ସୁବିଧାକୁ ଅଣଦେଖା କରାଯିବାରେ ନୀତି ଅନିୟମିତା ବଢ଼ୁଥିବା ସମାଲୋଚନା ହେଉଛି ।ବିଶ୍ୱ ପ୍ରସିଦ୍ଧ ଧର୍ମାନୁଷ୍ଠାନ ତଥା ସହସ୍ରାଧିକ ବର୍ଷ ପ୍ରାଚୀନ ଶ୍ରୀମନ୍ଦିର ପରମ୍ପରାର ନିର୍ଦ୍ଦିଷ୍ଟ ବ୍ୟବସ୍ଥାବଳୀ ରହିଛି । ସରକାରଙ୍କ ହାତରେ ଶ୍ରୀମନ୍ଦିର ପରିଚାଳନା ଭାର ରହିଛି । ଯଦି କେହି ସେବକ ପାଳିରେ ଟାଳଟୁଳ କିମ୍ବା ସମସ୍ୟା କଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ମଧ୍ୟ ଅଛି । ହେଲେ ପରିଚାଳନାକାରୀ ଏସବୁକୁ ଅମାନ୍ୟ କଲେ କିଏ ଏକଥା ବୁଝିବ?

ଯଦି ଧାର୍ଯ୍ୟ ନିୟମ ମାନି ପ୍ରାତଃ ୫ଟା ସୁଦ୍ଧା ଠାକୁରଙ୍କ ମଙ୍ଗଳ ଆଳତି ହୁଅନ୍ତା ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଅନ୍ତାନି । କିଛି ବର୍ଷ ହେଲା ଗର୍ଭଗୃହ ଦର୍ଶନ ବନ୍ଦ । ପରମାଣିକ ଟିକେଟ ଦର୍ଶନ ଆଦି ଭକ୍ତଙ୍କ ସୁବିଧା କଟିଲା । କୋଠ ଭୋଗରେ ମଧ୍ୟ ଭୋଗ ଅଧିକ ନତୋଳିବାକୁ ବାରଣ କରାଗଲା । ପୁଣି କାହିଁକି ନୀତି ଓ ଦର୍ଶନ ଶୃଙ୍ଖଳା ହେଲା ନାହିଁ ବୋଲି ବହୁ ସେବକ ପ୍ରଶ୍ନ କରିଛନ୍ତି । ସ୍ଥାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜିପର୍ଯ୍ୟନ୍ତ ସମ୍ଭବ ନହେବା ଏଭଳି ସ୍ଥିତିର ମୁଖ୍ୟ କାରଣ ବୋଲି ଅନେକ ମତ ଦେଉଛନ୍ତି ।

ଶ୍ରୀମନ୍ଦିରରେ କିଛି ବିଭ୍ରାଟ ହେଲେ ନିଷ୍ପତ୍ତି ମୁଖ୍ୟ ପ୍ରଶାସକଙ୍କ ପାଇଁ ଅଟକି ରହୁଛି । ଏପଟେ ବିଭିନ୍ନ ଦାୟିତ୍ୱରେ ରହି ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଦିବସରେ ଉପସ୍ଥିତ ରହିପାରୁନାହାନ୍ତି । କୌଣସି ଦିନ ନୀତି ବିଭ୍ରାଟ ହେଲେ ସେହିଦିନ ତାର ନିର୍ଯ୍ୟାସ ବାହାରୁନି । ମୁଖ୍ୟ ପ୍ରଶାସକଙ୍କ ପ୍ରତୀକ୍ଷାରେ କିଛି ଦିନ ବିତିଲା ପରେ ନିୟମ କୋହଳ ହୋଇ ପୁଣି କିଛି ଗୋଟିଏ ବ୍ୟାଘାତ ହେଉଛି । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ତଥା ଶ୍ରୀମନ୍ଦିର ନିୟମ ମୁତାବକ ପଦକ୍ଷେପ ନିଆଗଲେ ହିଁ ସ୍ଥିତିରେ ସୁଧାର ଆସିବ । କେଉଁ ସେବକ ସେବାରେ କେତେ ବିଳମ୍ବ କଲେ କ’ଣ ଦଣ୍ଡ ତାହା ସ୍ପଷ୍ଟ ରହିଛି । ତାହାକୁ ଲାଗୁ ନକରିବା ସମସ୍ୟାର ଆଉ ଏକ କାରଣ ।

ଯୁବ ସେବାୟତ ଦାମୋଦର ପ୍ରତିହାରୀ କୁହନ୍ତି, ଯଦି ବିଶେଷ ଦିନରେ ନୀତି ସମ୍ଭବ ହେଉଛି, ଦୈନନ୍ଦୀନ ରୀତିନୀତିକୁ ଅବହେଳା କାହିଁକି? ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଲେ ନୀତି ଅଧିକାରୀ ଶ୍ରୀମନ୍ଦିରରେ ରହି ଠାକୁରଙ୍କ ନୀତି ତଦାରଖ କରନ୍ତେ । ଠାକୁରଙ୍କ ନୀତିରେ ଅବହେଳା କରୁଥିବା ସେବକଙ୍କୁ ଖୋଜନ୍ତେ । ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ଅନୁସାରେ ପଦକ୍ଷେପ ନେଇ ଠାକୁରଙ୍କ ନୀତିକୁ ପ୍ରାଧାନ୍ୟ ଦିଆଯାନ୍ତା ।

ନୀତି ଶୃଙ୍ଖଳା ହେଲେ ଦର୍ଶନ ସୁବିଧା ହେବ । ସେହିଭଳି ପରିଚାଳନା କମିଟି ଚାହେଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ନହେଉ । ବ୍ରାହ୍ମ ମୂହୁର୍ତ୍ତରେ ଠାକୁରଙ୍କ ମଙ୍ଗଳ ଆଳତି ହେଉ । ଠିକ୍ ସମୟରେ ମହାପ୍ରଭୁ ଭୋଗ ଲାଗୁ । ଭକ୍ତମାନେ ସୂଚାରୁ ରୂପେ ଦର୍ଶନ ଓ ମହାପ୍ରସାଦ ପାଆନ୍ତୁ । କେବଳ ଆଲୋଚନା କଲେ ଚଳିବନି, କାର୍ଯ୍ୟରେ ଦେଖାଇବାକୁ ପଡ଼ିବ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button