ଓଡିଶାମହାନଗର

ଗୁରୁବାର ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଗସ୍ତକୁ ବିରୋଧ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର ୨୬।୦୨ : ଆଜି ମହାନଦୀ ଟ୍ରିବ୍ୟୁନାଲର ଓଡ଼ିଶା ଗସ୍ତ । ଆଜିଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଓ ୧୦ ସଦସ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍ ରେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ଯକ୍ଷା ବେଲା ଏମ୍ ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ, ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ ପ୍ରମୁଖ ଅଛନ୍ତି। ଏହି ଗସ୍ତ ସମୟରେ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦଳର ସଦସ୍ୟ ମାନେ ମହାନଦୀରେ ଜଳ ପ୍ରବାହ ବିଷୟରେ ବିସ୍ତୁୃତ ତଥ୍ୟ ସଂଗ୍ରହ କରିବେ। ପୂର୍ବରୁ ୨୦୨୩ରେ ମଧ୍ୟ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲା। ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା।

ଯେହେତୁ ଟ୍ରିବ୍ୟୁନାଲରୁ ଓଡ଼ିଶାକୁ ଏବଂ ମହାନଦୀକୁ କିଛି ନ୍ୟାୟ ମିଳୁନି, ତେଣୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ? ସେଥିରୁ ଓଡ଼ିଶାର କ’ଣ ଲାଭ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିଛି। ଏହାସହିତ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି । ମାଷ୍ଟରକ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବ । ସେହିପରି ୨୭ରୁ ୨ତାରିଖ ପର୍ଯ୍ୟନ୍ତ କନକତାରା, ସମ୍ୱଲପୁର, ବିନିକା, ସୋନପୁର, ଆଠମଲ୍କିକ, ବାଙ୍କୀ, ବୈଦେଶ୍ୱର, କଟକ, ପାରାଦ୍ୱୀପରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ କରିବ ବୋଲି ଆବାହକ ଶ୍ରୀ ଦାସ କହିଛନ୍ତି । ସେହିପରି ଦୟାନଦୀରେ ଏକ ବ୍ୟାରେଜ ହେବା ନେଇ ଶ୍ରୀ ଦାସ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବ। ନଦୀରୁ ଉଠୁଥିବା ବାଲି ଓ ମାଟିକୁ ମାଫିଆମାନେ ବୋହି ନେଉଛନ୍ତି ଯାହା ନଦୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଆସନ୍ତା ୨୭ ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ଦାସ କହିଛନ୍ତି। ବୈଠକରେ ପରିବେଶବିତ୍ ଡ଼ ଜୟକୃଷ୍ଣ ପାଣିଗ୍ରାହୀ, ସିପିଆଇର ବରିଷ୍ଠ ନେତା ଆଶିଷ ଜାନୁନଗୋ, ସିପିଏମ୍ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ୍ଏଲ୍ ନେତା ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ ନେତା ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button