ରାଜ୍ୟ

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ ରୋଷେଇ ତେଲ ଦର ଉପରେ କୌଣସି ନିୟନ୍ତ୍ରଣ ନ ଥିବାବେଳେ ଏବେ ଚିନି ଦରରେ ପ୍ରାୟ ୨୦ ଟଙ୍କା ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ତଳେ ଖୋଲା ବଜାରରେ ଚିନି କେଜି ୪୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୫ ଟଙ୍କାରେ ପହଞ୍ଚତ୍ଛି। ଆଗକୁ ଚିନି ଦର ଆହୁରି ବୃଦ୍ଧି ସମ୍ଭାବନା ଥିବାରୁ ଏଥିରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବା ଆଶଙ୍କା ଦେଖାଦେଇଛି।
ଦେଶରେ ପ୍ରତି ମାସରେ ୨୩ ଲକ୍ଷ ଟନ୍‌ ଚିନି ଆବଶ୍ୟକ ହୋଇଥାଏ। ତେବେ ଓଡ଼ିଶା ପାଇଁ ବାର୍ଷିକ ୯ ଲକ୍ଷ ଟନ୍‌, ମାସିକ ୭୫ ହଜାର ଟନ୍‌ ଏବଂ ଦିନକୁ ଅଢ଼େଇ ହଜାର ଟନ୍‌ ଚିନି କାରବାର ହୋଇଥାଏ। ଏଥିପାଇଁ ମୁଖ୍ୟତଃ କର୍ନାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଚିନି ଆସିଥାଏ। ଚିନିର ହୋଲ୍‌ସେଲ୍‌ ଦର ପ୍ରାୟ ଦେଢ଼ ମାସ ତଳେ କୁଇଣ୍ଟାଲ ପିଛା ୪୦୦୦ ଟଙ୍କା ଥିବାବେଳେ ଏବେ ପ୍ରାୟ ୬୦୦୦ ଟଙ୍କାରେ ପହଞ୍ଚତ୍ଛି। ଫଳରେ ଖୁଚୁରା ଦରରେ ବୃଦ୍ଧି ଘଟିଛି। ମାତ୍ର ଏବେ ଚିନିର ଉତ୍ପାଦନ କମୁଥିବାରୁ ଏହି ଆବଶ୍ୟକତା ପୂରଣ ହେବାରେ ସମସ୍ୟା ଦେଖାଦେଉଛି ଏବଂ ଦରବୃଦ୍ଧି ହେବାରେ ଲାଗିଛି। ଏନେଇ ଓଡ଼ିଶା ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି, ବର୍ତ୍ତମାନ କୁଇଣ୍ଟାଲ ପିଛା ଚିନିର ହୋଲ୍‌ସେଲ୍‌ ଦର ୬୦୦୦ ଟଙ୍କା ଥିବାବେଳେ ଖୁଚୁରା ଦର କେଜି ୬୫ଟଙ୍କା ରହିଛି। ମୁକ୍ତ ବାଣିଜ୍ୟ ଅର୍ଥନୀତିରେ ୨ରୁ ୩ ପ୍ରତିଶତ ଦର ବଢ଼ିବା ଏକ ସାଧାରଣ ଘଟଣା। ମାତ୍ର ଦେଢମାସ ଦୁଇମାସ ମଧ୍ୟରେ ୫୦ ପ୍ରତିଶତ ଦାମ୍‌ ବଢ଼ିବା ନିହାତି ପକ୍ଷେ ଏକ ଅବାସ୍ତବ ଦରବୃଦ୍ଧି। ଚିନିର ଏଭଳି ଅହେତୁକ ଦରବୃଦ୍ଧି ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନର ପରିସ୍ଥିତିରେ ଆଗକୁ କ’ଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ପେଟ୍ରୋଲରେ ମିଶାଯାଉଥିବା ଇଥାନଲ ଆଖୁରୁ ବାହାରିଥାଏ। ତେଣୁ ସିଂହଭାଗ ଆଖୁ ଏବେ ଇଥାନଲ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଛି। ଫଳରେ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି। ଏବେଠାରୁ ଚିନିର ଅଭାବ ଆଗକୁ ଆହୁରି ମହଙ୍ଗା ହେବ। ଏହାବାଦ୍‌ ବିଭିନ୍ନ କର୍ପୋରେଟ୍‌ ସେକ୍ଟର ଭାରି ମାତ୍ରାରେ ଚିନି ମହଜୁଦ୍‌ କରି ରଖୁଛନ୍ତି। ଆଗକୁ ନିଜ ଇଚ୍ଛାରେ ଦର ବଢ଼ାଇ ସେମାନେ ବିକ୍ରି କରିପାରିବେ। ତେଣୁ ଏହା ମଧ୍ୟ ଦର ବୃଦ୍ଧିର ଆଉ ଏକ କାରଣ। ତେବେ ଏଭଳି ଦରବୃଦ୍ଧି ଆଦୌ ଶୁଭଙ୍କର ନୁହେଁ। ତେଣୁ ସରକାର ଏହା ଉପରେ ଧ୍ୟାନ ଦେବା ସହିତ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ ବୋଲି ସୁଧାକର କହିଛନ୍ତି।
ଅନ୍ୟପକ୍ଷରେ ପନିପରିବାର ବଜାର ଦର ମଧ୍ୟ ଚଢ଼ା ରହିଛି। ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରେ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ପିଆଜ, ରସୁଣ, ଅଦାରେ ହାତ ମାରିବାକୁ ଡର ଲାଗୁଛି। ଖୁଚୁରା ବଜାରରେ ପିଆଜ କେଜି ୫୦ ଟଙ୍କା ଓ ଏହାଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବାବେଳେ ଅଦା ୨୦୦ ଏବଂ ରସୁଣର ଦାମ୍‌ ୨୫୦ଟଙ୍କା ରହିଛି। ଏଥିସହ ବିଭିନ୍ନ ପ୍ରକାର ଓ ଗୁଣବତ୍ତା ଅନୁସାରେ ବ୍ୟବସାୟୀମାନେ ଉଚ୍ଚା ଦର ନେଉଛନ୍ତି। ସେହିପରି ବନ୍ଧାକୋବି କେଜି ୪୦ଟଙ୍କା, ଗାଜର ୫୦ଟଙ୍କା, କଲିକତି ପୋଟଳ ୫୦ଟଙ୍କା, କଲରା ୫୦ ରୁ ୮୦ ଟଙ୍କା, ବାଇଗଣ କେଜି ୫୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି।
ରାଜଧାନୀ କଞ୍ଚା ପରିବା ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ପନିପରିବା ଦର ସାଧାରଣ ରହିଛି। ତେବେ କର୍ନାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ସିଲିଗୁଡି ଏବଂ ବାଙ୍ଗାଲୋରରୁ ଆମଦାନୀ କରାଯାଉଥିବା ପିଆଜ, ରସୁଣ ଏବଂ ଅଦା ଦର ଉଚ୍ଚା ରହିଛି। ମହାରାଷ୍ଟ୍ରର ନାସିକ୍‌ରେ ପ୍ରବଳ ବର୍ଷା ଯୋଗୁ ଚାଷ ନଷ୍ଟ ହେବା ସହିତ ପିଆଜ ଯୋଗାଣ ପ୍ରଭାବିତ ହୋଇଛି। ଏବେ ପିଆଜର ହୋଲ୍‌ସେଲ୍‌ ଦର ୩୮ ରୁ ୪୫ ଟଙ୍କାରେ ରହିଛି। ପଚାଶଢା, ଭାଗୁଡି ଆଦିକୁ ଛାଡି ଖୁଚୁରା ବେପାରୀମାନେ ୨ଟଙ୍କା ଲାଭ ରଖି ୧୦ଟଙ୍କା ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ସଂଘ ପକ୍ଷରୁ ପିଆଜର ଦର ୫୦ଟଙ୍କା ନିର୍ଦ୍ଧାରିତ କରାଯାଇଛି ନଚେତ୍‌ ଆହୁରି ଉଚ୍ଚା ଦରରେ ବିକ୍ରି ହେଉଥାନ୍ତା। ରାୟଗଡ଼ାରୁ ଅଣାଯାଉଥିବା ଅଦା ୭୦ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ଗ୍ରାହକମାନେ ଏହାକୁ ପସନ୍ଦ କରୁ ନାହାନ୍ତି। ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ସେହିପରି ପନିପରିବା ଆମଦାନୀ ହେଉଥିବା ସ୍ଥାନରେ ଦର ଉଚ୍ଚା ରହୁଥିବାରୁ ଏଠାରେ ମଧ୍ୟ ଦର ବଢୁଛି। ଏବେ ଶ୍ରାବଣ ମାସ ଚାଲିଥିବାରୁ ଅଧିକାଂଶ ଲୋକେ ଆମିଷ ଖାଉ ନାହାନ୍ତି, ତେଣୁ ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟତମ କାରଣ। ତେବେ ବନ୍ୟାପାଣି ଛାଡିବା ପରେ ସବୁ ଜିନିଷର ଦର ଆହୁରି ବଢିବ ବୋଲି କବିରାଜ କହିଛନ୍ତି। ଏଭଳି ମହଙ୍ଗା ମାଡ଼ରେ ସାଧାରଣ ଖାଉଟି ଏବେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାର ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ଦାବି ହେଉଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button